• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷ ପାଖରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା । ଯାହାର ନାଁ ‘ଫାଦର ଅଫ୍‌ ଅଲ୍‌ ବମ୍‌’ । ଏହି ବୋମା ନିମିଷେକେ ପୁରା ଅଞ୍ଚଳକୁ କରିଦେବ ଛାରଖାର । ଏହାର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବ । ତେବେ ୟୁକ୍ରେନ୍‌ ସହ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦ୍‌ମିର୍‌ ପୁଟିନ୍‌ ଏହି ବୋମାକୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ସକାଳୁ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଋଷ ପକ୍ଷରୁ ଚାରିପଟୁ ଆକ୍ରମଣ କରାଯାଉଛି । ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରଥମେ ଆକ୍ରମଣ ପାଇଁ ଘୋଷଣା କରିଥିଲେ । ଏହାସହ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, କେହି ଋଷ ଓ ୟୁକ୍ରେନ୍‌ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ । ଯଦି କେହି ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି ତେବେ ପରିସ୍ଥିତି ଭୟାବହ ହେବ । ଏଭଳି ପରିଣାମ ହେବ ଯେ, ତାହା ପୂର୍ବରୁ କେବେ କେହି ଦେଖିନଥିବେ । ପୁଟିନ କହିଛନ୍ତି ଯେ, ପୂର୍ବ ୟୁକ୍ରେନର ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଏହି ଆକ୍ରମଣ ଆବଶ୍ୟକ ଥିଲା । ତେବେ ଋଷ ପକ୍ଷରୁ ୟୁକ୍ରେନ୍‌ ବିରୋଧରେ ଲଗାତର ମିସାଇଲ୍‌ ଆଟାକ୍‌ ଜାରି ରହିଛି । ୟୁକ୍ରେନର ଅନେକ ସ୍ଥାନରେ ବିସ୍ଫୋରଣ ଘଟିଛି ।

କେତେକ ବ୍ରିଟିଶ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ୟୁକ୍ରେନ ବିରୁଦ୍ଧରେ ଏହାକୁ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା ରହିଛି । ଏହି ବୋମା ବହୁତ ଶକ୍ତିଶାଳୀ, ଯାହା ବହୁ ପରିମାଣରେ ବିନାଶର କାରଣ ହୋଇପାରେ । ଏହି ‘ଫାଦର ଅଫ୍ ଅଲ୍ ବମ୍’ ବିଷୟରେ କୁହାଯାଇଛି ଯେ, ଏହା ଛୋଟ ଛୋଟ ପରମାଣୁ ବୋମା ସହ ସମାନ ।

କୁହାଯାଏ ଯେ, ଆମେରିକାର ମଦର ଅଫ୍‌ ଅଲ୍ ବମ୍ଠାରୁ ଋଷର ଫାଦର ଅଫ୍‌ ଅଲ୍ ବମ୍‌ ଅଧିକ ମାରାତ୍ମକ । ଏହାର ପ୍ରକୃତ ନାମ ହେଉଛି ଏଭିଏସନ୍‌ ଥର୍ମୋବେରିକ୍‌ ବମ୍‌ ଅଫ୍‌ ଇନକ୍ରିଜ୍‌ଡ ପାୱାର । ଋଷ ସେନା ପକ୍ଷରୁ ଏହାକୁ ୨୦୦୭ରେ ବିକଶିତ କରାଯାଇଥିଲା । ଏହାର ଓଜନ ୭ ହଜାର ୧୦୦ କିଲୋଗ୍ରାମ । ଏହା ଅତ୍ୟନ୍ତ ସାଂଘାତିକ ଏବଂ ବିନାଶକାରୀ ବିସ୍ଫୋରକ । ଯେତେବେଳେ ଏହାକୁ ବ୍ୟବହାର କରାଯାଏ ସେଥିରୁ ୪୪ଟନ୍‌ ଟିଏନ୍‌ଟିର ଉର୍ଜା ବାହାରିଥାଏ । ଏହି କାରଣରୁ ଏକ ବିରାଟ ଅଞ୍ଚଳ କ୍ଷଣିକ ମଧ୍ୟରେ ଧ୍ୱଂସ ହୋଇଯାଏ ।