Advertisment

ସୁନାଖଣିରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୭ ଜଣ

ନିଆଁ ଲାଗିବା ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ । ହଠାତ୍‌ ଅଗ୍ନିକାଣ୍ଡ ଯୋଗୁଁ ବାହାରକୁ ବାହାରିବା ସମ୍ଭବପର ହୋଇନଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
Arequipa Gold Mine Fire Kills At Least 27 In Peru

gold mine fire

ଦକ୍ଷିଣ ପେରୁ (Peru)ର ଏକ ନିର୍ଜନ ଅଞ୍ଚଳରେ ଥିବା ସୁନାଖଣି (gold mine )ରେ ଭୀଷଣ ଅଗ୍ନିକାଣ୍ଡ । ରବିବାର( ମେ ୭)ରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ୨୭ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ସରକାରୀ ଅଧିକାରୀ ଏସମ୍ପର୍କରେ ସୂଚନା ନେଇଛନ୍ତି । ସେମାନେ ଏହି ଘଟଣାକୁ ପେରୁର ଇତିହାସରେ ସବୁଠାରୁ ଖରାପ ଖଣି ଦୁର୍ଘଟଣା ବୋଲି କହିଛନ୍ତି ।

Advertisment

ସୁନା ଖଣିରେ ନିଆଁ ଲାଗିବା ପରେ ପୀଡିତର ସମ୍ପର୍କୀୟମାନେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଜ ଲୋକଙ୍କ ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଆଖପାଖ ଅଞ୍ଚଳ । କାହାର ବାପା ତ କାହାର ପୁଅ, ପୁଣି କିଏ ସ୍ୱାମୀକୁ ହରାଇ ଛାତିପିଟି କାନ୍ଦୁଥିଲା । ଖଣି ଭିତରେ ୨୭ଜଣଙ୍କର ମୃତ୍ୟୁ ଘଟିଥିବା କଥା ପବ୍ଲିକ୍ ପ୍ରୋସିକ୍ୟୁଟର୍‌ ଜିଓଭାନି ମାତୋସ୍‌ ‌ଏକ ଟେଲିଭିଜନ୍‌ ଚ୍ୟାନେଲକୁ କହିଛନ୍ତି ।

ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ...

କଣ୍ଡେସୁୟସ୍‌ ପ୍ରଦେଶ ଅନ୍ତର୍ଗତ ୟାନାକୱିହୁଆ ନଗରୀରେ ଥିବା ଖଣିରେ ବିସ୍ଫୋରଣ ଘଟିବା ପରେ ନିଆଁ ଲାଗିଛି । ସୁନାଖଣିର ଗୋଟାଏ ସୁଡ଼ଙ୍ଗରେ ସର୍ଟସର୍କିଟ୍‌ ଯୋଗୁଁ ଏହି ନିଆଁ ବ୍ୟାପିଥିବା କୁହାଯାଉଛି । ବିସ୍ଫୋରଣ ଯୋଗୁଁ ଖଣି ଭିତରେ ଲାଗିଥିବା କାଠ ଖୁଣ୍ଟ ଗୁଡ଼ିକ ହୁ ହୁ ହୋଇ ଜଳି ଉଠିଥିଲା । ଅଗ୍ନିକାଣ୍ଡ ସମୟରେ ଖଣି ଭିତର କିଛି ମିଟର ଭିତରେ ଶ୍ରମିକମାନେ କାମ କରୁଥିଲେ ।

Advertisment

ନିଆଁ ଲାଗିଥିବା ଖଣିର ଗଭୀରତା ୧୦୦ ମିଟର ବୋଲି କୁହାଯାଉଛି । ଅଧିକାଂଶ ଶ୍ରମିକ ଧୂଆଁରେ ଅଣନିଶ୍ୱାସି ହୋଇ ତଥା ପୋଡ଼ି ହୋଇ ମରିଯାଇଥିବା ଗଣମାଧ୍ୟମକୁ ସୂଚନା ମିଳିଛି ।

ତେବେ ମୃତକଙ୍କର ଶବ ଉଦ୍ଧାର କରିବା ପୂର୍ବରୁ ଉଦ୍ଧାରକାରୀ ଦଳ ପ୍ରଥମେ ଖଣିରେ ଲାଗିଥିବା ନିଆଁ ଲିଭାଇଥିଲେ । କାରଣ ଭିତରକୁ ପ୍ରବେଶ କରି ଶବ ଉଦ୍ଧାର କରିବା ନିମନ୍ତେ ତାହାହିଁ ଏକମାତ୍ର ଉପାୟ ଥିଲା । ତେବେ ଅଗ୍ନିକାଣ୍ଡ ସମୟରେ କେତେ ଜଣ ଶ୍ରମିକ କାମ କରୁଥିଲେ ତଥା ଆଉ କିଏ ବଞ୍ଚିଛନ୍ତି କି ନାହିଁ , ସେ ସମ୍ପର୍କରେ କୌଣସି ଖବର ମିଳିନାହିଁ।

Fire Peru
Advertisment
Advertisment