• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଣୀ ହେବା ପରେ ୩ ଥର ଭାରତ ଗସ୍ତରେ ଆସିଛନ୍ତି ଏଲିଜାବେଥ୍ ଦ୍ୱିତୀୟ । ଯଦିଓ ୧୯୫୨ରେ ବ୍ରିଟେନର ରାଣୀ ଭାବେ ଅଭିଷିକ୍ତ ହେବା ବେଳକୁ ଭାରତ ସ୍ୱାଧୀନ ହୋଇ ସାରିଥିଲା, ତଥାପି ଭାରତ ସହ ଭଲ ସଂପର୍କ ରଖିବାକୁ ପ୍ରୟାସ କରିଥିଲେ ସେ । କେତେବେଳେ ସେ ନିଜେ ଅତିଥି ହୋଇ ଭାରତ ଆସିଥିଲେ ତ ଆଉ କେତେବେଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବକିଂହାମ୍ ପ୍ୟାଲେସ୍ ଆସିବାକୁ ନିମନ୍ତ୍ରଣ କରିଥିଲେ । ଏଣେ ଏଲିଜାବେଥଙ୍କ ଦେହାନ୍ତ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଆସନ୍ତା ରବିବାର ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ଏଲିଜାବେଥ୍ ଦ୍ୱିତୀୟ ପ୍ରଥମେ ଭାରତ ଆସିଥିଲେ ୧୯୬୧ ମସିହାରେ । ଏଲିଜାବେଥଙ୍କ ଜେଜେବାପା କିଙ୍ଗ୍ ଜର୍ଜ ପଞ୍ଚମ ୧୯୧୧ରେ ଆସିଥିଲେ ଭାରତ, ଆଉ ତା ପରେ ୫୦ ବର୍ଷ ଯାଏଁ କୌଣସି ବ୍ରିଟିଶ ରାଜା କିମ୍ବା ରାଣୀ ଭାରତରେ ପାଦ ଦେଇନଥିଲେ । ଏଲିଜାବେଙ୍କ ୧୯୬୧ ଗସ୍ତ ପର୍ଯ୍ୟନ୍ତ ୧୯୬୧ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅତିଥି ହୋଇ ଆସିବା ପରେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ । ଏଲିଜାବେଥଙ୍କ ସାଥିରେ ଆସିଥିଲେ ସ୍ୱାମୀ ପ୍ରିନ୍ସ ଫିଲିପ୍ । ରାମଲୀଳା ମୈଦାନରେ ବିଶାଳ ଜନସମାବେଶକୁ ସମ୍ବୋଧନ କରିଥିଲେ କୁଇନ୍ ଏଲିଜାବେଥ୍ । ଏହାପରେ ସେ ଜୟପୁରରେ ମହାରାଜା ସଓ୍ୱାଇ ମାନସିଂ ଦ୍ୱିତୀୟଙ୍କ ସହ ହାତୀ ପିଠିରେ ବସିଥିଲେ । ପରେ ଆଗ୍ରା ତାଜମହଲ, ବାରଣାସୀ, ବମ୍ବେ, ମାଡ୍ରାସ୍ ମଧ୍ୟ ଯାଇଥିଲେ ।

ଏହାପରେ ୧୯୮୩ରେ ଭାରତ ଆସି ଇନ୍ଦିରା ଗାନ୍ଧି ଓ ମଦର ଟେରେସାଙ୍କୁ ଭେଟିଥିଲେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟ । ଏହାପରେ ଭାରତ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୭ରେ ମଧ୍ୟ ସେ ପୁଣିଥରେ ଭାରତ ଗସ୍ତରେ ଆସିଥିଲେ । ସେଥର ସେ ଯାଇଥିଲେ ପଞ୍ଜାବର ସ୍ୱର୍ଣ୍ଣମନ୍ଦିର ଓ ଜାଲିଆଁଓ୍ୱାଲା ବାଗ୍ । ଜାଲିଆଁଓ୍ୱାଲା ବାଗ୍ ଗସ୍ତରେ ଯାଇ ଏଲିଜାବେଥ୍ ୧୯୧୯ର ଗଣହତ୍ୟାକୁ ବ୍ରିଟିଶ ସାମ୍ରାଜ୍ୟବାଦର ଦୁଃଖଦ ଅଧ୍ୟାୟ ଥିଲା ବୋଲି କହିଥିଲେ ।

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ମୋଦି ନିଜର ବ୍ରିଟେନ୍ ଗସ୍ତ ବେଳେ ମହାରାଣୀଙ୍କୁ ଭେଟିଥିବା ସମୟର ମୁହୂର୍ତ୍ତକୁ ମନେ ପକାଇଛନ୍ତି । ୨୦୧୫ ଓ ୨୦୧୮ରେ ବ୍ରିଟେନ୍ ଗସ୍ତରେ ଏଲିଜାବେଥଙ୍କୁ ଭେଟିଥିଲେ ମୋଦି । ଗୋଟିଏ ଥର ସେ ମୋଦିଙ୍କୁ ଏକ ରୁମାଲ୍ ଦେଖାଇଥିଲେ, ଯାହାକି ତାଙ୍କୁ ତାଙ୍କ ବିବାହ ବେଳେ ମହାତ୍ମା ଗାନ୍ଧି ଉପହାର ଦେଇଥିଲେ ।