• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଲଙ୍କାରୁ ମାଳଦ୍ୱୀପ ଓ ମାଳଦ୍ୱୀପରୁ ସିଙ୍ଗାପୁର ଯିବା ପରେ, ସେଠାରୁ ପୁଣି ସାଉଦି ଆରବ ପଳାଇ ପାରନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ । ସେ ଏ ଦେଶରୁ ସେ ଦେଶ ଘୁରି ବୁଲୁଛନ୍ତି । ଶରଣ ନେବାକୁ ଖୋଜୁଛନ୍ତି ସୁରକ୍ଷିତ ସ୍ଥାନ । ତାଙ୍କ ପତ୍ନୀ ଲୋମା ଏବଂ ୨ ସୁରକ୍ଷା ଅଧିକାରୀ ସାଥିରେ ଅଛନ୍ତି । ପ୍ରଥମେ ତରବରିଆ ଭାବେ ଅନ୍ୟ ଉପାୟ ନପାଇ ନିକଟସ୍ଥ ଦ୍ୱୀପଦେଶ ମାଳଦ୍ୱୀପକୁ ପଳାଇଥିଲେ ଗୋଟାବାୟା । ହେଲେ ସେଠାରେ ବହୁ ସଂଖ୍ୟାରେ ସିଂହଳୀ ଲୋକ ରହୁଥିବାରୁ, ଗୋଟାବାୟା ନିଜକୁ ସୁରକ୍ଷିତ ମଣିନଥିଲେ ଏବଂ ମାଳଦ୍ୱୀପରେ ତାଙ୍କୁ ଶରଣ ନଦେବାକୁ ଜନଆନ୍ଦୋଳନ ଓ ରାଜନୈତିକ ଦଳଙ୍କ ବିରୋଧ ମଧ୍ୟ ଦେଖିବାକୁ ମିଳିଥିଲା ।

ତେଣୁ ମାଳଦ୍ୱୀପରୁ ଏକ ଘରୋଇ ବିମାନରେ ସିଙ୍ଗାପୁର ଯାଇଛନ୍ତି ଗୋଟାବାୟା । ସେଠାରୁ ସେ ସାଉଦିଆରବର ଜେଦାହ୍ ସହରକୁ ଯାଇପାରନ୍ତି ବୋଲି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟାବାୟା ଇସ୍ତଫାପତ୍ର ପଠାଇନଥିବାରୁ, ବେଶି ବିଳମ୍ବ ହେଲେ ତାଙ୍କୁ ପଦଚ୍ୟୁତ କରିବାକୁ ଅନ୍ୟ ବାଟ ଦେଖିବାକୁ ପଡ଼ିବ ବୋଲି ଶ୍ରୀଲଙ୍କା ବାଚସ୍ପତି ଚେତାବନୀ ଦେଇଛନ୍ତି । ତେବେ ଗୋଟାବାୟାଙ୍କ ଦୁଇ ଭାଇ- ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ଓ ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ଏବେବି ଶ୍ରୀଲଙ୍କାରେ ଥିବା ସୂଚନା ମିଳିଛି ।

ସେହିପରି କଲମ୍ବୋ ସଡ଼କରେ ସେନାର ଟ୍ୟାଙ୍କ୍ ଦେଶରେ ନୂଆ ସର୍ବଦଳୀୟ ଅନ୍ତରୀଣ ସରକାର ଗଠନ ହେବାକୁ ଯାଉଥିବା ବେଳେ, ଆସନ୍ତା ଦିନେ ଦୁଇଦିନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟପକ୍ଷେ, ଗୋଟାବାୟା ଏଯାଏଁ ଇସ୍ତଫା ଦେଇନାହାନ୍ତି । ତେଣୁ ଉତ୍ୟକ୍ତ ଆନ୍ଦୋଳନକାରୀ କାଳେ ସଂସଦ ଭିତରେ ମଧ୍ୟ ପଶି ବିଶୃଙ୍ଖଳା ସୃଷ୍ଟି କରିବେ, ସେହି ଆଶଙ୍କାରେ ସଂସଦ ଭବନ ବାହାରେ ଟ୍ୟାଙ୍କ୍ ମୁତୟନ କରାଯାଇଛି । ଏଥିସହ କଲମ୍ବୋରେ ଗୁରୁବାର ମଧ୍ୟାହ୍ନରୁ ଶୁକ୍ରବାର ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହୋଇଛି । ସେନାକୁ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ପାଇଁ ପ୍ରଧାନମନ୍ତ୍ରୀ ରାନିଲ ଓ୍ୱିକ୍ରମସିଂଘେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେନା ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇବନି ବୋଲି ସଫାସଫା ଶୁଣାଇ ଦେଇଛି ।

ସେପଟେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ସାଧାରଣ ଜନତା ଡେରା ପକାଇଛନ୍ତି । ଆଉ ଅଫିସ୍ ଭିତରେ ଖାଲି ପଡ଼ିଥିବା ପିଏମ୍ ଆସନକୁ ଜଗି ବସିଛି ସେନା । ତେବେ ବିକ୍ଷୋଭକାରୀମାନେ ପ୍ରାୟ ସପ୍ତାହେ ହେଲାଣି କବ୍‌ଜାରେ ରଖିଥିବା ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠା, ଯଥା- ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍, ପ୍ରେସିଡେନ୍ସିଆଲ୍ ସେକ୍ରେଟାରିଏଟ୍ ଓ ପ୍ରାଇମିନିଷ୍ଟର୍ ଅଫିସ୍‌ରୁ ଶାନ୍ତିପୂର୍ଣ୍ଣ ଭାବେ ହଟିଯିବେ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଚେତାଇ ଦେଇଛନ୍ତି ଯେ, ଆନ୍ଦୋଳନ ପୂର୍ବବତ୍ ଜାରି ରହିବ।