• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୁଷର ଅସ୍ତ୍ରାଗାରରେ ଯୋଡ଼ି ହୋଇଛି ଅମୋଘ ଅସ୍ତ୍ର । ଏହା ଆକାଶରେ କି ଭୂପୃଷ୍ଠରେ ନୁହେଁ, ଆକ୍ରମଣ କରିବ ସମୁଦ୍ର ତଳେ । ଅଥଳ ସମୁଦ୍ରରେ ଘଟାଇବ ପରମାଣୁ ବିସ୍ଫୋରଣ । ଫଳରେ ଆସିବ ଭୟଙ୍କର ସୁନାମୀ । ବୁଡ଼ାଜାହାଜରୁ ପ୍ରୟୋଗ ହେବାକୁ ବ୍ୟବସ୍ଥା ଥିବା ଏଭଳି ଅସ୍ତ୍ରକୁ କୁହାଯାଉଛି ସୁପର୍ ଟର୍ପିଡୋ ପସାଇଡନ୍ (Poseidon)  । ତେବେ ଏଭଳି ଅସ୍ତ୍ରକୁ ରୁଷ(Russia) ସତରେ ତିଆରି କରିଛି କି ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ କହିଛନ୍ତି, ଏଭଳି ଅସ୍ତ୍ରକୁ ପୁତିନ ତିଆରି କରିଥିଲେ ବି ୟୁକ୍ରେନ୍ ବିରୋଧରେ ବ୍ୟବହାର କରିପାରିବେ ନାହିଁ .. ।

ପସାଇଡନ୍ ହେଉଛନ୍ତି ଗ୍ରୀକ୍ ପୁରାଣରେ ବର୍ଣ୍ଣିତ ସମୁଦ୍ର ଓ ଭୂକଂପର ଦେବତା । ପରମାଣୁ ଶକ୍ତି ସଂପନ୍ନ ପ୍ରଥମ ବ୍ୟାଚ୍ ସୁପର୍ ଟର୍ପିଡୋ ତିଆରି କରି, ସେହି ଦେବତାଙ୍କ ନାମରେ ନାମିତ କରିଛି ରୁଷ । କାରଣ ଏହି ଯୁଦ୍ଧାସ୍ତ୍ରର ବିଧ୍ୱଂସକାରୀ କ୍ଷମତା ବି କିଛି କମ୍ ନୁହେଁ । କୁହାଯାଉଛି, ହିରୋସୀମା ଉପରେ ପଡ଼ିଥିବା ପରମାଣୁ ବୋମାଠୁ ଏହା ଶହେ ଗୁଣ ଅଧିକ ଶକ୍ତିଶାଳୀ ।

ଏଭଳି ମହାବିନାଶକାରୀ ପରମାଣୁ ଯୁଦ୍ଧାସ୍ତ୍ରକୁ ଖୁବଶୀଘ୍ର ବିଶ୍ୱର ସର୍ବବୃହତ୍ ବୁଡ଼ାଜାହାଜ ବେଲ୍ଗରଡରେ ମୁତୟନ କରିବ ରୁଷ । ଏନେଇ ରୁଷର ସରକାରୀ ଗଣମାଧ୍ୟମ ସଂସ୍ଥା ତାସରେ ପ୍ରକାଶ ପାଇଥିବା ବେଳେ ଏହାକୁ ପ୍ରଥମେ ସାଟେଲାଇଟ୍ ଫଟୋରେ ଠାବ କରାଯାଇଥିଲା ।

