• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନର ରାଜ ପରିବାରର ରହିଛି ବଡ଼ ଭୂମିକା । ଦେଶରେ ନିର୍ବାଚିତ ସରକାର ଥିଲେ ସୁଦ୍ଧା ରାଜ ପରିବାରର ସମ୍ମାନାର୍ଥେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରଦାନ କରାଯାଇଥାଏ । ଭାରତରେ ରାଷ୍ଟ୍ରପତିଙ୍କ ପରି ଭୂମିକା ବ୍ରିଟେନର ରାଣୀ ତୁଲାଇଥାନ୍ତି । ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ଭଳି କ୍ଷମତା ମହାରାଣୀଙ୍କ ନିକଟରେ ରହିଥାଏ । ବିଦେଶୀ ଅତିଥିଙ୍କୁ ଆତିଥ୍ୟତା ଦେବା ସହ ପ୍ରଧାନମନ୍ତ୍ରୀଙ୍କ ସହ ସାପ୍ତାହିକ ବୈଠକ କରିପାରିବେ ସେ ।

ତେବେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଜୀବନ କେମିତି ସଂଯୋଗ ବଶତଃ ପାଇଥିଲେ ରାଣୀ ହେବାର ସୌଭାଗ୍ୟ ?

ଯିଏ ଦିନେ ରାଣୀ ହେବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ, ସେ ବନିଗଲେ ବ୍ରିଟେନ୍ ରାଜବଂଶର ସର୍ବାଧିକ କାଳ ଶାସନ କ୍ଷମତାରେ ଥିବା ମହାରାଣୀ । ଏଲିଜାବେଥ୍ ଦ୍ୱିତୀୟ ଜନ୍ମ ନିଅନ୍ତି ନିଜ ଅଜାଆଈଙ୍କ ଲଣ୍ଡନ୍ ମେଫେୟାର୍ ବ୍ରୁଟନଷ୍ଟ୍ରିଟ୍ ସ୍ଥିତ ଘରେ । ତାରିଖ ଥାଏ ଏପ୍ରିଲ ୨୧ ୧୯୨୬ ମସିହା । କିଙ୍ଗ୍ ଜର୍ଜ ଷଷ୍ଠ ଏବଂ ମା ଏଲିଜାବେଥଙ୍କ ଏହି ପ୍ରଥମ ସନ୍ତାନଙ୍କ ନାଁ ନିଜ ମାଆଙ୍କ ଅନୁସାରେ ରଖାଯାଏ- ଏଲିଜାବେଥ୍ ଆଲେକଜାଷ୍ଟ୍ରା ମେରି । ପରେ ନିଜଠୁ ୩ ବର୍ଷ ସାନ ଭଉଣୀ ମାର୍ଗାରେଟଙ୍କ ସହ ଘରେ ରହି ପାଠ ପଢ଼ନ୍ତି ଏଲିଜାବେଥ୍ ଦ୍ୱିତୀୟ । ସେତେବେଳେ କେହି ବି ଭାବିନଥିଲେ ଯେ ଏହି ପରିବାରର କୌଣସି ସଦସ୍ୟ ରାଜା କି ରାଣୀ ବନିବେ । କାରଣ ୧୯୩୬ ଜାନୁଆରୀରେ ଜର୍ଜ ପଞ୍ଚମଙ୍କ ଦେହାନ୍ତ ପରେ ବଡ଼ ପୁଅ ଭାବେ ରାଜା ହୋଇଥାନ୍ତି କିଙ୍ଗ୍ ଏଡ୍ଓ୍ୱାର୍ଡ ଅଷ୍ଟମ । ହେଲେ ରାଜ୍ୟାଭିଷେକ ପରେ ପରେ ସେହି ବର୍ଷ ଘଟିଲା ଏକ ବଡ଼ ଘଟଣା ।

ପୂର୍ବରୁ ଦୁଇ ଦୁଇଥର ଛାଡ଼ପତ୍ର ଦେଇସାରିଥିବା ଜଣେ ମହିଳାଙ୍କୁ ବିବାହ କଲେ ଏଡ୍ଓ୍ୱାର୍ଡ ଅଷ୍ଟମ । ଏହା ରାଜବଂଶର ନିୟମ ବିରୋଧୀ ଥିବାରୁ ତାଙ୍କୁ ରାଜପଦ ଛାଡ଼ିବାକୁ ପଡ଼ିଲା ଏବଂ ନୂଆ ରାଜା ହେଲେ ଏଲିଜାବେଥ୍ ଦ୍ୱିତୀୟଙ୍କ ବାପା କିଙ୍ଗ୍ ଜର୍ଜ ଷଷ୍ଠ । ଆଉ ୧୯୫୨ ମସିହାରେ ଯେତେବେଳେ ଜର୍ଜଙ୍କ ମୃତ୍ୟୁ ହେଲା, ସେତେବେଳେ ତାଙ୍କ ବଡ଼ ଝିଅ ଭାବେ ବ୍ରିଟେନର ରାଣୀ ବନିଲେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟ । ସେତେବେଳେ ତାଙ୍କୁ ବୟସ ମାତ୍ର ୨୬ । ୧୯୫୩ରେ ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହେଲା କମନୱେଲ୍ଥର କୁଇନ୍ ଭାବରେ । ନିଜ ଶାସନକାଳରେ ୩୨ଟି ରାଷ୍ଟ୍ରର ରାଣୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି କୁଇନ୍ ଏଲିଜାବେଥ୍ ଦ୍ୱିତୀୟ । ମୃତ୍ୟୁ ବେଳକୁ ସେଥିରୁ ୧୫ଟି ତାଙ୍କ ଅଧୀନରେ ଥିଲା ।

ବ୍ୟକ୍ତିଗତ ଜୀବନ କଥା କହିଲେ, ଉଭୟ ସମ୍ଭ୍ରମ ଓ ମଜାକିଆ ଥିଲେ ରାଣୀ ଏଲିଜାବେଥ୍ ଦ୍ୱିତୀୟ । ୧୯୩୯ରେ ରୟାଲ୍ ନେଭିରେ କାର୍ଯ୍ୟରତ ପ୍ରିନ୍ସ ଫିଲିପଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା ଏବଂ ସେମାନେ ୧୯୪୭ରେ ବିବାହ କରିଥିଲେ । ସେମାନଙ୍କର ୪ ସନ୍ତାନ । ପ୍ରିନ୍ସ ଚାର୍ଲସ, ଯିଏ କି ଏବେ କିଙ୍ଗ୍ ଚାର୍ଲସ୍ ହୋଇଛନ୍ତି । ତାଙ୍କ ତଳକୁ ପ୍ରିନସେସ୍ ଆନେ, ପ୍ରିନ୍ସ ଆଣ୍ଡୁ ଏବଂ ପ୍ରିନ୍ସ ଏଡ୍ଓ୍ୱାର୍ଡ । ୨୦୨୧ ଏପ୍ରିଲରେ ସ୍ୱାମୀ ଫିଲିପଙ୍କର ୯୯ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା ।