• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜପକ୍ସା ସରକାରର ଭୁଲ୍ ନୀତି ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଦୟନୀୟ ହୋଇପଡ଼ିଛି । ସରକାର ଦେଶକୁ ଚଳାଇ ପାରିଲେ ନାହିଁ । ଏଭଳି ଆରୋପ ଲଗାଇଛନ୍ତି ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା । ଏଥିସହ ଅନ୍ୟ ଦେଶମାନଙ୍କୁ ଶ୍ରୀଲଙ୍କାର ସହାୟତା ପାଇଁ ଆଗେଇ ଆସିବା ଦରକାର ବୋଲି କହିଛନ୍ତି । ସେହିପରି ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂ ମଧ୍ୟ ଆର୍ଥିକ ଦୂରବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସାକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ୨୦୧୯ରେ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ବହୁତ ଭଲ ଥିଲା । ଦୀର୍ଘ ୨ ବର୍ଷ ହେଲା ସରକାର ଅର୍ଥନୀତି ସଂସ୍କାର କ୍ଷେତ୍ରରେ କୌଣସି ଚୁକ୍ତିକୁ ଗ୍ରହଣ କରିନାହାନ୍ତି ।

ତେଣୁ ଇଣ୍ଟରନ୍ୟାଶନାଲ ମନିଟାରି ଫଣ୍ଡ ବା IMFର ଦ୍ୱାରସ୍ଥ ପାଇଁ ପ୍ରସ୍ତାବ ଦେଇଛନ୍ତି ରାନିଲ ୱିକ୍ରେମସିଂ । ଯେତେଶୀଘ୍ର ସମ୍ଭବ ଶ୍ରୀଲଙ୍କା ପ୍ରତିନିଧି ଟିମ୍ ଆଇଏମ୍ଏଫର ଦ୍ୱାରସ୍ଥ ହୁଅନ୍ତୁ । ଏଥିସହ ସେ ଦାବି କରିଛନ୍ତି ରାଷ୍ଟ୍ରପତି ପଦବୀ ଛାଡନ୍ତୁ, ନହେଲେ ଲୋକଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ, କାହିଁକି ଆର୍ଥିକ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜିଛି । ତେବେ ଭାରତର ପ୍ରଶଂସା କରି ୱିକ୍ରେମସିଂ କହିଛନ୍ତି, ଏଭଳି ଦୟନୀୟ ସମୟରେ ଭାରତ ହିଁ ଶ୍ରୀଲଙ୍କାକୁ ଯଥାସମ୍ଭବ ସର୍ବାଧିକ ସହାୟତା କରିଛି ।

ଏପଟେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଏବଂ ପୂର୍ବତନ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ଆଇପିଏଲ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ନିବେଦନ କରିଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତେ ଦେଶ ପାଇଁ ଏକାଠି ଠିଆ ହେବାକୁ ସେ ଅନୁରୋଧ କରିଛନ୍ତି । ସାଧାରଣ ଲୋକେ ସରକାର ବିରୋଧରେ କହିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଲୋକେ ଭୟଭୀତ ଅଛନ୍ତି । କ୍ରିକେଟର ନିଜ କାମ ପାଇଁ ଡରି କିଛି କହିବାକୁ ଆଗ୍ରହ କରୁନାହାନ୍ତି । ତେଣୁ ଆନ୍ଦୋଳନକାରୀଙ୍କ ସମର୍ଥନରେ ରହିବାକୁ ସେ ସମସ୍ତ ଆଇପିଏଏଲ କ୍ରିକେଟରଙ୍କୁ ନିବେଦନ କରିଛନ୍ତି । ଯେତେବେଳେ କିଛି କେହି ଭୁଲ କରୁଛି, ତା ବିରୋଧରେ ସ୍ୱର ଉତ୍ତୋଳନ ଜରୁରୀ ବୋଲି ସେ କହିଛନ୍ତି ।

ସେପଟେ ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ । ୧୯୪୮ ମସିହାରେ ସ୍ୱାଧିନତା ପରଠୁ ଦେଶ କେବେବି ଏଭଳି ଦଃସ୍ଥିତି ଦେଇ ଗତି କରିନାହିଁ । ବିଦ୍ୟୁତ କାଟ୍ ସାଙ୍ଗକୁ ଖାଦ୍ୟାଭାବ ଓ ଇନ୍ଧନର ଅଭାବ ଲାଗି ରହିଛି । ସରକାରୀ ବିରୋଧୀ ଜନ ଆନ୍ଦୋଳନ ଥମିବାର ନାଁ ନେଉନି । ମେଡିସିନ ଠାରୁ ଆରମ୍ଭ କରି ଆନୁସଙ୍ଗିକ ଇକ୍ୟୁପମେଣ୍ଟ ମେଡିକାଲରେ ନଥିବାରୁ ଚିକିତ୍ସା କ୍ଷେତ୍ରରେ ବାଧା ଉପୁଜିଛି । ଫଳରେ ମେଡିକାଲ କର୍ମଚାଯ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ଏଭଳି ସ୍ଥିତିରେ ଦେଶକୁ ସମ୍ବୋଧନ କରି ଲୋକଙ୍କୁ ଶାନ୍ତ ହେବାକୁ ଓ ଧୈର୍ଯ୍ୟ ଧରିବାକୁ ଅପିଲ୍ କରିଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାଜପକ୍ସା । କହିଛନ୍ତି, ଆପଣଙ୍କ ପ୍ରତିଟି ସେକେଣ୍ଡ୍ ଆନ୍ଦୋଳନରେ, ଆମେ ଡଲାର୍ ହରାଉଛୁ । ଦୀର୍ଘ ବର୍ଷର ସମସ୍ୟାକୁ ଯେଉଁଭଳି ସମାଧାନ କରାଗଲା, ଆର୍ଥିକ ସମସ୍ୟା ଉପରେ ମଧ୍ୟ ସେହିପରି ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ରାଜପକ୍ସା ।