• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ମିଳିଲା ବିଡ଼ା ବିଡ଼ା ନୋଟ୍ । ଗତକାଲିଠୁ ସେଠାରେ ଆଡ୍ଡା ଜମାଇ ବସିଥିବା ଆନ୍ଦୋଳନକାରୀଙ୍କ ହାତରେ ଲାଗିଲା ଦେଢ଼ କୋଟିରୁ ଅଧିକ ସିଂହଳୀ ଟଙ୍କା । ଏନେଇ ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ, ପ୍ରେସିଡେନ୍ସିଆଲ୍ ପ୍ୟାଲେସ ଭିତରର ଆହୁରି ଅନେକ ରୋଚକ ଭିଡିଓ ଭାଇରାଲ୍ ହେଉଛି । ତେବେ ଏହି ମହାଆନ୍ଦୋଳନର ପରିଣାମ ସ୍ୱରୂପ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦରୁ ହଟିବା ପରେ, ଦେଶରେ ସରକାର କିପରି ଚାଲିବ, ତାକୁ ନେଇ ବଢ଼ିଛି ଉତ୍ସୁକତା ।

ସେପଟେ ସୁଇମିଂ ପୁଲରେ ଡେଇଁଲେ, କିଚେନରେ ରୋଷେଇ କଲେ, ଡାଇନିଂ ହଲରେ ଖାଇଲେ ଓ ରାଷ୍ଟ୍ରପତିଙ୍କ ବେଡରୁମରେ ଶୋଇ ସେଲ୍ଫି ନେଲେ ପ୍ରଦର୍ଶନକାରୀ । ତା ଭିତରେ କିଏ ଲାଉଞ୍ଜରେ ବିଶ୍ରାମ ନେଉଥିଲା, ତ ଆଉ କିଏ ଜିମର ମଜା ନେଉଥିଲା। କିଛି ଲୋକ ଆକ୍ୱାରିୟମରେ ମାଛକୁ ଖାଦ୍ୟ ଦେବାର ଭିଡିଓ ବି ଭାଇରାଲ୍ ହେଉଛି । କହିବାକୁ ଗଲେ, ଆନ୍ଦୋଳନକାରୀ ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନକୁ କବଜକୁ ନେବା ପରେ, ରିତିମତ୍ ଟୁରିଷ୍ଟ ସ୍ପଟ୍ ପାଲଟିଯାଇଛି ବ୍ରିଟିଶ୍ ଅମଳର ରାଜପ୍ରାସାଦ । ହଜାର ହଜାର ଲୋକ ସେଠାରେ କାଲିଠୁ ଆଡ୍ଡା ଜମାଇ ବସିଛନ୍ତି ।

ତେବେ ଏଭିତରେ ପ୍ରେସିଡେନ୍ସିଆଲ୍ ପ୍ୟାଲେସର ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି । ଗୋଟିକରେ ଆନ୍ଦୋଳନକାରୀମାନେ ଏକ ହାଇ ସୁକ୍ୟୁରିଟି ବଙ୍କର୍ ବା ସୁଡ଼ଙ୍ଗ ଭଳି ଗୁପ୍ତ କୋଠରୀ ଠାବ କରିଥିବା ବେଳେ, ଅନ୍ୟଟିରେ ଦେଖିବାକୁ ମିଳୁଛି ବିଡ଼ା ବିଡ଼ା ଟଙ୍କା । ଆନ୍ଦୋଳନକାରୀମାନେ ନୋଟ୍ ଗଣୁଥିବା ଦେଖିବାକୁ ମିଳୁଛି । ସେମାନେ ନଗଦ ପ୍ରାୟ ୧ କୋଟି ୭୮ ଲକ୍ଷ ସିଂହଳୀ ନୋଟ୍ ପାଇ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିବା ଶ୍ରୀଲଙ୍କା ଗଣମାଧ୍ୟମରେ କୁହାଯାଇଛି ।

ତେଣେ ଗତକାଲି ବିଦାୟୀ ପ୍ରଧାନମନ୍ତ୍ରୀ ରାନିଲ ଓ୍ୱିକ୍ରମସିଂଘେଙ୍କ ନିଜସ୍ୱ ବାସଭବନରେ ନିଆଁ ଲଗାଇବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି । ଗତକାଲି କଲମ୍ବୋ ସମେତ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ, ୯ ଜଣଙ୍କ ମୃତ୍ୟୁ ଓ ୩ଶହ ଆହତ ହୋଇଥିବା ଖବର ସାମ୍ନାକୁ ଆସୁଛି । ଲୋକଙ୍କୁ ଶାନ୍ତ ହେବା ପାଇଁ ଅପିଲ୍ କରିଛନ୍ତି ଶ୍ରୀଲଙ୍କା ଟିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଶବେନ୍ଦ୍ର ସିଲଭା ।

ଖାଦ୍ୟ ଓ ଇନ୍ଧନ ସଂକଟରେ ବ୍ୟତିବ୍ୟସ୍ତ ଶ୍ରୀଲଙ୍କାବାସୀଙ୍କ ଏହି ମହାଆନ୍ଦୋଳନର ପ୍ରଭାବ, ସିଧାସଳଖ ପଡ଼ିଛି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗାଦି ଉପରେ । ପ୍ରଧାନମନ୍ତ୍ରୀ ପଦରୁ ରାନିଲ ଓ୍ୱିକ୍ରମ ସିଂଘେ ଇସ୍ତଫା ଘୋଷଣା କରିଥିବା ବେଳେ, ଶୁକ୍ରବାର ରାତିଠୁ ଅଜ୍ଞାତବାସରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ମଧ୍ୟ ଆସନ୍ତା ୧୩ ତାରିଖରେ ପଦ ଛାଡ଼ିବେ । ଗୋଟାବାୟାଙ୍କ ସହ ଯୋଗାଯୋଗ ପରେ, ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ମହିନ୍ଦା ୟାପା ଆବେବର୍ଦ୍ଧନା ।

ତେବେ ପ୍ରଶ୍ନ ଉଠୁଛି ତା ପରେ କଣ ହେବ । ଶ୍ରୀଲଙ୍କାରେ କିଏ ଗଢ଼ିବ ନୂଆ ସରକାର? କିଏ ହେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ? ନା ଜାରି ରହିବ ଅରାଜକତା? ଶ୍ରୀଲଙ୍କା ସମ୍ବିଧାନ ଅନୁସାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ୩୦ ଦିନ ପାଇଁ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ । ଏହି ୩୦ ଦିନ ଭିତରେ ସାଂସଦ ମାନେ ନିଜ ଭିତରୁ ଜଣଙ୍କୁ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବେ । ତେବେ ବର୍ତ୍ତମାନର ସଂକଟ ସ୍ଥିତିରେ ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଗତକାଲି ସବୁ ରାଜନୈତିକ ଦଳକୁ ନେଇ ଅନୁଷ୍ଠିତ ଜରୁରୀକାଳୀନ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।