• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଁ ପାକିସ୍ତାନରେ ମରିବାକୁ ଚାହେଁ । ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କର ଏହା ହେଉଛି ଶେଷ ଇଛା । ୨୦୧୬ରୁ ଦୁବାଇରେ ରହୁଥିବା ମୁଶାରଫ ଏଭଳି ଆଶା ପ୍ରକାଶ କରିଥିବା ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେବା ପରେ ତାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ଗ୍ରୀନ ସିଗନାଲ ଦେଇଛି ଦେଶର ସେନାବାହିନୀ । ସେହିପରି ମୁଶାରଫଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ୍ ସରିଫ୍ ମଧ୍ୟ ମୁସାରଫଙ୍କ ପାକିସ୍ତାନ ଫେରିବା ସପକ୍ଷରେ ଅଛନ୍ତି । ମୁଶାରଫଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିବା କହିଛନ୍ତି ଲଣ୍ଡନରେ ରହୁଥିବା ସରିଫ୍ ।

ପ୍ରଥମେ ମୃତ୍ୟୁନେଇ ଗୁଜବ, ଆଉ ଏବେ ସ୍ୱଦେଶ ଫେରିବା ଖବର । ପାକିସ୍ତାନର ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ପରଭେଜ୍ ମୁଶାରଫଙ୍କ ପାକିସ୍ତାନ ଫେରିବା ନେଇ ପ୍ରଶସ୍ତ ହୋଇଛି ରାସ୍ତା । ଦେଶଦ୍ରୋହ ଅପରାଧରେ ମୃତ୍ୟୁଦଣ୍ଡ ପାଇଥିବା ମୁଶାରଫ, ୨୦୧୬ରେ ଚିକିତ୍ସା ଲାଗି ଦୁବାଇ ଯାଇ ଆଉ ଫେରିନାହାନ୍ତି । ତେବେ ଦୁରାରୋଗ୍ୟରେ ପୀଡିତ ୭୮ ବର୍ଷୀୟ ମୁଶାରଫ୍ ନିଜ ଜୀବନର ଶେଷ କିଛି ଦିନ ପାକିସ୍ତାନରେ କଟାଇବାକୁ ଇଛା ପ୍ରକାଶ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯିବା ପରେ ଆଭିମୁଖ୍ୟ କୋହଳ କରିଛି ।

ପାକିସ୍ତାନର କ୍ଷମତାଶାଳୀ ସେନାବାହିନୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁଶାରଫଙ୍କ କଡ଼ା ପ୍ରତିଦ୍ୱନ୍ଦ୍ୱୀ ନଓ୍ୱାଜ୍ ସରିଫ୍ ମୁଶାରଫଙ୍କ ମୃତ୍ୟୁ ହୋଇଥିବା କିଛି ଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ତେବେ ତାଙ୍କ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ସେ ପୀଡିତ ଥିବା ରୋଗରୁ ଭଲ ହେବା ସମ୍ଭାବନା କମ୍, ତେବେ ତାଙ୍କର ମୃତ୍ୟୁ ହୋଇନଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ମୁଶାରଫଙ୍କ ସ୍ୱଦେଶ ଫେରିବା ସପକ୍ଷରେ ଅଛନ୍ତି ପାକିସ୍ତାନ ସେନାର ଟପ୍ କମାଣ୍ଡର । ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ସେ ସ୍ୱଦେଶ ଫେରିଆସିବା ଉଚିତ୍ ବୋଲି କହିଛନ୍ତି ସେନା ମୁଖପାତ୍ର ମେଜର ଜେନେରାଲ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ମୁଶାରଫଙ୍କ ପରିବାର ନେବ ବୋଲି ସେ କହିଛନ୍ତି । ଏନେଇ ମୁଶାରଫଙ୍କ ପରିବାର ସହ ସେନା ଯୋଗଯୋଗ କରିଛି । ପରିବାରର ସହମତି ମିଳିବା କ୍ଷଣି ତାଙ୍କୁ ଫେରାଇ ଆଣିବା ଲାଗି ଆବଶ୍ୟକ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ସେନା ମୁଖପାତ୍ର ।

ସେହିପରି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ ମଧ୍ୟ ମୁଶାରଫଙ୍କ ସ୍ୱଦେଶ ଫେରିବା ନିଷ୍ପତ୍ତିର ସ୍ୱାଗତ କରିବା ସହ ଏନେଇ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯିବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି । ସେପଟେ ସେନାର ବୟାନ ପରେ ମୁଶାରଫ ପାକିସ୍ତାନ ଫେରିବାକୁ ସେ ବିରୋଧ କରନ୍ତି ନାହିଁ ବୋଲି କହିଛନ୍ତି ଲଣ୍ଡନରେ ନିର୍ବାସନ ଜୀବନ କାଟୁଥବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍ । ମୁଶାରଫଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ ବୋଲି ସେ କହିଛନ୍ତି । ମୁଶାରଫ ପାକିସ୍ତାନ ଫେରିବା ଲାଗି ବ୍ୟବସ୍ଥା କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ତଥା ସାନ ଭାଇ ଶାହାବାଜ୍ ସରିଫଙ୍କୁ କହିଛନ୍ତି ।

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୦୧୬ରେ ଚିକିତ୍ସା ଲାଗି ଦୁବାଇ ଯାଇଥିବା ମୁଶାରଫ ଆଉ ସ୍ବଦେଶ ଫେରିନାହାନ୍ତି । ତେବେ ଦେଶଦ୍ରୋହ ଅପରାଧକୁ ନେଇ ସ୍ୱତନ୍ତ୍ର କୋର୍ଟ ୨୦୧୯ରେ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ, ତାଙ୍କ ପାକିସ୍ତାନ ଫେରିବା ସ୍ୱପ୍ନ ସଂପୂର୍ଣ୍ଣ ମଉଳି ଯାଇଥିଲା । ୧୯୯୯ କାରଗିଲ ଯୁଦ୍ଧକୁ ନେଇ ମୁଶାରଫ୍ ନିନ୍ଦିତ ହେବା ସହ ଭାରତ ପାକିସ୍ତାନ ତିକ୍ତତା ଚରମସୀମାରେ ପହଞ୍ଚିଥିଲା । ତେବେ ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ନଓ୍ୱାଜ୍ ସରିଫଙ୍କ ଅଗୋଚରରେ ସେନାମୁଖ୍ୟ ଥିବା ମୁସାରଫ୍ ଏହି ପଦକ୍ଷେପ ନେଇଥିବା ନିଜେ ସରିଫ୍ ଅଭିଯୋଗ କରିଥିଲେ ।