• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧୁମଧାମରେ ପଶ୍ଚିମବଙ୍ଗରେ ପାଳନ ହେଉଛି ଦୁର୍ଗାପୂଜା । ସବୁ ଥର ପରି ଏଥର ବି ବିଭିନ୍ନ ପ୍ରକାର ଥିମରେ ପୂଜା ମଣ୍ଡପ ତିଆରି ହୋଇଛି । ତେବେ କେବଳ ପରମ୍ପରା କିମ୍ବା ମନୋରଞ୍ଜନ ପାଇଁ ସେଠାରେ ମା’ଙ୍କର ପୂଜା କରାଯାଏ ନାହିଁ । ରାଜ୍ୟର ଅର୍ଥନୀତି ସିଧାସଳଖ ଭାବରେ ଏହା ଉପରେ ନିର୍ଭରଶୀଳ କହିଲେ ଚଳେ । ପ୍ରତିବର୍ଷ ପୂଜା ସମୟରେ ପଶ୍ଚିମବଙ୍ଗରେ ୪୦ ହଜାର କୋଟି ଟଙ୍କାର ବ୍ୟବସାୟ ହେଉଥିବା ସୂଚନା ମିଳିଛି ।

ମେଢ଼ ଠାରୁ ଆରମ୍ଭ କରି ମା’ଙ୍କ ପ୍ରତିମୂର୍ତ୍ତି ଓ ଅନ୍ୟାନ୍ୟ ସାଜସଜ୍ଜା ପାଇଁ ଏତେ ଟଙ୍କା କାରବାର ହୋଇଥାଏ । କେବଳ ଏତିକି ନୁହେଁ ମା’ଙ୍କ କାମ ଯୋଗୁ ଲୋକ ରୋଜଗାର ମଧ୍ୟ ପାଉଛନ୍ତି । ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ମିଳୁଛି । ରାଜ୍ୟରେ ପ୍ରତିବର୍ଷ ୪୦ ହଜାର ପେଣ୍ଡାଲରେ ପୂଜା ହେଉଛି । ୩ ରୁ ୪ ମାସ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ ପୂଜା କାମ । ପ୍ରାୟ ଅଢ଼େଇରୁ ତିନି ଲକ୍ଷ ଲୋକ ଏଥିରେ ସାମିଲ ହୋଇଥାଆନ୍ତି । ପୂଜା କମିଟି ଗୁଡ଼ିକ ଛୋଟଛୋଟ ଉଦ୍ୟୋଗ ଭାବେ କାମ କରିବା ସହ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି ।

ଅନ୍ୟପଟେ ପୂଜା ପାଇଁ ୩ରୁ ୪ ମାସ ଆର୍ଥିକ କାରବାର ବେଶ ଭଲ ରହିଥାଏ ବୋଲି ସୂଚନା ଦେଇଛନ୍ତି ୪୦୦ଟି ପୂଜା କମିଟିକୁ ନେଇ ଗଠିତ ଫୋରମ ଫର ଦୁର୍ଗା ଉତ୍ସବର ଅଧ୍ୟକ୍ଷ ପାର୍ଥ ଘୋଷ । ସେ ଦକ୍ଷିଣ କୋଲକାତାର ଶିବ ମନ୍ଦିର ସାର୍ବଜନୀନ ଦୁର୍ଗା ପୂଜାର ଜଣେ ଆୟୋଜକ ମଧ୍ୟ । ସେ କହିଛନ୍ତି, ୫ ଦିନ ଧରି ମା’ଙ୍କ ପୂଜା ପାଇଁ ବିଭିନ୍ନ କ୍ଷେତ୍ରରେ ଲୋକମାନେ ସାମିଲ ହୁଅନ୍ତି । ପେଣ୍ଡାଲ ତିଆରି, ମା’ଙ୍କ ପ୍ରତିମୂର୍ତ୍ତି, ଇଲେକ୍ଟ୍ରିସିଆନ, ସିକ୍ୟୁରିଟି ଗାର୍ଡ, ପଣ୍ଡିତ, ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଉଥିବା ଲୋକ, ଶ୍ରମିକ, ଭୋଗ ଓ କ୍ୟାଟିନ ଭଳି କାମ ପାଇଁ ଲୋକଙ୍କୁ ନିଯୁକ୍ତି ଦିଆଯାଇଥାଏ ।

 ପରମ୍ପରା ବଙ୍ଗରେ ଦୁର୍ଗାପୂଜା ପାଳନ ହେଉଥିବା ବେଳେ ଏହାଦ୍ୱାରା ଅନେକ ଲୋକ ଲାଭ ପାଉଛନ୍ତି । କେବଳ ଯେ ଦୁର୍ଗାପୂଜା ସହ ଜଡ଼ିତ ଲୋକଙ୍କୁ ନିଯୁକ୍ତି ମିଳୁଛି ତାହା ନୁହେଁ, ବରଂ ଫ୍ୟାଶନ, ଟେକ୍ସଟାଇଲ୍ସ, ଜୋତା, ପୋଷାକ, କସମେଟିକ ଓ ବିଭିନ୍ନ ଖୁଚୁରା ବ୍ୟବସାୟ କରୁଥିବା ଲୋକମାନେ ବି ରୋଜଗାର କ୍ଷମ ହେଉଛନ୍ତି । କାରଣ ପୂଜା ବେଳେ ଲୋକମାନେ ଏହି ସବୁ ଜିନିଷ ଅଧିକ ମାତ୍ରାରେ କିଣନ୍ତି । ଏହାବାଦ ବିଭିନ୍ନ ବହି, ବିଜ୍ଞାପନ, ଟୁର ଆଣ୍ଡ ଟ୍ରାଭେଲ, ହୋଟେଲ, ରେଷ୍ଟୁରାଣ୍ଟ, ଫିଲ୍ମ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ର ମଧ୍ୟ ଏହି ୫ ଦିନ ମଧ୍ୟରେ ବହୁତ ଭଲ ରୋଜଗାର କରିବାକୁ ସକ୍ଷମ ହୁଅନ୍ତି ।