• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ । ମାଳଦ୍ୱୀପରୁ ସେ ପ୍ରାଇଭେଟ୍ ଜେଟରେ ସିଙ୍ଗାପୁର ଯିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସେ ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଯାଇଥିବା ଜଣାପଡ଼ିଛି । ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ ହେବା ପରେ ସେ ଦେଶ ଛାଡ଼ି ମାଳଦ୍ୱୀପ ପଳାଇଥିଲେ ସେଠାରୁ ସେ ସିଙ୍ଗାପୁର ଚାଲିଯାଇଛନ୍ତି ।

ଏପଟେ ଅଶାନ୍ତ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ କର୍ଫ୍ୟୁ ଲାଗିଛି । ଆଜି ମଧ୍ୟାହ୍ନରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସ୍ଥିତି ନିୟନ୍ତ୍ରଣ ପାଇଁ କାଲି ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିବା ବେଳେ ଆଜି କଲମ୍ବୋରେ କର୍ଫ୍ୟୁ ଲାଗିଛି । ରାଷ୍ଟ୍ରପତି ଦେଶ ଛାଡ଼ିବା ପରେ ବି ଜନ ଆନ୍ଦୋଳନ ଥମିନି ।

ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ପାର୍ଲାମେଣ୍ଟ ଚାରିପାଖରେ ବି ରୁଣ୍ଡ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ନେବା ସହ ସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ କରୁଛନ୍ତି । ଅରାଜକତା ଏଡେଇବା ଲାଗି ବିକ୍ଷୋଭକାରୀଙ୍କୁ ଗିରଫ କରିବା ଲାଗି କାମଚଳା ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିର୍ଦ୍ଦେଶ ଦେଇଛନ୍ତି ।

ତେଣେ ଦେଶରେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ତାସହିତ ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ ଲାଗି ଜୋରଦାର ପ୍ରୟାସ ଚାଲିଛି । ଅନ୍ତରୀଣ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ସେ ପଦରୁ ହଟିଯିବେ ବୋଲି ବିକ୍ରମସିଙ୍ଘେ ଘୋଷଣା କରିସାରିଛନ୍ତି । ତେବେ ରାଷ୍ଟ୍ରପତି ଚୌକିରୁ ବିକ୍ରମସିଙ୍ଘେଙ୍କୁ ଦୂରେଇ ରଖାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି ।

 ନହେଲେ ସେମାନେ ଆନ୍ଦୋଳନକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଅନ୍ୟପକ୍ଷରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ସେନା ଓ ପୋଲିସ ପକ୍ଷରୁ ଲୋକଙ୍କୁ କୁହାଯାଇଛି । ତେଣେ ଦେଶର ସମ୍ବିଧାନ ଅନୁସାରେ ହିଁ କ୍ଷମତା ହସ୍ତାନ୍ତର ସମ୍ଭବ ବୋଲି ସାମ୍ବିଧାନିକ ବିଶେଷଜ୍ଞ ମତ ଦେଇଛନ୍ତି ।