• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ ୟୁକ୍ରେନ ମଧ୍ୟରେ ୧୭ ଦିନର ଯୁଦ୍ଧ ଭୟାବହତା ଭିତରେ ଦେଖାଦେଇଛି ଘାତକ ଜୈବାସ୍ତ୍ର ପ୍ରୟୋଗର ଆଶାଙ୍କା । ୟୁକ୍ରେନ ଏଭଳି କାର୍ଯ୍ୟକ୍ରମ କରୁଥିବା ଏବଂ ଏଥିପାଇଁ ଆମେରିକା ଆର୍ଥିକ ସହାୟତା ଯୋଗାଉଥିବା ଋଷ ଦାବି କରିଥିବାବେଳେ ଏହାକୁ ଉଭୟ ୟୁକ୍ରେନ୍ ଏବଂ ଆମେରିକା ଖଣ୍ଡନ କରିଛନ୍ତି । ଆମେରିକା ବି ଋଷ ବିରୋଧରେ ପାଲଟା ଆରୋପ ଲଗାଇଛି । ଅନ୍ୟପକ୍ଷରେ ପୁତିନଙ୍କ ଆଗ୍ରହ ପରେ ୟୁକ୍ରେନର ବାୟୋ-ଓ୍ୱିପନ୍ ଲାବ୍ ଅଭିଯୋଗ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆଲୋଚନା ହେବ ।

ୟୁକ୍ରେନରେ ପ୍ରସ୍ତୁତ ହେଉନାହିଁ କୌଣସି ଜୈବିକ ଅସ୍ତ୍ର । ୟୁକ୍ରେନର ଜୈବିକ ଅସ୍ତ୍ର ପ୍ରସ୍ତୁତ ହେଇଥିବା ନେଇ ରୁଷର ଅଭିଯୋଗକୁ ଖଣ୍ଡନ କରିବା ସହ ଏହା କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଜେଲେନକି ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ, ଯଦି ଋଷିଆ ୟୁକ୍ରେନ୍ ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରେ ତେବେ ତା ବିରୋଧରେ ଆହୁରି କଡ଼ା କଟକଣା ଲାଗୁ କରାଯିବ । ଜେଲେନସ୍କି ଶୁକ୍ରବାର ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ତାଙ୍କ ଦେଶରେ ନା କୌଣସି ରସାୟନିକ ଅସ୍ତ୍ର ତିଆରି ହୋଇଛି ନା କୌଣସି ନରସଂହାର କରିବା ଭଳି ଅସ୍ତ୍ର ପ୍ରସ୍ତୁତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ପୁରା ଦୁନିଆ ଜାଣିଛି ରୁଷ୍ ୟୁକ୍ରେନ୍ ବିରୋଧରେ ଯଦି ଏପରି କିଛି ପଦକ୍ଷେପ ନିଏ ତେବେ ସେ ଏହା ବିରୋଧରେ ସବୁଠୁ ବଡ଼ ପ୍ରତିବନ୍ଧ ଲଗାଇବେ ।

ୟୁକ୍ରେନ୍, ଆମେରିକା ସମର୍ଥନରେ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିବା ଏବଂ ୟୁକ୍ରେନରେ ଜୈବାସ୍ତ୍ର ଗବେଷଣା ପାଇଁ ପରୀକ୍ଷାଗାର ରହିଥିବା ରୁଷ୍ ଅଭିଯୋଗ ଆଣିଥିଲା । ଅନ୍ୟପକ୍ଷରେ ଆମେରିକା ଏହାକୁ ଖଣ୍ଡନ କରିବା ସହ ପାଲଟା ଆରୋପ ଲଗାଇଥିଲା । ହ୍ୱାଇଟହାଉସ ପକ୍ଷରୁ କୁହାଯାଇଥିଲା ଯେ, ଋଷ ଆମେରିକା ବିରୋଧରେ ଏଭଳି ଅଭିଯୋଗ ଆଣିବା ସଙ୍କେତ ଦେଉଛି ଯେ, ମସ୍କୋ ନିଜେ ଖୁବ ଶୀଘ୍ର ଏହି ଅସ୍ତ୍ର ପ୍ରୟୋଗ କରିପାରେ । ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି, ୟୁକ୍ରେନରେ ଆମେରିକା ରାସାୟନିକ ଏବଂ ଜୈବାସ୍ତ୍ର ପ୍ରୟୋଗ କାର୍ଯ୍ୟକଳାପ ଚଳାଇଛନ୍ତି ବୋଲି କ୍ରେମଲିନ ଉଦ୍ଦେଶ୍ୟମୂଳକ ଭାବେ ମିଛ ପ୍ରଚାର କରୁଛି ।

ୟୁକ୍ରେନରେ ନିଜର ଏହି ବିଧ୍ୱଂସକାରୀ ତଥା ଭୟାବହ ଚକ୍ରାନ୍ତ ସଫଳ କରିବାକୁ ଋଷ ମିଛ ବାହାନାର ସାହାରା ନେଉଛି । ହ୍ୱାଇଟ୍ ହାଉସର ପ୍ରେସ୍ ସଚିବ ଜେନ୍ ସାକି ମଧ୍ୟ ରୁଷର ଏଭଳି ଦାବିକୁ ଅବାନ୍ତର ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ସରକାରୀ ଅଧିକାରୀମାନେ ବି ରୁଷ୍ ଏଭଳି ଷଡଯନ୍ତ୍ର କରୁଥିବା କହୁଛନ୍ତି । ୟୁକ୍ରେନ୍ ଯୁଦ୍ଧ ପରେ ପରମାଣୁ ଯୁଦ୍ଧାସ୍ତ୍ରକୁ ନେଇ ଋଷ-ଆମେରିକା ମୁହାଁମୁହିଁ ହୋଇଥିବା ବେଳେ ଏବେ ଜୈବିକ ଅସ୍ତ୍ର ବି ବିତର୍କର ପ୍ରସଙ୍ଗ ପାଲଟିଛି ।