• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବର୍ତ୍ତମାନ ପାକିସ୍ତାନରେ ଅତି କମରେ ଅଛନ୍ତି ୨୪ ପ୍ରତିଶତ ଶିକ୍ଷିତ ବେକାର 

  • ଚପରାସୀ ଚାକିରି ପାଇଁ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରେ ଏମଫିଲ୍ ଡିଗ୍ରୀଧାରୀ

ଇସଲାମାବାଦ : ଆତଙ୍କୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନରେ ଉତ୍କଟ ବେକାରୀ ସମସ୍ୟା । ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଦେଶର ପାଣ୍ଠି ଖର୍ଚ୍ଚ କରୁଥିବା ପଡ଼ୋଶୀ ଦେଶରେ ବର୍ତ୍ତମାନ ବେକାରୀ ହାର ୧୬ ପ୍ରତିଶତ ପର୍ଯ୍ୟସ୍ତ ବୃଦ୍ଧି ପାଇଛି । ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକପ୍ରକାର ବିଫଳ ହୋଇଛନ୍ତି । ସରକାରୀ ଯୋଜନା ଗୁଡିକର କୌଣସି ଲାଭ ମିଳୁନି । ପାକିସ୍ତାନ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବରୁ ସରକାରୀ ଚପରାସୀ ପଦ ପାଇଁ ୧୫ ଲକ୍ଷ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି ।

ହାଇକୋର୍ଟରେ ଏକ ଚପରାସୀ ପଦ ଖାଲି ଥିବାରୁ କିଛି ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସେହି ଚପରାସୀ ଚାକରି ଖଣ୍ଡିଏ ପାଇବା ପାଇଁ ଉଚ୍ଚଶିକ୍ଷିତ ଏବେ ବାଡ଼ିଆପିଟା ହେଉଛନ୍ତି । ୧୫ ଲକ୍ଷରୁ ଅଧିକ ଯୁବକଯୁବତୀ ଏହି ପଦ ପାଇଁ ଆବେଦନ କରିଥିବା ଡନ୍ ରିପୋର୍ଟରୁ ଜଣାପଡ଼ିଛି । ଚପରାସୀ ଚାକିରି ପାଇଁ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରେ ଏମଫିଲ୍ ଡିଗ୍ରୀଧାରୀ ମଧ୍ୟ ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି ।

ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଇକୋନୋମିକ୍ସ (PIDE) ସୋମବାର ଏହି ତଥ୍ୟ ଜାରି କରିଛି । ତଥ୍ୟ ଅନୁସାରେ ପାକିସ୍ତାନରେ ବର୍ତ୍ତମାନ ବେକାରୀ ହାର ସର୍ବୋଚ୍ଚ ସ୍ତରରେ ରହିଛି । ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାରଙ୍କ ରୋଜଗାର ବଢ଼ାଇ‍ବା ଦାବି ଫସରଫାଟି ଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପଡ଼ୋଶୀ ଦେଶରେ ବର୍ତ୍ତମାନ ବଢ଼ୁଥିବା ବେକାରୀ ହାରର ଦର ଏକ ଗମ୍ଭୀର ସ୍ଥିତିକୁ ସୂଚାଇ ଦେଉଛି । ବର୍ତ୍ତମାନ ପାକିସ୍ତାନରେ ଅତି କମରେ ୨୪ ପ୍ରତିଶତ ଶିକ୍ଷିତ ଲୋକ ବେକାର ଅଛନ୍ତି । କେବଳ ଏତିକି ନୁହେଁ ସମଗ୍ର ଦେଶରେ ୪୦ପ୍ରତିଶତ ଶିକ୍ଷିତ ମହିଳା (ସ୍ନାତକ କିମ୍ବା ସ୍ନାତକୋତ୍ତର) ମଧ୍ୟ ଘରେ ବେକାର ବସିଛନ୍ତି, ଯୋଗ୍ୟତା ଥାଇ ମଧ୍ୟ ଚାକିରି ମିଳୁନି ।

ପାକିସ୍ତାନର ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ପ୍ରକାଶିତ ଶ୍ରମ ବଳ ସର୍ବେକ୍ଷଣ ସର୍ଭେ ଅନୁସାରେ ୨୦୧୭-୧୮ରେ ପାକିସ୍ତାନର ବେକାରୀ ହାର ୫.୮ ପ୍ରତିଶତରୁ ୨୦୧୮-୧୯ରେ ୬.୯ ପ୍ରତିଶତକୁ ବୃଦ୍ଧି ପାଇଛି । ପୁରୁଷ ବେକାରୀ ହାର ୫.୧ ପ୍ରତିଶତରୁ ୫.୯ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମହିଳା ବେକାରୀ ହାର ୮.୩ ପ୍ରତିଶତରୁ ୮.୯ପ୍ରତିଶତକୁ ବୃଦ୍ଧି ପାଇଛି।