• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜଳୁଛି ଶ୍ରୀଲଙ୍କା । ଉଗ୍ର ରୂପ ଧାରଣ କରିଛି ସରକାର ବିରୋଧୀ ଜନ ଆନ୍ଦୋଳନ । ଗତକାଲି ରାଜଧାନୀ କଲମ୍ବୋ ସମେତ ସାରା ଦେଶରେ ବ୍ୟାପକ ହିଂସା ଓ ପୋଡ଼ାଜଳା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ । ହେଲେ ବିରୋଧୀ ତାଙ୍କ ଇସ୍ତଫାରେ ସନ୍ତୁଷ୍ଟ ନହୋଇ ତାଙ୍କ ଗିରଫ ଦାବି କରି ଆଜି ବି ସାରା ଦେଶରେ ବିକ୍ଷୋଭ ଓ ହିଂସା ଭିଆଇଛନ୍ତି । ଏପଟେ ରକ୍ତମୁଖା ଆନ୍ଦୋଳନକାରୀଙ୍କ କବଳରୁ ବର୍ତ୍ତିବାକୁ ରାଜପାକସେ ନିଜ ପରିବାର ସହ କଲମ୍ବୋରୁ ପଳାଇଯାଇ ନୌସେନା ବେସ୍‌ରେ ଆଶ୍ରୟ ନେଇଥିବା କୁହାଯାଉଛି ।

ବିକ୍ଷୋଭ, ସଂଘର୍ଷ, ପୋଡ଼ାଜଳା, ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସିଂହଳୀଙ୍କ ରାଗ ଚରମ ସୀମାରେ ପହଞ୍ଚିବା ଥିବା ବେଳେ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଉପଡିଛି ସ୍ଥିତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ, ନାରାବାଜି ଓ ହିଂସାକାଣ୍ଡ ଭିତରେ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେଇଥିଲେ । ଏହାସତ୍ତ୍ୱେ ଥମିନି ଉତ୍ତେଜନା । ତାଙ୍କୁ ଗିରଫ ଓ ବହିଷ୍କାର ଦାବିରେ ଅଡି ରହିଛନ୍ତି ଆନ୍ଦୋଳନକାରୀ ।

ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଛି ବିସ୍ଫୋରକ ସ୍ଥିତି । କଲମ୍ବୋ ସମେତ ଦେଶର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ଆନ୍ଦୋଳନକାରୀମାନେ ରାଜପକ୍ସାଙ୍କ ବାସଭବନକୁ ଧସେଇ ପଶିବାରୁ ସେମାନଙ୍କୁ ରୋକିବାକୁ ନୟାନ୍ତ ହୋଇଥିଲା ପୋଲିସ । ତେବେ ରକ୍ତମୁଖା ହିଂସାକାରୀଙ୍କ ଆକ୍ରମଣରୁ ରାଜପାକସେଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ସେନା । ରାଜପାକସେ ଓ ତାଙ୍କ ପରିବାର ତ୍ରିନକୋମାଲି ନାଭାଲ ବେସ୍‌ରେ ଆଶ୍ରୟ ନେଇଥିବା କୁହାଯାଉଛି । ସେପଟେ ଏ ସୂଚନା ମିଳିବା ପରେ ଆନ୍ଦୋଳନକାରୀ ସେଇ ନାଭାଲ ବେସକୁ ଘେରାଉ କରି ରଖିଛନ୍ତି ।

ଶ୍ରୀଲଙ୍କାରେ ଗତ କିଛି ମାସ ଧରି ଗୁରୁତର ଆର୍ଥିକ ଦୁସ୍ଥିତି ପାଇଁ କ୍ଷମତାରେ ଥିବା ରାଜପାକସେ ପରିବାରକୁ ଦାୟୀ କରି ଆସୁଛନ୍ତି । ବିରୋଧୀ ଏଥିପାଇଁ ଗଲା କିଛି ଦିନ ଧରି ଦେଶରେ ସରକାର ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭ ଚାଲି ଆସୁଥିଲେ ମଧ୍ୟ ଗତକାଲି ଏହା ଉଗ୍ର ରୂପ ନେଇଥିଲା । ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ହିଂସା ଘଟାଇଥିଲେ । ଏମିତିକ ୩ ଜଣ ପୂର୍ବତନ ମନ୍ତ୍ରୀ ଓ ୨ ଜଣ ସାଂସଦଙ୍କ ଘର ଜାଳି ଦେଇଥିଲେ ।

ରାଜପାକସେଙ୍କ ପୈତୃକ ଘରେ ବି ନିଆଁ ଲଗାଇ ଦେଇଥିଲେ । ରାଜପାକସେଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିଲା, ୨୦୦ରୁ ଅଧିକ ଆହତ ହୋଇଥିଲେ । ଆନ୍ଦୋଳନକାରୀମାନେ ଯାନବାହାନ ଓ ସର୍ବସାଧାରଣ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିଲେ । ସଂଘର୍ଷ ଭିତରେ ରାଜପକସେଙ୍କ ଦଳର ଜଣେ ସାଂସଦ ଅମରକିର୍ତ୍ତୀ ଅତୁକୋରାଲା ଜଣେ ଆନ୍ଦୋଳନକାରୀଙ୍କୁ ଗୁଳି କରିବା ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସେପଟେ ଶ୍ରୀଲଙ୍କା ସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛି ଆମେରିକା । ଅନ୍ୟପକ୍ଷରେ ଶ୍ରୀଲଙ୍କାରେ ଗଣତନ୍ତ୍ର ଓ ରାଜନୈତିକ ସ୍ଥିରତା ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ।