• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ତମ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକରେ ଲଗାତାର ରକେଟ୍‌ ବର୍ଷା ହେଉଛି । ଋଷୀୟ ସୈନିକ ଏବଂ ୟୁକ୍ରେନୀୟମାନଙ୍କ ମଧ୍ୟରେ ଏକ ଗରିଲା ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ଯୁଦ୍ଧରେ ଶହ ଶହ ନୀରିହ ଜନତାଙ୍କ ଜୀବନ ଗଲାଣି । ବଡ଼ ବଡ଼ ଅଟ୍ଟାଳିକା ଗୁଡ଼ିକ ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲାଣି । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରରେ ଲୁଚି ରହିଛନ୍ତି ।

ଏପରିସ୍ଥଳେ ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍‌ ସରକାରଙ୍କ ଉଦ୍ଦେଶ୍ୟରେ ସାରା ବିଶ୍ୱର ନେତାମାନେ ଅପିଲ କରୁଛନ୍ତି । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଋଷିଆ ରାଷ୍ଟ୍ରପତିଙ୍କ ମନ ନାହିଁ । ଶନିବାର ଦିନ ଭ୍ଲାଦିମିର ପୁଟିନଙ୍କ ସହ ୭୫ ମିନିଟର ବାର୍ତ୍ତାଳାପ ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସ୍ପଷ୍ଟ କରିଛନ୍ତି, ଋଷିଆ ଉପରେ ଶାନ୍ତି ପ୍ରସ୍ତାବର କୌଣସି ପ୍ରଭାବ ପଡ଼ୁନାହିଁ ।

ପୁଟିନ୍ ସରକାର ଯୁଦ୍ଧ ବନ୍ଦ କରିବା ପାଇଁ ଚାହୁଁନାହାନ୍ତି । କୌଣସିମତେ ୟୁକ୍ରେନ୍‌ ଜିତିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି । ଦିନକୁ ଦିନ ୟୁକ୍ରେନ୍‌ର ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଋଷୀୟ ସେନା ରାଜଧାନୀ କିଭ୍‌ର ନିକଟତର ହେଉଛନ୍ତି । ଶନିବାର ଦିନ କିଭ୍‌ରେ ଉଭୟ ଦେଶ ସୈନ୍ୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ରାଜଧାନୀ ନିକଟସ୍ଥ ବସିଲକିଭର ଏକ ଏୟାରବେସ୍ ଏବଂ ଅସ୍ତ୍ରଶସ୍ତ୍ର ଡିପୋ ଉପରେ ମିସାଇଲ ମାଡ଼ ହୋଇଛି । ରାଜଧାନୀ କିଭ୍‌ ଠାରୁ ଋଷୀୟ ସୈନ୍ୟବାହିନୀ ମାତ୍ର ୨୫ କିଲୋମିଟର ଦୂରରେ ଅଛନ୍ତି ବୋଲି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି ।

ଋଷୀୟ ସୈନ୍ୟମାନେ ଖାରକିଭ୍‌, ଚେରନିହିଭ୍, ସୁମି ଏବଂ ମାରିଓପୋଲକୁ ବର୍ତ୍ତମାନ ଘେରାବନ୍ଦୀ କରି ରଖିଛନ୍ତି । ୟୁକ୍ରେନ ସୈନ୍ୟମାନେ ଶତ୍ରୁ ସୈନ୍ୟଙ୍କୁ ରାଜଧାନୀରେ ପଶେଇ ନଦେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ସ୍ଥିତି ଏପରି ଲାଗି ରହିଲେ ଆଗାମୀ ଦିନରେ ଋଷୀୟ ସୈନ୍ୟ କିଭରେ ପହଞ୍ଚିଯିବେ ବୋଲି ଆକଳନ କରାଯାଉଛି ।

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି, ପୁଟିନ୍‌ ୟୁକ୍ରେନ୍‌କୁ ଅଧିକ ସଂଖ୍ୟାରେ ସୈନ୍ୟ ପଠାଇବା ପାଇଁ ବାଧ୍ୟ ହୋଇଛନ୍ତି । କାରଣ ୟୁକ୍ରେନୀୟ ସୈନିକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଋଷିଆର ୩।ଟି ବାଟାଲିୟନକୁ ପରାସ୍ତ କରିଛନ୍ତି । ଋଷିଆ ପାଇଁ ଏହା ସବୁଠାରୁ ବଡ଼ କ୍ଷତି ବୋଲି ସେ ଦାବି କରିଛନ୍ତି ।

ଋଷ୍‌-ୟୁକ୍ରେନ୍‌ ମହାଯୁଦ୍ଧରେ ୟୁକ୍ରେନର ୧୩୦୦ରୁ ଅଧିକ ସୈନ୍ୟ ମଧ୍ୟ ନିହତ ହୋଇଛନ୍ତି । ଜେଲେନସ୍କି ଋଷିଆକୁ ଚେତାବନୀ ଦେଇ କହିଛନ୍ତି, ରାଜଧାନୀ କିଭରେ ପ୍ରବେଶ କରିବାକୁ କିମ୍ବା ମିସାଇଲ୍‌ ମାଡ଼ କରିବାକୁ ଚେଷ୍ଟା କଲେ, ତାହା ଆମ ସମସ୍ତଙ୍କ ଶବ ଉପରେ ହିଁ ଅତିକ୍ରମ କରିବ । ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ୟୁକ୍ରେନ୍‌ ସୈନ୍ୟ ଓ ଲୋକଙ୍କ ସାହସିକତା ଲିପିବଦ୍ଧ ହୋଇ ରହିଯିବ ।