• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଝି ଆକାଶରେ ଚାଲିଗଲା ପାଇଲଟଙ୍କର ପ୍ରାଣ । ଫ୍ଲାଇଟ୍‌ରେ ବସିଥିବା ଯାତ୍ରୀଙ୍କ ଛାତି ହେଲା ଧଡ଼ ଧଡ଼ । କେମିତି ବଞ୍ଚିବେ ? କେମିତି ଓହ୍ଲାଇବେ ? କ’ଣ କରିବେ ? କିଏ ତାଙ୍କୁ କରିବ ରକ୍ଷା ? ଏମିତି ଏକ ଦୁଃସ୍ଥିତିର ସାମ୍ନା କରିବାକୁ ପଡ଼ିଛି କିଛି ବିମାନ ଯାତ୍ରୀଙ୍କୁ । ପୁରା କାହାଣୀ ଶୁଣିଲେ ଆପଣଙ୍କର ବି ଛାତି ଥରି ଉଠିବ । ମଝି ଆକାଶରେ ଯଦି ପାଇଲଟଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ କିମ୍ବା ତାଙ୍କର ଜୀବନ ଚାଲିଯାଏ ତେବେ କ’ଣ କରିବେ ? ଯାତ୍ରୀଙ୍କୁ ତ କିଛି ବୁଦ୍ଧି ବାଟ ଦିଶୁନଥିଲା, ହେଲେ କୋ-ପାଇଲଟ ବଞ୍ଚାଇଦେଲେ ଯାତ୍ରୀଙ୍କ ଜୀବନ । ଆଉ ତୁରନ୍ତ କଲେ ଇମର୍ଜିନ୍ସି ଲାଣ୍ଡିଂ ।

ପାଇଲଟଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ପଶିଥିଲା ଛନକା । ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ବୋଲି ଅନେକ ଯାତ୍ରୀ ଭାବି ସାରିଥିଲେ । 

ତେବେ ଗତ ରବିବାର ରାତିରେ ଏହି ଘଟଣା ଘଟିଥିଲା । ମିଆମିରୁ ଚିଲ୍ଲି ଯାଉଥିବା କମର୍ସିଆଲ୍‌ ବିମାନରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଥିରେ ମୋଟ ୨୭୧ ଜଣ ଯାତ୍ରୀ ଥିଲେ । ୫୬ ବର୍ଷିୟ ଇଭାନ୍‌ ଆନ୍ଦୁର, ଯିଏ କି ଉକ୍ତ ଫ୍ଳାଇଟ୍‌ର କମାଣ୍ଡର ବା ପାଇଲଟ ଥିଲେ । ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ  ଭୟଙ୍କର ହାର୍ଟ ଆଟାକ୍‌ ହୋଇଥିଲା ।

ଯାହାଫଳରେ ବିମାନରେ ଥିବା କୋ-ପାଇଲଟ ତୁରନ୍ତ ବିମାନକୁ ଲାଣ୍ଡିଂ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ସେ ପାନାମା ସହରସ୍ଥିତ ଟୋକୋମେନ୍‌ ଇଣ୍ଟରନାସନାଲ ଏୟାରପୋର୍ଟରେ ବିମାନର ଇମର୍ଜିନ୍ସି ଲାଣ୍ଡିଂ କରାଇଥିଲେ । ସେଠାରେ ଖବର ପାଇ ମେଡିକାଲ ଟିମ୍‌ ପ୍ରସ୍ତୁତ ଥିଲେ । ବିମାନ ଅବତରଣ କରିବା ମାତ୍ରେ ପାଇଲଟ୍‌ଙ୍କ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ସେତେବେଳକୁ ପାଇଲଟଙ୍କର ମୃତ୍ୟୁ ହୋଇସାରିଥିଲା । 

ଅନ୍ୟପଟେ ଯେତେବେଳେ ବିମାନରେ ପାଇଲଟଙ୍କୁ ହାର୍ଟଆଟାକ୍‌ ଆସିଥିଲା, ସେତେବେଳେ ବିମାନ ଭିତରେ ଥିବା ଜଣେ ନର୍ସ ଓ ଦୁଇ ଜଣ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ । ତାଙ୍କୁ ବଞ୍ଚାବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ପାରିନଥିଲେ ।

ଇମର୍ଜିନ୍ସି ଲାଣ୍ଡିଂ ପରେ ବିମାନରେ ଥିବା ଯାତ୍ରୀଙ୍କୁ ବିମାନ ସଂସ୍ଥା ପକ୍ଷରୁ ଏକ ହୋଟେଲ୍‌ରେ ରହିବାର ସୁବିଧା କରାଯାଇଥିଲା ।