• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ୟୁକ୍ରେନ୍‌ର ସୁମି ସହରରେ ଥିବା ଏକ ବିଲ୍ଡିଂ ଉପରେ ପ୍ରାୟ ୫ କ୍ୱିଣ୍ଟାଲ ଓଜନର ବୋମାମାଡ କରିଛି ରୁଷିଆ । ଏହି ବୋମାମାଡ ଯୋଗୁ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ସମ୍ପୃକ୍ତ ବିଲ୍ଡିଂ । ଫଳରେ ୨ଜଣ ଶିଶୁଙ୍କ ସମେତ ୧୮ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଜନବସତି ଅଞ୍ଚଳରେ ରୁଷ ସେନା ଆକ୍ରମଣ ଜାରି ରଖିଥିବା କହିଛନ୍ତି ୟୁକ୍ରେନ୍ ସରକାର । ତେବେ କୌଣସି ଜନବସତି ଅଞ୍ଚଳକୁ ସେନା ଟାର୍ଗେଟ୍ କରୁନାହିଁ ବୋଲି ବାରମ୍ବାର କହିଆସିଛି ରୁଷିଆ।

ଆଜି ଦିନ ତମାମ ରୁଷିଆ ଏବଂ ୟୁକ୍ରେନ୍ ସରକାରଙ୍କ ଅସ୍ତ୍ରବିରତି ଘୋଷଣା ହୋଇଛି । ୟୁକ୍ରେନ୍‌ରେ ଫସି ରହିଥିବା ସାଧାରଣ ଲୋକଙ୍କ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିବା ନେଇ ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୯ଟାରୁ ରାତି ୯ଟା ଅର୍ଥାତ ୧୨ ଘଣ୍ଟା ପର୍ଯ୍ୟନ୍ତ ୬ଟି ସ୍ଥାନରେ ଅସ୍ତ୍ରବିରତି ଘୋଷଣା ହୋଇଛି । କିଭ୍, ଇରପିନ୍, ବୁଚା ଭଳି ସ୍ଥାନରେ ଅସ୍ତ୍ରବିରତି ରହିଛି ।

ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଏଯାବତ୍ ପାଖାପାଖି ୨୦ ହଜାର ଭାରତୀୟଙ୍କୁ ସ୍ୱଦେଶକୁ ଅଣାଯାଇଛି । ଏହି ସମୟରେ ଅନ୍ୟଦେଶର ଫସିଥିବା ନାଗରିକଙ୍କୁ ଉଦ୍ଧାର ପାଇଁ ଭାରତ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଅପରେସନ ଗଙ୍ଗାରେ ବାଂଲାଦେଶର ୯ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଏଥିପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନେପାଳ, ଟ୍ୟୁନିସିଆର କିଛି ନାଗରିକଙ୍କୁ ମଧ୍ୟ ଭାରତ ପକ୍ଷରୁ ଉଦ୍ଧାର କରାଯାଇଛି ।

ସେପଟେ ଯୁଦ୍ଧର ବିଭୀଷିକା ମଧ୍ୟରେ ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷ ବେସାହାରା ହୋଇ ପଡିଛନ୍ତି । ଲକ୍ଷ ଲକ୍ଷ ଲୋକ ନିଜର ଆତ୍ମୀୟ ସ୍ୱଜନ, ଭିଟାମାଟିରୁ ଅଲଗା ହୋଇଯାଇଛନ୍ତି । ବିଶେଷକରି ୟୁକ୍ରେନର ରାଜଧାନୀ କିଭରେ ଦୃଶ୍ୟ ଅତ୍ୟନ୍ତ ଚିନ୍ତାଜନକ ହୋଇପଡିଛି । ଅନେକ ଲୋକ ନିଜର କୁନି କୁନି ପିଲାଙ୍କୁ ଧରି ୟୁକ୍ରେନ ସୀମା ଛାଡୁଥିବା ଦେଖିବାକୁ ମିଳିଛି । ଜାତିସଂଘର ଶରଣାର୍ଥୀ କମିଶନର ଏହି ସୂଚନା ଦେଇଛନ୍ତି ।