ତେବେ ଏହାକୁ ବେଲ୍ଗରଡ୍ ନ୍ୟୁକ୍ଲିଅର ସବମେରିନରେ ଖଞ୍ଜାଗଲେ, ଶତ୍ରୁଦେଶର ତଟବର୍ତ୍ତୀ ସହରାଞ୍ଚଳ ପ୍ରତି ଘୋର ବିପଦ ମାଡ଼ି ଆସିବ । କାରଣ ଅପରାଜେୟ କୁହାଯାଉଥିବା ଏହି ସ୍ୱୟଂଚାଳିତ ଟର୍ପିଡୋ ପାଣି ତଳେ ଛପି ଛପି ଯିବ ଏବଂ ଟାର୍ଗେଟ୍ ନିକଟରେ ପାରମାଣବିକ ବିସ୍ଫୋରଣ କରିବ । ସେଭଳି ହେଲେ ସମୁଦ୍ରରେ ୧୬ଶହ ଫୁଟ୍ ଉଚ୍ଚ ଭୟଙ୍କର ତେଜସ୍କ୍ରିୟ ସୁନାମୀ ଆସିବ ଏବଂ ତଟବର୍ତ୍ତୀ ସହର ଗୁଡ଼ିକୁ ବୁଡ଼ାଇଦେବ । ଏହାକୁ ନାଟୋ ପକ୍ଷରୁ ଓ୍ୱିପନ୍ ଅଫ୍ ଆପୋକାଲିପ୍ସ ବା ସର୍ବନାଶୀ ଯୁଦ୍ଧାସ୍ତ୍ର ବୋଲି କୁହାଯାଇଛି ... ।

ୟୁକ୍ରେନ୍ ଯୁଦ୍ଧ ତଥା ଆମେରିକା ଏବଂ ୟୁରୋପୀୟ ଦେଶଙ୍କ ସହ ରୁଷର ତିକ୍ତତା ଚରମ ସୀମାରେ ଥିବା ବେଳେ ବାରମ୍ବାର ପରମାଣୁ ଆକ୍ରମଣ ନେଇ ଚେତାବନୀ ଦେଇ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତେଣୁ ଏହି ସୁପର୍ ଟର୍ପିଡୋ ତାଙ୍କ ଅସ୍ତ୍ରାଗାରର କ୍ଷମତାକୁ ବହୁଗୁଣ ବଢ଼ାଇଦେବ ବୋଲି ଅନୁମାନ କରାଯାଉଛି । ପସାଇଡନର ଏକାଧିକ ପରୀକ୍ଷଣ ମଧ୍ୟ ହୋଇସାରିଛି । ୨୦୧୮ରେ ଦେଶକୁ ଉଦବୋଧନ ବେଳେ ପ୍ରଥମେ ପସାଇଡନ୍ ସଂପର୍କରେ ଆଭାସ ଦେଇଥିଲେ ପୁଟିନ । ସେ ଏହାକୁ ଅଭିନବ ଯୁଦ୍ଧାସ୍ତ୍ର ବୋଲି କହିଥିଲେ ।

୨୪ ମିଟର ଲମ୍ବା ଏହି ସୁପର୍ ଟର୍ପିଡୋ ପସାଇଡଦର କ୍ଷମତା

ଏହା ସମୁଦ୍ରରେ ୧ହଜାର ମିଟର ଗଭୀର ଯାଏଁ ଯାଇପାରିବ । ନିଶାନା ଭେଦିବାକୁ ୧୦ ହଜାର କିଲୋମିଟର ଯାତ୍ରା କରିପାରିବ । ଏହାର ସର୍ବୋଚ୍ଚ ବେଗ ଘଣ୍ଟାପ୍ରତି ୯୦ କିଲୋମିଟର । ଏହା ଖୁବ୍ କମ୍ ଶବ୍ଦ କରୁଥିବାରୁ ଶତ୍ରୁର ରାଡାରକୁ ଚକମା ଦେଇପାରିବ । ୨ ମେଗାଟନ୍ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ । ବେଲଗରଡ୍ ବୁଡ଼ାଜାହାଜରେ ଏକାଥରେ ୮ଟି ପସାଇଡନ୍ ଟର୍ପିଡୋ ମୁତୟନ ହୋଇପାରିବ । ତେବେ ଏହାର ପ୍ରକୃତ କ୍ଷମତା ଯେପରି ବାହାରେ ପ୍ରଘଟ ନହୁଏ, ସେଥିପ୍ରତି ରୁଷ ବେଶ୍ ଯତ୍ନବାନ ରହିଛି ... ।

OTV is now on Whatsapp

Join and get latest news update delivered to you via whatsapp

Join Now