• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋକରେ ଆଉଟୁପାଉଟୁ ଶ୍ରୀଲଙ୍କାବାସୀଙ୍କୁ ସରକାରଙ୍କ ନାଲି ଆଖି । ପେଟକୁ ଖାଦ୍ୟ ବଦଳରେ ଲାଠି ଓ ବନ୍ଧୁକ ଭୟ । ଘୋର ଆର୍ଥିକ ଅନଟନ ଦେଇ ଗତି କରୁଥିବା ଏହି ଦ୍ୱୀପ ରାଷ୍ଟ୍ରରେ ସରକାର ବିରୋଧୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ଗତକାଲିଠାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି । ତେବେ ରାଜପକ୍ସା କ୍ଷମତାରୁ ହଟିଯିବା ଲାଗି ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲିବା ପରେ ଶ୍ରୀଲଙ୍କା ସରକାର ସମସ୍ତ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଛନ୍ତି ।

ହତଶିରୀ ସୁନାର ଲଙ୍କା । ପ୍ରାଚୁର୍ଯ୍ୟର ଭୂଖଣ୍ଡରେ ନାହିଁ ନାହିଁର ଆର୍ତ୍ତ ଚିତ୍କାର । ଖାଦ୍ୟ ନାହିଁ, ପାନୀୟ ନାହିଁ, ଔଷଧ ବି ନାହିଁ ଗୁରୁତର ଆର୍ଥିକ ସଙ୍କଟର ଶୀକାର ପରେ ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଉତ୍କଟ ସ୍ଥିତି । ଦିନକୁ ୧୦ ଘଣ୍ଟା ବିଜୁଳି କାଟ୍, ପେଟ୍ରୋଲ ପମ୍ପରୁ ତେଲ ପାଇବାକୁ ୫ ଘଣ୍ଟାର ଅପେକ୍ଷା । କାଗଜ ଓ କାଳି ଅଭାବରୁ ସ୍କୁଲ କଲେଜରେ ପରୀକ୍ଷା ବନ୍ଦ, ଆଉ ଲୋକଙ୍କୁ ମେଡିକାଲରେ ମିଳି ପାରୁନି ସ୍ୱାସ୍ଥ୍ୟସେବା । ଦେଶର ଅର୍ଥନୀତିକୁ ସଜାଡିବେ ବୋଲି ପ୍ରତିଶ୍ରୁତି ଦେଇ ୨୦୧୯ରେ କ୍ଷମତାକୁ ଆସିଥିଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ।

ତେବେ ତାଙ୍କ ଶାସନ କାଳରେ ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଭୁଶୁଡି ପଡିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଶୂନ୍ୟ ହୋଇଯାଇଥିବା ବେଳେ ଖାଦ୍ୟ ଓ ପେଟ୍ରୋଲିୟମ ଆମଦାନୀ ଲାଗି ଟଙ୍କା ସଂଗ୍ରହରେ ସଂପୂର୍ଣ୍ଣ ଫେଲ ମାରିଛନ୍ତି ସରକାର । ଆଉ ତାର ପ୍ରତିଫଳନ ଦେଖିବାକୁ ମିଳିଛି ରାଜରାସ୍ତାରେ । ରାଜପକ୍ସା କ୍ଷମତାରୁ ହଟିଯିବା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ବିରୋଧୀ ଦଳ ଓ ତ୍ରାହି ତ୍ରାହି ଡାକୁଥିବା ଜନ ସାଧାରଣ ବ୍ୟାପକ ହିଂସାକାଣ୍ଡ ସାଙ୍ଗକୁ ଜଳାପୋଡ଼ା ସହ ସାରା ଦେଶରେ ଛାଇ ଯାଇଛି ଅଶାନ୍ତିର ବହ୍ନି ।

ଦେଶର ୨କୋଟି ୨୦ ଲକ୍ଷ ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଥିବା ବେଳେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ତେବେ ସେମାନଙ୍କ ପେଟକୁ କେମିତି ଦାନା ମିଳିବ ସେ ଚେଷ୍ଟା ନକରି ଆନ୍ଦୋଳନକାରୀଙ୍କୁ ଦମନ ଲାଗି ଅଣ୍ଟା ଭିଡିଛନ୍ତି ରାଜପକ୍ସା । ଜରୁରୀସ୍ଥିତି ଘୋଷଣା ପରେ ଗତକାଲି ସଂଧ୍ୟାରେ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଥିଲେ । ଶୃଙ୍ଖଳାରକ୍ଷା ଓ ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ ସୁନିଶ୍ଚିତ କରିବାକୁ କର୍ଫ୍ୟୁ ଲାଗୁ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ତେବେ ରାଜପକ୍ସା କ୍ଷମତାରୁ ହଟିଯିବା ନେଇ ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହେବା ପରେ ଶ୍ରୀଲଙ୍କା ସରକାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ୍ କରିଦେଇଛନ୍ତି । ଆନ୍ଦୋଳନକୁ ଚପାଇ ଦେବା ଲାଗି ରାଜପକ୍ସା ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଉଥିଲେ ମଧ୍ୟ ବିରୋଧୀ ଦଳ ନେତା ସାଜିତ୍ ପ୍ରେମଦାସାଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ କର୍ଫ୍ୟୁ ଅମାନ୍ୟ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

୨୦୦୯ରେ କ୍ଷମତା ପାଇଁ ଗୃହଯୁଦ୍ଧ ଓ ୨୦୧୬ର ଉତ୍କଟ ମରୁଡ଼ି, ଓ ୨୦୧୭ରେ ଆତଙ୍କବାଦୀ ବିସ୍ଫୋରଣ ଦେଶର ପର୍ଯ୍ୟନ ଶିଳ୍ପକୁ ବିପର୍ଯ୍ୟସ୍ତ କରିଦେଇଥିଲା । କରୋନା ଦେଶର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରିଦେଇଥିବା ବେଳେ ଋଷିଆ-ୟୁକ୍ରେନ ଯୁଦ୍ଧ ଘାତକ ସାବ୍ୟସ୍ତ ହୋଇଛି । ଚୀନ୍ ଋଣଯନ୍ତାରେ ଛଟପଟ ଶ୍ରୀଲଙ୍କା ୧୯୪୮ରେ ସ୍ୱାଧୀନତା ପରଠୁ ସବୁଠୁ ଗମ୍ଭୀର ଆର୍ଥିକ ସ୍ଥିତି ଦେଇ ଗତି କରୁଛି ଭାରତ । କ୍ରମାଗତ ଆର୍ଥିକ ସହାୟତା ଦେଇଆସୁଥିବା ବେଳେ ଗତକାଲି ଚତୁର୍ଥ ଥର ଲାଗି ୪୦ ହଜାର ମେଟ୍ରିକ ଟନ୍ ଡିଜେଲ ଶ୍ରୀଲଙ୍କାରେ ପହଞ୍ଚିଛି । ତେବେ ଦେଶର ଆବଶ୍ୟକତା ତୁଳନାରେ ଏହା ପର୍ଯ୍ୟାପ୍ତ ହେଉନାହିଁ ।