• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରଥମେ ଚନବିଲ୍, ଆଉ ଏବେ ଜୋପାର୍ଜିଆ । ଋଷ ଟାର୍ଗେଟ୍‌ରେ ୟୁକ୍ରେନ୍‌ର ନ୍ୟୁକ୍ଲିୟର୍ ପାୱାରପ୍ଲାଣ୍ଟ୍ । ଗତରାତିରେ ଦେଶର ଦକ୍ଷିଣ ପୂର୍ବରେ ଥିବା ଜୋପାର୍ଜିଆ ନ୍ୟୁକ୍ଲିୟର୍ ପାୱାରପ୍ଲାଣ୍ଟକୁ ଆକ୍ରମଣ କରି କବ୍ଜା କରିଛି ଋଷୀୟ ସେନା । ତେବେ ଏହି ସମୟରେ ପ୍ଲାଣ୍ଟ ପରିସରରେ ନିଆଁ ଲାଗିଯିବାରୁ, ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ୬ଟି ରିଆକ୍ଟର ଥିବା ୟୁରୋପର ଏହି ସର୍ବବୃହତ ଆଣବିକ ଶକ୍ତିକେନ୍ଦ୍ରରେ ବିସ୍ପୋରଣ ଘଟିଥିଲେ, ସ୍ଥିତି ୧୯୮୬ ଚନବିଲ ଦୁର୍ଘଟଣାର ୧୦ ଗୁଣରୁ ଅଧିକ ଭୟାବହ ହୋଇଥାନ୍ତା ।

ତେବେ ୟୁକ୍ରେନ୍ର ଜରୁରୀକାଳୀନ ସେବା ଅଧିକାରୀ ପ୍ଲାଣ୍ଟ ପରିସର ଟ୍ରେନିଂ ବିଲ୍ଡିଂରେ ଅଗ୍ନିକାଣ୍ଡକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ପ୍ଲାଣ୍ଟର କୌଣସି ଯନ୍ତ୍ରାଂଶ କ୍ଷତିଗ୍ରସ୍ତ ହୋଇନି କି ତେଜସ୍କ୍ରିୟ ବିକିରଣର ମାତ୍ରା ଆଦୌ ବଢିନାହିଁ ବୋଲି କୁହାଯାଇଛି । ଘଟଣାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଋଷ ଉପରେ ଆହୁରି କଡ଼ା କଟକଣା ଲଗାଇବାକୁ ବିଶ୍ୱକୁ ଆହ୍ୱାନ ଦେଇଥିବା ବେଳେ, ନ୍ୟୁକ୍ଲିୟର୍ ପାୱାରପ୍ଲାଣ୍ଟ ନିକଟରେ ଲଢେଇ ତୁରନ୍ତ ବନ୍ଦ କରିବାକୁ କହିଛି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା IAEA ।

ରାଜଧାନୀ କିଭ୍ ଉପକଣ୍ଠରେ ଏକ ଜନବସତି ଉପରେ ବୋମାବର୍ଷିବା ପରେ ବାହାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ଘର ଆଉ ଘର ହୋଇ ନାହିଁ, ଭୂତକୋଠି ଭଳି ଲାଗୁଛି । ଅନେକ ଘର, ଅନୁଷ୍ଠାନ, ଅଫିସ୍, ରାସ୍ତାଘାଟ, ଯାନବାହନ, ଦୋକାନବାଜର ସବୁର ଦଶା ଖରାପ ହୋଇପଡିଛି । ୯ ଦିନର ଯୁଦ୍ଧରେ ୧୬୦ଟି ଶିକ୍ଷାନୁଷ୍ଠାନ ଋଷୀ ଆକ୍ରମଣର ଶିକାର ହେଲାଣି ।

 

ତେବେ ଗଲା ୪ ଦିନ ହେଲାଣି କିଭ୍‌ରେ ନପଶି, ସହର ବାହାରେ ୬୪ କିଲୋମିଟର ବାଟ ଶହ ଶହ ଋଷୀୟ ଯୁଦ୍ଧବାହନ ଅଟକି ରହିବାକୁ ନେଇ ସନ୍ଦେହ ଦେଖାଦେଇଛି । ଋଷୀୟ ସେନାର ଖାଦ୍ୟ, ଯୁଦ୍ଧାସ୍ତ୍ର ଓ ଇନ୍ଧନ ଆଦି ସମ୍ବଳ ସହ ମନୋବଳ ବି ସରିଆସିଲାଣି ବୋଲି ଚର୍ଚ୍ଚା ହେଉଛି । ଜବାବି ହମଲାରେ ୨୫୦ ଋଷୀୟ ଟ୍ୟାଙ୍କ୍ ଧ୍ୱଂସ ହୋଇଥିବା ବେଳେ ୧୦ ହଜାର ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ ଦାବି କରିଛି ।

ଗତକାଲିର ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୁଣି ନିଷ୍ଫଳ ହୋଇଥିବା ବେଳେ, କିଭ୍‌ରେ ଗୋପନରେ ଏକାଠି ହୋଇଛନ୍ତି ୩ଶହ ୟୁକ୍ରେନୀୟ ସାଂସଦ । ବିପଦସଂକୁଳ ସ୍ଥିତିରେ ଏକାଠି ହୋଇ ସୁରକ୍ଷା ଓ ପ୍ରତିରକ୍ଷା ଆଇନରେ ସଂଶୋଧନ ଆଣିଥିବା ବେଳେ, ସେହି ସମୟରେ ସମବେତ ଜାତୀୟ ସଂଗୀତ ଗାନର ଭିଡିଓ ଟୁଇଟ୍ କରିଛନ୍ତି ମହିଳା ସାଂସଦ ଲେସିଆ ଭାସିଲେଙ୍କୋ ।

ତେଣେ କୌଣସି ଋଷୀୟଙ୍କୁ ଆଗକୁ ଆସି ପୁଟିନଙ୍କୁ ହତ୍ୟା କରିବା ପାଇଁ ଆମେରିକୀୟ ସିନେଟର୍ ଲିଣ୍ତେନ୍ସ ଗ୍ରାହାମ୍ ଆହ୍ୱାନ ଦେବା ପରେ, ବାଇଡେନ୍ ପ୍ରଶାସନକୁ ବିଧିବଦ୍ଧ ଭାବେ ଜବାବ ମାଗିଛନ୍ତି ଋଷ ରାଷ୍ଟ୍ରଦୂତ । ଏଭିତରେ ଋଷ-ୟୁକ୍ରେନ୍ ଯୁଦ୍ଧ ବେଳେ ମାନବାଧିକାର ଉଲ୍ଲଂଘନ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ସପକ୍ଷରେ ଭୋଟ୍ ଦେଇଛି ଜାତିସଂଘ ମାନବାଧିକାର କାଉନ୍ସିଲ-UNHRC ।