• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ନଂ ୨ ଓ ବନାମ ୨୨ ସୁପର ପାଓ୍ୱାର ରୁଷିଆ ସହ ଟକ୍କର ଦେଉଛି ଛୋଟିଆ ରାଷ୍ଟ୍ର ୟୁକ୍ରେନ୍ । ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପରେ ଦୁଇ ଦେଶର ସାମରିକ ଶକ୍ତି ଓ କ୍ଷମତାକୁ ନେଇ ଚାଲିଛି ଚର୍ଚ୍ଚା । ଗୋଟିଏ ପଟେ ବିଶ୍ୱର ଅନ୍ୟତମ ସୁପର ପାଓ୍ୱାର, ଅନ୍ୟପଟେ ଆକାର, ଜନସଂଖ୍ୟା, ସାମରିକ ଶକ୍ତି, ସବୁ ଦୃଷ୍ଟିରୁ ଛୋଟ ରାଷ୍ଟ୍ର ମଧ୍ୟରେ ଲଢେଇ । ଏସବୁ ପରେ ବି ଋଷିଆ ଆଗରେ ଆତ୍ମସମର୍ପଣ କରିବନି ବୋଲି ରୋକଠୋକ୍ କହିଛି ୟୁକ୍ରେନ । 

ଏବେର ଯୁଦ୍ଧ ସ୍ଥିତି ଭିତରେ ଚର୍ଚ୍ଚା, କଣ ରୁଷିଆର ବିଶାଳ ସାମରିକ ଶକ୍ତିକୁ ମୁକାବିଲା କରିପାରିବ ୟୁକ୍ରେନ୍ ? ଉତ୍ତର ଯାହା ବି ହେଉନା କାହିଁକି, ପୁଟିନଙ୍କ ନିଷ୍ପତ୍ତି ଆଗରେ କିନ୍ତୁ ମୁଣ୍ଡ ନୁଆଁଇନି ୟୁକ୍ରେନ୍ । ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଦେଖିଲେ, ଋଷ ପାଖରେ ୮ ଲକ୍ଷ ୫୦ ହଜାର ସୈନ୍ୟ ଥିବା ବେଳେ, ୟୁକ୍ରେନ ପାଖରେ ରହିଛିି ମାତ୍ର ୨ ଲକ୍ଷ ୫୦ ହଜାର ସୈନ୍ୟ । ଋଷ ପାଖରେ ୧୨ ହଜାର ୫ଶହ ଯୁଦ୍ଧ ଟ୍ୟାଙ୍କ୍ ଥିବା ବେଳେ ୟୁକ୍ରେନ ପାଖରେ ଅଛି ମାତ୍ର ୨ ହଜାର ୬ଶହ ଯୁଦ୍ଧ ଟ୍ୟାଙ୍କ୍ ।

ଋଷ ସେନା ପାଖରେ ଯୁଦ୍ଧ ବାହନ ସଂଖ୍ୟା ୩୦ ହଜାରରୁ ଅଧିକ କିନ୍ତୁ ୟୁକ୍ରେନ ପାଖରେ ଅଛି ମାତ୍ର ୧୨ ହଜାର । ଋଷ ସେନା ପାଖରେ ତୋପ ସଂଖ୍ୟା ୧୪ ହଜାର ଥିବା ବେଳେ ୟୁକ୍ରେନ ପାଖରେ ଅଛି ୩ ହଜାରରୁ ସାମାନ୍ୟ ଅଧିକ । ବାୟୁସେନା କ୍ଷମତା ଦୃଷ୍ଟିରୁ ୟୁକ୍ରେନ୍ ରୁଷିଆର ଆଦୌ ସମକକ୍ଷ ନୁହେଁ । ଋଷିଆ ନିକଟରେ ୪ ହଜାର ୧୦୦ ଏୟାରକ୍ରାଫ୍ଟ ଥିବା ବେଳେ ଲଢୁଆ ବିମାନ ସଂଖ୍ୟା ୭୭୨ । ତେବେ ୟୁକ୍ରେନ୍‌ର ୩୧୮ ଏୟାରକ୍ରାଫ୍ଟ ଭିତରୁ ଲଢ଼ୁଆ ବିମାନ ସଂଖ୍ୟା ମାତ୍ର ୬୯ ।

ସେହିପରି ଋଷ ବାୟୁସେନା ନିକଟରେ ୫୪୪ଟି ଲଢ଼ୁଆ ହେଲିକପ୍ଟର ଥିବା ବେଳେ ୟୁକ୍ରେନର ଅଛି ମାତ୍ର ୩୪ଟି ଲଢୁଆ ହେଲିକପ୍ଟର । ନୌସେନାର ସାମର୍ଥ୍ୟ କ୍ଷେତ୍ରରେ ୟୁକ୍ରେନ୍‌ଠୁ କିନ୍ତୁ ବେଶ୍ ଆଗରେ ରୁଷିଆ । ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟରକୁ ମିଶାଇ ଋଷର ଯୁଦ୍ଧପୋତ ସଂଖ୍ୟା ୬ଶହ ଥିବା ବେଳେ ୟୁକ୍ରେନ ପାଖରେ ରହିଛି ମାତ୍ର ୩୮ଟି ଯୁଦ୍ଧ ପୋତ । ସେହିଭଳି ୭୦ଟି ବୁଡ଼ା ଜାହାଜକୁ ନେଇ ରୁଷିଆ ନୌସେନା ବେଶ୍ ଶକ୍ତିଶାଳୀ ଥିବା ବେଳେ ୟୁକ୍ରେନର ଗୋଟିଏ ହେଲେ ବି ବୁଡ଼ାଜାହଜ ନାହିଁ । ତେବେ ୟୁକ୍ରେନ୍ ଆମେରିକାଠୁ ହାସଲ କରିଥିବା କିଛି ଆଣ୍ଟି ଟ୍ୟାଙ୍କ୍ ମିଜାଇଲ ରଖିଛି ଯାହା, ରୁଷୀୟ ଟ୍ୟାଙ୍କଗୁଡ଼ିକୁ ଟାର୍ଗେଟ୍ କରିବାରେ କ୍ଷମତା ରଖେ । ଯାହାକୁ ଜଣେ ସୈନିକ ନିଜ କାନ୍ଧରୁ ନିକ୍ଷେପ କରି ଯୁଦ୍ଧ ଟ୍ୟାଙ୍କକୁ ଧ୍ୱଂସ କରିପାରିବ ।

ସେପଟେ ଆନ୍ତର୍ଜାତିକ ଅସ୍ତ୍ରଶସ୍ତ୍ର କାରବାର ଉପରେ ନଜର ରଖୁଥିବା ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସିପ୍ରିର ସୂଚନା ଅନୁସାରେ ୨୦୨୦ରେ ରୁଷିଆର ବାର୍ଷିକ ପ୍ରତିରକ୍ଷା ଖର୍ଚ୍ଚ ୬୧ ଦଶମିକ ୭ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ୟୁକ୍ରେନ୍ ପ୍ରତିରକ୍ଷା ଏହାଠୁ ୧୦ ଗୁଣା କମ୍ ଅର୍ଥାତ ମାତ୍ର ୫ ଦଶମିକ ୯ ବିଲିୟନ ଡଲାର ।