• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆଡ୍ଡା ଜମାଇଛନ୍ତି । ଦେଶରେ ବଢ଼ି ଚାଲୁଥିବା ଉତ୍ତେଜନା ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବ ଦେଖାଦେଇଛି । ଗାଡିରେ ତେଲ ପକାଇବା ପାଇଁ ଲୋକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି । ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଆକଳନ ସାମ୍ନାକୁ ଆସିଛି । ସାରା ଦେଶରେ ବର୍ତ୍ତମାନ ସାଇକେଲର ଚାହିଦା ବଢ଼ିବାରେ ଲାଗିଛି । ଲୋକମାନେ ଅଧିକ ସଂଖ୍ୟାରେ ସାଇକେଲ କିଣୁଥିବା ସୂଚନା ମିଳିଛି ।

ଶ୍ରୀଲଙ୍କାରେ ବର୍ତ୍ତମାନ ଇନ୍ଧନ ଅଭାବରୁ ଅଧିକାଂଶ ଲୋକ ଚାରି ଚକିଆ ଯାନ ଛାଡି ସାଇକେଲ ଆଡକୁ ମୁହାଁଉଛନ୍ତି । ସାଇକେଲ ଦୋକାନ ସାମ୍ନାରେ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ପେଟ୍ରୋଲ ପାଇଁ ଆଉ ଧାଡିରେ ଛିଡ଼ା ହେବା ସମ୍ଭବ ନୁହେଁ ଓ ଦେଶରେ ଏବେ ପେଟ୍ରୋଲ କିମ୍ବା ଡିଜେଲ ମଧ୍ୟ ଉପଲବ୍ଧ ନାହିଁ ବୋଲି ଲୋକେ କହିଛନ୍ତି । ସେଥିପାଇଁ ଲୋକମାନେ ସାଇକେଲ ଏବଂ ସାଧାରଣ ପରିବହନ ଆଡକୁ ମୁହାଁଇଛନ୍ତି ।

ଅନ୍ୟପଟେ ତଥ୍ୟ ଅନୁସାରେ ଅନେକ ଦିନ ଧରି ଶ୍ରୀଲଙ୍କାକୁ କୌଣସି ତୈଳ ଟ୍ୟାଙ୍କର ଆସିନାହିଁ । ପରବର୍ତ୍ତୀ ସମୟରେ ଦେଶକୁ କେବେ ତେଲ ଆସିବ ସେସମ୍ପର୍କଆରେ ସରକାର ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି । ଲୋକମାନେ ପେଟ୍ରୋଲ ପାଇବା ପାଇଁ ଘଣ୍ଟା ଘଣ୍ଟା ଏବଂ ବେଳେବେଳେ ଦିନ ଦିନ ପାଇଁ ଲାଇନରେ ଛିଡା ହେଉଛନ୍ତି । ପୂର୍ବରୁ ପେଟ୍ରୋଲ ପାଇଁ ପେଟ୍ରୋଲ ପମ୍ପରେ ୨ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଦିନସାରା ଲାଇନରେ ଛିଡା ହେବାକୁ ପଡ଼ୁଛି ।

ସେପଟେ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଏ ପର୍ଯ୍ୟନ୍ତ ପ୍ରାଶାସନିକ ଦାୟିତ୍ୱ ଛାଡିନାହାନ୍ତି । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସହ ଆର୍ଥିକ ସହାୟତା ଡିଲ୍ ହେବାକୁ ଥିବାରୁ ପ୍ରାଶାସନିକ ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ପଡିବ ବୋଲି ସେ କହିଛନ୍ତି । ଏପଟେ ଅଜ୍ଞାତବାସରେ ଥିବା ରାଷ୍ଟ୍ରପତି ଗୋଟାବାୟ ଗତକାଲି ପୁଣି ଆକ୍ସନ ମୋଡ୍‌କୁ ଆସିଛନ୍ତି । ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକ୍ରିୟା ସ୍ୱାଭାବିକ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।