• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀଲଙ୍କାରେ ଦିନକୁ ଦିନ ସମସ୍ୟା ଉଗ୍ରରୂପ ଧାରଣ କରୁଛି । ଏହାର ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶର ସହାୟତା ଲୋଡିଛି ଶ୍ରୀଲଙ୍କା । ଭାରତ ପକ୍ଷରୁ ଖୁବଶୀଘ୍ର ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଶ୍ରୀଲଙ୍କାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ସଂକଟ ସମୟରେ ସାହାଯ୍ୟ ପାଇଁ ବିଶ୍ୱ ସମୁଦାୟକୁ ଅପିଲ କରିଛି ଶ୍ରୀଲଙ୍କା । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଅଷ୍ଟ୍ରେଲିଆ ସରକାରଙ୍କୁ ଓଷଧ, ଖାଦ୍ୟ ଓ ସାରା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅପିଲ୍ କରିଛନ୍ତି । ଶ୍ରୀଲଙ୍କାରେ ସବୁ କ୍ଷେତ୍ରରେ ଏବେ ସମସ୍ୟା, ସବୁଠି ଲମ୍ବା ଲାଇନ୍ । ପେଟ୍ରୋଲ ପମ୍ପରେ ଘଣ୍ଟା ଘଣ୍ଟା ଲୋକଙ୍କ ଅପେକ୍ଷା କରିବାକୁ ପଡୁଛି । ଖାଦ୍ୟ ସାମଗ୍ରୀ ଦୋକାନରେ ମଧ୍ୟ ଲମ୍ବାଲାଇନ୍ । ଥରେ ବିଜୁଳି ସେବା ବ୍ୟାହତ ହେଲେ କେତେବେଳେ ଆସିବ ତାହା କହିବା ମୁସ୍କିଲ୍ । ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି ।

ସାଧାରଣ ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ନିତିଦିନିଆ ବ୍ୟବହାର ହେଉଥିବା ଜିନିଷ ବିଦେଶରୁ ଆମଦାନୀ ହେଉଛି । କିନ୍ତୁ ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ଲଗାତର କମିବାରେ ଲାଗିଥିବାରୁ ସରକାରଙ୍କ ଉପରେ ଅଧିକ ଚାପ ପଡୁଛି । ତେଲ ଟାଙ୍କି ଗୁଡିକୁ ସରକାର ତେଲ ଯୋଗାଇ ପାରୁନାହାନ୍ତି । ଗାଡିରେ ତେଲ ଟିକିଏ ପକାଇ ନପାରି ଲୋକମାନେ ହନ୍ତସନ୍ତ ହେଉଛନ୍ତି ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ । ଷଷ୍ଠ ଥର ପାଇଁ ଦାୟିତ୍ୱ ନେଇଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନି ।

ସେପଟେ ଶ୍ରୀଲଙ୍କାସ୍ଥିତିକୁ ନେଇ ନୂଆଦିଲ୍ଲୀରେ ସଂସଦୀୟ କମିଟିର ବୈଠକ ହୋଇଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶ୍ରୀଲଙ୍କାର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ପରିସ୍ଥିତିର ମୁକାବିଲା ପାଇଁ ଯଥାସମ୍ଭବ ସହାୟତା ଦେବାକୁ ମତ ପ୍ରକାଶ ପାଇଥିଲା । ଶ୍ରୀଲଙ୍କା ସମସ୍ୟାର ସମାଧାନ ପାଇଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଏକ ପ୍ରତିନିଧି ଦଳ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । ଜାତିସଂଘର ତଥ୍ୟ ଅନୁଯାୟୀ ଶ୍ରୀଲଙ୍କାର ପ୍ରାୟ ୫କୋଟି ୭୦ ଲକ୍ଷ ଏବେ ସାହାଯ୍ୟ ଅପେକ୍ଷାରେ ଅଛନ୍ତି । ପୂର୍ବରୁ ଜାତିସଂଘ ପକ୍ଷରୁ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ପତ୍ର ପ୍ରଭାବିତ ଅଂଚଳରେ ଯୋଗାଇ ଦିଆଯାଇଛି । ବିଶ୍ୱବ୍ୟାଙ୍କ, ଚୀନ୍, ରୁଷିଆ ଓ ଆମେରିକା ପକ୍ଷରୁ ମଧ୍ୟ ଶ୍ରୀଲଙ୍କାକୁ ସାହାଯ୍ୟ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।