• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାମଚଳା ରାଷ୍ଟ୍ରପତିରୁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହେଲେ ରାନିଲ୍‌ ବିକ୍ରମାସିଂଘେ । ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଭିତରେ ନୂଆ ରାଷ୍ଟ୍ରମୁଖ୍ୟ ଚୟନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ମଧ୍ୟ ଆଜି ସଂସଦରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶ୍ରୀଲଙ୍କା ସଂସଦ ବାହାରେ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଥିଲା।

ରାନିଲ୍‌ ବିକ୍ରମାସିଂଘେଙ୍କୁ ୧୩୪ଟି ଭୋଟ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଦୁଲାସ ଆଲାପେରୁମ୍ମା ପାଇଛନ୍ତି ୮୨ଟି ଭୋଟ । ପାର୍ଲାମେଣ୍ଟର ମୋଟ ୨୨୫ ସାଂସଦଙ୍କ ମଧ୍ୟରୁ ୨୨୩ ଜଣ ଭୋଟ ଦେଇଛନ୍ତି । ଗୋଟାବାୟାଙ୍କ ବାକି କାର୍ଯ୍ୟକାଳ ସରିବା ଯାଏଁ ରାନିଲ ରାଷ୍ଟ୍ରପତି ରହିବେ । ଅର୍ଥାତ ନଭେମ୍ବର ୨୦୨୪ ଯାଏ ଏହି ପଦରେ ରହିବେ ରାନିଲ ।

ସେ ଆଗରୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ତେଣୁ ଦେଶ ଚଳାଇବାର ଅଭିଜ୍ଞତା ତାଙ୍କର ଅଛି । ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କ ପ୍ରଥମ ଚ୍ୟାଲେଞ୍ଜ ହେବ, ଦେଶରେ ରାଜନୈତିକ ସ୍ଥିରତା ଫେରାଇ ଆଣିବା । ତା ସହିତ ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ସହିତ ଆର୍ଥିକ ସଂକଟର ମୁକାବିଲା କରିବା । ଶ୍ରୀଲଙ୍କାରେ ଆର୍ଥିକ ସଂକଟ, ତା ପରେ ପରେ ବିକ୍ଷୋଭ, ରାଜନୈତିକ ଅସ୍ଥିରତା ପରେ ଗୋଟାବାୟା ଦେଶ ଛାଡ଼ି ପଳାଇଥିଲେ ।

ବିକ୍ରମାସିଂଘେଙ୍କ ବିରୋଧରେ ପ୍ରଦର୍ଶନ

ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ମତଦାନ ଚାଲିଥିବାବେଳେ ଅନ୍ୟପକ୍ଷରେ କଲମ୍ବୋରେ ରାଷ୍ଟ୍ରପତିଙ୍କ ସଚିବାଳୟରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କ ବିରୋଧରେ ଜନସାଧାରଣ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ।

୪୪ ବର୍ଷରେ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନ

୪୪ ବର୍ଷରେ ପ୍ରଥମ ଥର ପାଇଁ ଆଜି ଶ୍ରୀଲଙ୍କା ସଂସଦରେ ପ୍ରତ୍ୟକ୍ଷ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କ ବ୍ୟତୀତ ଦୁଲାସ ଆଲାପେରୁମ୍ମା ଏବଂ ଅନୁରା କୁମାରା ମଇଦାନରେ ଥିଲେ । ୨୨୫ ସଦସ୍ୟ ବିଶିଷ୍ଟ ସଦନରେ ମ୍ୟାଜିକ୍ ନମ୍ବର ପାଇଁ ୧୧୩ ଭୋଟ୍ ଆବଶ୍ୟକ ଥିଲା । ତେବେ ରାନିଲ୍‌ ବିକ୍ରମାସିଂଘେଙ୍କୁ ୧୩୪ ଭୋଟ ମିଳିଛି ।