• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯେମିତି ସୁନ୍ଦର, ସେମିତି ଭବ୍ୟ... କୁଇନ୍ ଏଲିଜାବେଥ୍ ଦ୍ୱିତୀୟ ଙ୍କ ରାଜକୀୟ କଫିନ୍ । ରୟାଲ୍ ଷ୍ଟାଣ୍ଡାର୍ଡ ଫ୍ଲାଗରେ ଘୋଡ଼ା ହୋଇଥିବା କଫିନକୁ କେବେ ତିଆରି କରାଯାଇଥିଲା, ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ କାହାକୁ ବି ଜଣାନାହିଁ । ତେବେ କୁହାଯାଉଛି ଯେ ଏହା ଅତି କମରେ ୩୦-୩୨ ବର୍ଷ ପୁରୁଣା । ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁର ୩ ଦଶନ୍ଧି ଆଗରୁ ତିଆରି ହୋଇସାରିଥିଲା ତାଙ୍କ କଫିନ୍ ।

କଫିନ୍ ନିର୍ମାଣକାରୀ ସଂସ୍ଥା ହେନରି ସ୍ମିଥ୍ ଦ୍ୱାରା ନିର୍ମିତ ଏହି କଫିନ୍ ୧୯୯୧ ମସିହା ବେଳକୁ ଆସିଥିଲା ଲଣ୍ଡନର ଅଣ୍ଡର୍ଟେକର୍ ବା ରାଜକୀୟ ଶେଷକୃତ୍ୟର ପରିଚାଳନା କରୁଥିବା ଲିଭର୍ଟନ୍ ଆଣ୍ଡ୍ ସନ୍ସ ସଂସ୍ଥା ହାତକୁ । ସାଧାରଣତଃ ଏବେ କଫିନ୍ ଗୁଡ଼ିକ ଆମେରିକାନ୍ ଓକ୍ କାଠରେ ତିଆରି ହେଉଥିବା ବେଳେ ରାଣୀଙ୍କ କଫିନ୍ ତିଆରି ହୋଇଛି ଇଂଲିଶ୍ ଓକ୍ କାଠରେ, ଯାହାକି ଏବେ ଖୁବ୍ ଦୁର୍ଲଭ । ରାଜପରିବାରର ସାଣ୍ଡ୍ରିଙ୍ଗହମ୍ ଇଷ୍ଟେଟ୍ ପରିସରରେ ଥିବା ଇଂଲିଶ୍ ଓକ୍ କାଠରୁ ଏହାକୁ ତିଆରି କରାଯାଇଥିଲା ୩ ଦଶନ୍ଧି ତଳେ ।

ଖାଲି ସେତିକି ନୁହେଁ, ଏହି ଓକ୍ କାଠରେ ତିଆରି କଫିନ୍ ଭିତର ପଟେ ସୀସାର ଏକ ପରସ୍ତ ଦେଇ ଏହାକୁ ନିବୁଜ କରି ଦିଆଯାଇଛି । ଶତାଧିକ ବର୍ଷର ରାଜପରଂପରା ଅନୁସାରେ ଏଭଳି ସୀସା ପରସ୍ତ ଦିଆଯିବା ଯୋଗୁଁ ମରଶରୀର ଅଧିକ ଦିନ ସଂରକ୍ଷିତ ହୋଇ ରହିବ ଏବଂ ଶୀଘ୍ର ନଷ୍ଟ ହେବ ନାହିଁ ।ସୀସା ଲାଗିବା ଫଳରେ ଏହାର ଓଜନ ଢେର୍ ବଢ଼ିଯାଇଛି ।

କୁହାଯାଉଛି, ଏବେ କଫିନର ଓଜନ ଥିବ ୨୫୦ରୁ ୩ଶହ କିଲୋଗ୍ରାମ୍ ଭିତରେ । ସାଧାରଣ ଭାବେ କଫିନ୍ ବୋହିବା ପାଇଁ ୬ ଜଣ ଆବଶ୍ୟକ ପଡ଼ୁଥିବା ବେଳେ ଏହି ଓଜନିଆ ରାଜକୀୟ କଫିନକୁ ୮ ଜଣ ବୋହିଥାନ୍ତି । କଫିନର ହ୍ୟାଣ୍ଡେଲ୍ ଗୁଡ଼ିକ କଂସାରେ ତିଆରି । କଫିନ୍ ଉପରେ ରାଜମୁକୁଟ, ରାଜଦଣ୍ଡ ଓ ଅର୍ବ୍ ଆଦି ରଖାଯାଉଥିବାରୁ ଏହାର ଢାଙ୍କୁଣିକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥାଏ । ଏତେ ସବୁ ବୈଶିଷ୍ଟ୍ୟକୁ ନେଇ ରାଜକୀୟ କଫିନକୁ ଗୋଟିଏ ଦିନରେ ତିଆରି କରିବା ସମ୍ଭବ ନୁହେଁ । ତେଣୁ ଏହାକୁ ବହୁ ଆଗରୁ ତିଆରି କରି ରଖାଯାଇଥାଏ ।

ଆଉ ଏକ ରୋଚକ କଥା ହେଉଛି ଯେ, ନିଜ କଫିନକୁ ଯେପରି ଜନସାଧାରଣ ଭଲଭାବେ ଦେଖିପାରିବେ, ସେଥିପାଇଁ ତାକୁ ଏକ ଜାଗୁଆର୍ ଲ୍ୟାଣ୍ଡ୍ ରୋଭର୍ ଗାଡ଼ିରେ ନିଆଯିବ ବୋଲି ମୃତ୍ୟୁର ଯଥେଷ୍ଟ ପୂର୍ବରୁ ବାଛି ରଖିଥିଲେ ଏଲିଜାବେଥ୍ । ତାଙ୍କ ଇଚ୍ଛା ଅନୁସାରେ, ସେହି ଗାଡ଼ିରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଥିଲା । ମୃତ୍ୟୁର ବହୁବର୍ଷ ପୂର୍ବରୁ କଫିନ୍ ତିଆରି ପରଂପରା ଯେତିକି ରୋଚକ ।