• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାହିଁକି ଭୁଶୁଡ଼ିଛି ଶ୍ରୀଲଙ୍କାର ଅର୍ଥନୀତି ? କାହିଁକି ଦେଖାଦେଇଛି ଏଭଳି ଗୁରୁତର ଆର୍ଥିକ ସଂକଟ? ଦେଶ ଦେବାଳିଆ ହେବା ପଛରେ ସରକାର ଦାୟୀ । ପ୍ରଥମ ଥର ପାଇଁ ନିଜର ଦୋଷ ଥିବା ମାନିଛନ୍ତି ଶ୍ରୀଲଙ୍କା ସରକାର । ଭୁଲ ନିଷ୍ପତ୍ତି ଯୋଗୁଁ ଏଭଳି ପରିଣାମ ସୃଷ୍ଟି ହୋଇଛି ବୋଲି ଖୋଲାଖୋଲି ସ୍ୱୀକାର କରିଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ସା । ଖୁବଶୀଘ୍ର ଏହାକୁ ସୁଧାରିବା ପାଇଁ ବଡ଼ ପଦକ୍ଷେପ ନିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

ଗତ ୩୦ମାସ ହେଲା କୋଭିଡ୍ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଆଉ ଏବେ ଆମ ପକ୍ଷରୁ କିଛି ଭୁଲ ନିଷ୍ପତ୍ତି ନିଆଯାଇଛି । ଏଥିଯୋଗୁଁ ଲୋକଙ୍କ ସମସ୍ୟା ବଢିଛି । ଏହାକୁ ସଂଶୋଧନ କରି ଲୋକମାନଙ୍କର ଆସ୍ଥା ଭାଜନ ହେବାକୁ ପଡିବ । ସଂକଟ ସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ନିଆଯାଇଥିଲେ, ଏଭଳି ସ୍ଥିତି ଉପୁଜି ନଥାନ୍ତା ବୋଲି ଗୋଟାବାୟା କହିଛନ୍ତି ।

କେବଳ ରାଷ୍ଟ୍ରପତି ଗୋଟାବାୟା ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସାଙ୍କୁ ଛାଡ଼ି, ଶ୍ରୀଲଙ୍କା କ୍ୟାବିନେଟରୁ ସବୁ ମନ୍ତ୍ରୀ କିଛି ଦିନ ତଳେ ସମୂହ ଇସ୍ତଫା ଦେଇଥିଲେ । ଏହାପରେ ପ୍ରଥମେ ୪ ଜଣ ଏବଂ ଏବେ ଆଉ ୧୭ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ଗୋଟାବାୟା ।

ଶ୍ରୀଲଙ୍କାର ଋଣ ଭାର ରହିଛି ୨୫ ବିଲିୟନ ଡଲାର । ସେଥିରୁ ୭ ବିଲିୟନ୍ ଡଲାର ଚଳିତ ବର୍ଷ ଶେଷ ସୁଦ୍ଧା ସୁଝିବାକୁ ପଡିବ । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ନାକେଦମ ହୋଇପଡୁଛନ୍ତି । ଖାଇବା ଜିନିଷ, ରନ୍ଧନ ସାମଗ୍ରୀ, ଓଷଧ ଦୋକାନରେ ଗ୍ରାହକଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି ।

ଏଭଳି ସଂକଟ ସ୍ଥିତିରେ ରାଜପକ୍ସା ସରକାର ବିରୋଧରେ ତେଜିଥିବା ଉଗ୍ର ଜନଅସନ୍ତୋଷ ପ୍ରଶମିତ ହେବାର ନାଁ ଧରୁନି । ଦୁଇ ଦିନ ପୂର୍ବରୁ ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଅଫିସ ସମ୍ମୁଖରେ ଘଣ୍ଟା ଘଣ୍ଟା ବସି ରହିଥିଲେ । ରାଷ୍ଟ୍ରପତି ଗୋଟବାୟା ରାଜପାକସା ଓ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକସାଙ୍କ ଇସ୍ତଫା ଦାବି କରୁଛନ୍ତି ଲୋକେ ।

ସେପଟେ ଶ୍ରୀଲଙ୍କାର ଏଭଳି ସଂକଟ ସମୟରେ ତ୍ରାଣକର୍ତ୍ତା ସାଜିଛି ଭାରତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରୀଲଙ୍କାକୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀଲଙ୍କା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଥିବାରୁ ସାହାଯ୍ୟର ଆବଶ୍ୟକତା ରହିଛି ବୋଲି ସେ ଟ୍ୱିଟ୍ କରିଛନ୍ତି । ଶ୍ରୀଲଙ୍କା ପ୍ରତି ଭାରତ ସାହାଯ୍ୟ ଘୋଷଣାକୁ ପ୍ରଶଂସା କରିଛି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି- IMF ।

ଭାରତ ପକ୍ଷରୁ ଏଯାବତ୍ ୧୫୦କୋଟି ଡଲାର ମୂଲ୍ୟର ସହାୟତା ଦିଆଯାଇଛି । ଅନ୍ୟପଟେ ଶ୍ରୀଲଙ୍କା ତଳିତଳାନ୍ତ ହେବା ପଛରେ ଚୀନର ପ୍ରମୁଖ ଭୂମିକା ଥିବା କୁହାଯାଉଥିବା ବେଳେ ବେଜିଂ କିନ୍ତୁ ସଂକଟ ବେଳେ କଲମ୍ବୋର ହାତ ଛାଡ଼ିଦେଇଛି । ଶ୍ରୀଲଙ୍କାକୁ କୌଣସି ପ୍ରକାର ସହାୟତା ସପକ୍ଷରେ ନାହିଁ ଜିନପିଙ୍ଗ୍ ସରକାର ।