• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ୟୁକ୍ରେନ ରାଜଧାନୀ କିଭ୍ ଉପରେ ପୁଣି ଋଷିଆର ଭୟଙ୍କର ଆକ୍ରମଣ । ସହରର ୫ରୁ ଅଧିକ ସ୍ଥାନରେ ଘଟିଛି ବଡ଼ ଧରଣର ବିସ୍ଫୋରଣ । ଏଥିରେ ବହୁଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଗତ ଶନିବାର ଋଷିଆକୁ କ୍ରିମିଆ ସହ ସଂଯୋଗ କରୁଥିବା କର୍ଚ୍ଚ ବ୍ରିଜ୍‌ରେ ହୋଇଥିଲା ଟ୍ରକ୍ ବୋମା ବିସ୍ଫୋରଣ । ଏଥିରେ ବ୍ରିଜ୍ କ୍ଷତିଗ୍ରସ୍ତ ହେବା ସହ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ଆତଙ୍କବାଦୀ କାର୍ଯ୍ୟ ବୋଲି ଅଭିଯୋଗ କରିିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ।  ଏହାର ୨ ଦିନ ପରେ ଆଜି ସକାଳୁ କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଋଷ ସେନା । ୟୁକ୍ରେନ ଉପରକୁ ଋଷ ୭୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା କୁହାଯାଉଛି।...

ଏବେ ଯାଏଁ ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା । ଆକାଶରେ କଳା ଧୁଆଁର ବାଦଲ ଦେଖାଯାଇଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଯେ, ସୃଷ୍ଟି ହୋଇଛି ପୋଖରୀ ଭଳି ଗର୍ତ୍ତ । ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ହେବା ସହିତ ଏକାଧିକ ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଛି । ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ବିସ୍ଫୋରଣ ସ୍ଥଳକୁ ଯାଇଥିବାରୁ ଅନେକ ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି ।

ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଗତ ଜୁନ୍ ୨୬ ତାରିଖରେ ଶେଷ ଥର ଲାଗି କିଭ୍ ଉପରେ ଆକ୍ରମଣ କରିଥିଲା ଋଷିଆ । ମାତ୍ର ଗତ ଶନିବାର ମସ୍କୋ ଅଧିକୃତ କ୍ରିମିଆଙ୍କୁ ସଂଯୋଗ କରୁଥିବା କର୍ଚ୍ଚ ରେଳ ଓ ରୋଡ୍ ବ୍ରିଜ୍‌କୁ ଟ୍ରକ୍ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବା ପରେ କ୍ଷୁବ୍ଧ ହୋଇଛନ୍ତି ପୁତିନ୍ । ଏହି ବିସ୍ଫୋରଣ ଆତଙ୍କବାଦୀ କାର୍ଯ୍ୟ ଓ ଏଥିରେ ସଂପୃକ୍ତ ଅପରାଧୀଙ୍କୁ ଦଣ୍ଡିତ କରାଯିବ ବୋଲି ଗତକାଲି କହିଥିଲେ ପୁତିନ୍ । ଆଉ ଏହାର ୨୪ ଘଣ୍ଟା ନପୁରୁଣୁ ୟୁକ୍ରେନ ରାଜଧାନୀ କିଭ୍‌ରେ ଘଟିଛି ସିରିଜ୍ ବିସ୍ଫୋରଣ ।

 

ଋଷ ଯୁଦ୍ଧ ଜାହାଜ ମସ୍କୋଭା ପରେ କ୍ରିମିଆ ସି ବ୍ରିଜ୍‌କୁ ଉଡାଇ ଦେବା ୟୁକ୍ରେନର ସବୁଠୁ ବଡ଼ ସଫଳତା ବୋଲି କୁହାଯାଉଛି । କ୍ରିମିଆ ଆମର ଓ ଆମେ ଏହାକୁ ଋଷିଆଠାରୁ ଛଡାଇ ନେବୁ ବୋଲି ବ୍ରିଜ୍ ଆକ୍ରମଣ ପରେ କହିଥିଲା ୟୁକ୍ରେନ ପ୍ରତିରକ୍ଷା ବିଭାଗ । ସେହିପରି ବ୍ରିଜ୍ ଆକ୍ରମଣ ପରେ ୟୁକ୍ରେନ୍‌ର ବହୁ ଲୋକ ବିଜୟ ଉତ୍ସବ ପାଳିବା ସହ ଋଷିଆ ପାନେ ପାଇଥିବା ଟୁଇଟ୍‌ରେ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ମାତ୍ର ଏହାର ପରିମାଣ କଣ ହେବ ତାକୁ ନେଇ ଅନେକ ଆଶଙ୍କା ମଧ୍ୟରେ ରହିଥିଲେ । ଆଉ ସେମାନଙ୍କ ଆଶଙ୍କା ଆଜି ସତ ହୋଇଛି । ଋଷ ଏଭଳି ପ୍ରଚଣ୍ଡ ଆକ୍ରମଣ କରିଛି ଯେ ପୁରା କିଭ୍‌ରେ ଆତଙ୍କ ଖେଳିଯାଇଛି । ସେହିପରି ଯେକୌଣସି ମୁହୂର୍ତ୍ତରେ ପୁଣି ବଡ଼ ଧରଣର ଆକ୍ରମଣ ହୋଇପାରେ ବୋଲି ଲୋକେ ଆଶଙ୍କା ମଧ୍ୟରେ ଅଛନ୍ତି ।

ପୂର୍ବରୁ ଗତ ରବିବାର ଝାପୋରଜିଆ ସହର ଉପରେ ବି ଋଷ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ । ସାଧାରଣ ଲୋକଙ୍କ ଉପରେ ଏଭଳି ଆକ୍ରମଣ ଅକ୍ଷମଣୀୟ ଅପରାଧ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭଲ୍‌ଦୋମିର ଜେଲେନ୍‌ସ୍କି । ତେବେ ଖାରକିଭ୍ ପରେ ଖେରସମ୍‌ରେ ଋଷ ସେନାକୁ ବିପର୍ଯ୍ୟୟ ପରେ କ୍ରିମିଆ ଉପରେ ନିୟନ୍ତ୍ରଣ ଦୃଢ଼ୀଭୁତ କରିବାକୁ ଚାହୁଁଛନ୍ତି ପୁତିନ୍ । ତେବେ କ୍ରିମିଆ ଅଞ୍ଚଳ ୟୁକ୍ରେନ ଉପରେ ଆକ୍ରମଣର ଲଞ୍ଚପ୍ୟାଡ୍ ହେବା ସହ ମୁଖ୍ୟ ଯୋଗାଣ ପଥ ହୋଇଥିବରୁ ଏହାକୁ ଋଷ ଠାରୁ ପୃଥକ କରିବାକୁ ଜୋରଦାର ପ୍ରୟାସ ଚଳାଇଛି ୟୁକ୍ରେନ ସେନା ।