• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଭାରତ ସଙ୍କଟମୋଚକ ଭାବେ ଉଭା ହୋଇଛି । ମୋଦି ସରକାର ପାରୁପର୍ଯ୍ୟନ୍ତ ପଡ଼ୋଶୀ ରାଜ୍ୟକୁ ସାହାଯ୍ୟ କରୁଛନ୍ତି । ଚଳିତ ବର୍ଷ ଜାନୁୟାରୀରୁ ଏବେ ସୁଦ୍ଧା ଭାରତ ଶ୍ରୀଲଙ୍କାକୁ ପ୍ରାୟ ୨୫୦ କୋଟି ଡଲାର ଆର୍ଥିକ ସହାୟତା ଯୋଗାଇଛି । ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଭାରତ ସବୁବେଳେ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଶ୍ରୀଲଙ୍କାରେ ଥିବା ଭାରତର ଉଚ୍ଚ କମିଶନର ଗୋପାଳ ବାଗଲେ ।

ଆର୍ଥିକ ଓ ଶକ୍ତି ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ଗତକାଲି ୪୦ ହଜାର ମେଟ୍ରିକ ଟନ୍‌ ଡିଜେଲ୍ ପଠାଇଛି । ସଙ୍କଟ ମଧ୍ୟରେ ଭାରତ ଚତୁର୍ଥ ଥର ପାଇଁ ଏପରି ସହାୟତା ପଠାଇଛି । ମୋଟ୍‌ ଚାରି ଥରରେ ୧୫୦,୦୦୦ ମେଟ୍ରିକ ଟନରୁ ଅଧିକ ଜେଟ ଇନ୍ଧନ, ଡିଜେଲ ଏବଂ ପେଟ୍ରୋଲ ଶ୍ରୀଲଙ୍କାକୁ ପରିବହନ କରିଛି ଭାରତ ।

୧ ବିଲିୟନ ଋଣ ସହାୟତା ପାଇଁ ଘୋଷଣା

ସେହିପରି ଭାରତ ଶ୍ରୀଲଙ୍କାକୁ ୧ ବିଲିୟନ ଡଲାରର କ୍ରେଡିଟ୍ ଲାଇନ୍‌ ତଥା ଋଣ ସହାୟତା ପ୍ରଦାନ କରିବାକୁ ମଧ୍ୟ ରାଜି ହୋଇଛି । ମୋଦି ସରକାର ଏହି ସହାୟତା ଦେବା ଫଳରେ ଶ୍ରୀଲଙ୍କାକୁ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ପୂରଣ କରିବାରେ ସାହାଯ୍ୟ କରିବ । ଭାରତ ସାରା ବିଶ୍ୱକୁ ଅଧିକ ଚାଉଳ ରପ୍ତାନୀ କରୁଥିବା ଦେଶ । ଏଭଳି ସ୍ଥିତିରେ ଶ୍ରୀଲଙ୍କାଙ୍କୁ ଭାରତ ଚାଉଳ ଯୋଗାଣ କରିବା ପରେ ସେଠାରେ ଚାଉଳର ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି । ଗତ ଏକ ବର୍ଷ ମଧ୍ୟରେ ଶ୍ରୀଲଙ୍କାରେ ଚାଉଳର ମୂଲ୍ୟ ଦ୍ୱିଗୁଣିତ ହୋସାରିଛି । ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସହିତ ମଧ୍ୟ ଆଲୋଚନା କରୁଛନ୍ତି ଶ୍ରୀଲଙ୍କା ସରକାର ।

ଶ୍ରୀଲଙ୍କାରେ ଦେଶବ୍ୟାପୀ କର୍ଫ୍ୟୁ

ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ ଘୋଷଣା ହୋଇଛି । ଗତକାଲି ସକାଳ ୬ଟାରୁ ଲକ୍‌ଡାଉନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ ୬ଟା ଯାଏଁ ଏହା ବଳବତ୍ତର ରହିବ । ଶ୍ରୀଲଙ୍କାର କଲମ୍ବୋ ସମେତ ସାରା ଦେଶରେ ତେଜୁଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ଏହାକୁ ନେଇ ଘଟୁଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏହି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି ।

ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା

ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଅତି ଉତ୍କଟ ଅବସ୍ଥା । ଏବେ ଦିନକୁ ହେଉଛି ୧୦ ଘଣ୍ଟାର ବିଜୁଳି କାଟ୍ । ପେଟ୍ରୋଲ ପମ୍ପରୁ ତେଲ ନେବାକୁ ହେଲେ ୫ ଘଣ୍ଟାର ଲମ୍ବା ଅପେକ୍ଷା । କାଗଜ ଓ କାଳି ଅଭାବରୁ ସ୍କୁଲ କଲେଜରେ ପରୀକ୍ଷା ବନ୍ଦ ଆଉ ଲୋକଙ୍କୁ ମେଡିକାଲରେ ମିଳି ପାରୁନି ସ୍ୱାସ୍ଥ୍ୟସେବା । ଅର୍ଥନୀତିରେ ଢାଞ୍ଚାଗତ ତ୍ରୁଟି, କ୍ରମାଗତ ଭାବେ ବିଦେଶୀ ଋଣ ଭାର ବୃଦ୍ଧି, ଋଣ ରାଶି ପରିଶୋଧ ନକରିବା ଆଦି କାରଣରୁ ଦେଶରେ ଦେଖାଦେଇଛି ଏ ଆର୍ଥିକ ଦୁରବସ୍ଥା । ଗଲା ୧୫ ବର୍ଷ ଧରି ଶାସନ କ୍ଷମତାରେ ଥିବା ଦଳ କେବଳ ଋଣ କରି ଖର୍ଚ୍ଚ ଭରଣା କରୁଥିବା ବେଳେ ପରିଶୋଧର ବ୍ୟବସ୍ଥା କରିନି । ଏହାବାଦ୍ ଆଉ କିଛି ପ୍ରମୁଖ କାରଣ ପାଇଁ ବି ଧରାଶାୟୀ ହୋଇଛି ଶ୍ରୀଲଙ୍କାର ଅର୍ଥନୀତି।