• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆହୁରି ଘନେଇଲା ୟୁକ୍ରେନ ବିବାଦ । ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍‌ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆପଣାଇଛନ୍ତି ନୂଆ ଷ୍ଟ୍ରାଟେଜି । ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ । ୟୁକ୍ରେନର ଦୁଇ ବିବାଦୀୟ ଅଞ୍ଚଳକୁ ରୁଷିଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପରେ ଆମେରିକା ଦେଇଛି ଚେତାବନୀ । ଓ୍ୱାସିଂଟନ କହିଛି, ଏହାର ପରିଣତି ଭୟଙ୍କର ହେବ ।ମସ୍କୋର ଏହି ପଦକ୍ଷେପ ତାର ଯୁଦ୍ଧ ରଣନୀତିର ଏକ ଅଂଶବିଶେଷ । ଏହାର ପରିଣତି ୟୁକ୍ରେନ ସମେତ ୟୁରୋପ ଏପରିକି ସାରା ବିଶ୍ୱରେ ପଡ଼ିବ ବୋଲି ଚେତାବନୀ ଦେଇଛି ଆମେରିକା ।

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକା କହିଛି, ରୁଷ ଶାନ୍ତି ବାହିନୀ ନାଁରେ ୟୁକ୍ରେନରେ ଯେଉଁ ସେନା ମୁତୟନ କରିଛି, ତାହା ଯୁକ୍ତିଯୁକ୍ତ ନୁହେଁ । ଏହା ୟୁକ୍ରେନର ସାର୍ବଭୌମତ୍ୱ ଉପରେ ଆକ୍ରମଣ । ଅନ୍ତର୍ଜତୀୟ ଆଇନ ଉଲ୍ଲଂଘନ କରି ରୁଷ ଏପରି ପଦକ୍ଷେପ ନେବା ଦ୍ୱାରା ପୁରା ବିଶ୍ୱରେ ଶାନ୍ତି ବ୍ୟାହତ ହେବ ବୋଲି କହିଛି ଆମେରିକା । ୟୁକ୍ରେନର ପୂର୍ବାଞ୍ଚଳରେ ଅବସ୍ଥିତ ଦୁଇ ବିଦ୍ରୋହୀ ପ୍ରଦେଶକୁ ଋଷିଆ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିବା ପରେ ଉଭୟ ପ୍ରଦେଶ ଓ ମସ୍କୋ ବିରୁଦ୍ଧରେ ଅର୍ଥନୈତିକ କଟକଣା ଲଗାଇଛି ଆମେରିକା ।

ସେପଟେ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରି ସଂଯମ ରକ୍ଷା ପାଇଁ ଉଭୟ ପକ୍ଷଙ୍କୁ ଆହ୍ୱାନ ଦେଇଛି ଭାରତ । ଏହାସହ ୟୁକ୍ରେନରେ ରହୁଥିବା ୨୦ ହଜାରରୁ ଅଧିକ ଭାରତୀୟ ଓ ଛାତ୍ରଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି । ଖାଲି ସେତିକି ନୁହେଁ ୟୁକ୍ରେନ ସ୍ଥିତିକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବାହାର କରାଯାଉ ବୋଲି ଭାରତ ଚାହୁଁଥିବା ସେ କହିଛନ୍ତି ।

ସେ ଆଶା କରିଛନ୍ତି କି, ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଆଲୋଚନା ପରେ ନିଶ୍ଚିତ କିଛି ନା କିଛି ସମାଧାନର ବାଟ ବାହାରିବ । ଆଉ ଭାରତ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶାନ୍ତି ବଜାୟ ରଖିବା ପକ୍ଷରେ ଥିବା କଥା ରାଜନାଥ ସିଂ କହିଛନ୍ତି । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବଢୁଥିବା ବିବାଦକୁ ଦେଖି ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଅପେକ୍ଷା ନ କରି ତୁରନ୍ତ ସ୍ୱଦେଶ ଫେରି ଆସିବାକୁ କହିଛନ୍ତି ଭାରତ ସରକାର । ଏନେଇ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନାଗରିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ, ମେଡିକାଲ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଅନଲାଇନ କ୍ଲାସ ହେବ କି ନାହିଁ, ସେକଥାକୁ ନିଶ୍ଚିତ କରିବା ପାଇଁ ଅନେକ ଫୋନ କଲ୍ ଦୂତାବାସକୁ ଆସୁଛି । ତେବେ ସେମାନେ ଅନଲାଇନ କ୍ଲାସ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଅପେକ୍ଷା ନ କରି, ତୁରନ୍ତ ୟୁକ୍ରେନ ଛାଡ଼ିବା ଦରକାର ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।