• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୁଧୁରୁନି ପାକିସ୍ତାନର ସଙ୍କଟଜନକ ସ୍ଥିତି। ଖାଦ୍ୟ ସାମଗ୍ରୀର ଦାମ୍‌ ଆକାଶ ଛୁଆଁ  ହେବା ପରେ ଏବେ ଚିନ୍ତା ବଢ଼ାଇଲାଣି ଇନ୍ଧନ । ପାକିସ୍ତାନରେ ଇନ୍ଧନର ଘୋର ଅଭାବ ଦେଖାଦେଇଛି । ଫଳରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପକ୍ଷରୁ ୪୮ଟି ବିମାନକୁ ବାତିଲ କରାଯାଇଛି । ଦି ଡନ୍‌ର ରିପୋର୍ଟ ଅନୁସାରେ ଏନେଇ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ପାକିସ୍ତାନରେ ଇନ୍ଧନର ଅଭାବ ରହିଛି । ଦୈନନ୍ଦିନ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ପରିଚାଳନାଗତ ସମସ୍ୟା ଥିବାରୁ ବିମାନ ଗୁଡ଼ିକୁ ବାତିଲ କରାଯାଇଛି । କେତେ ଗୁଡ଼ିଏ ବିମାନର ଉଡ଼ାଣ ସମୟ ମଧ୍ୟ ପୁନନିର୍ଦ୍ଧାରିତ କରାଯାଇଛି । ମୋଟ୍‌ ୪୮ଟି ବିମାନକୁ ବାତିଲ କରିଦିଆଯାଇଛି ।

ଦେଶ ମଧ୍ୟରେ ଉଡାଣ କରୁଥିବା ୧୩ଟି ବିମାନ ବାତିଲ ହୋଇଛି । ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ମଧ୍ୟ ରଦ୍ଦ ହୋଇଛି । ବାକି ୧୨ଟି ବିମାନ ଉଡ଼ାଣରେ ବିଳମ୍ବ କରାଯାଇଥିବା କହିଛନ୍ତି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ମୁଖପାତ୍ର । ବିମାନ ଉଡାଣରେ ବିଳମ୍ବ ଓ ବାତିଲକୁ ନେଇ ଯାତ୍ରୀମାନେ ହଇରାଣ ହୋଇଥିଲେ । ତେଣୁ ଯାତ୍ରୀମାନଙ୍କୁ ଅନ୍ୟ ବିମାନକୁ ସ୍ଥାନାନ୍ତର କରାଯାଇଥିଲା ।

ସେହିପରି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଜି ‘ପିଆଇଏ’ ୧୬ଟି ଆନ୍ତର୍ଜାତିକ ବିମାନ ଓ ୮ଟି ଘରୋଇ ବିମାନ ଉଡ଼ାଣ ବାତିଲ୍‌ କରିଛି । ଆଉ କେତେକ ବିମାନ ଉଡ଼ାଣରେ ମଧ୍ୟ ବିଳମ୍ବ ହୋଇଛି । ପାକିସ୍ତାନରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଭାରତ ତୁଳନାରେ ତିନିଗୁଣା ଅଧିକା ମହଙ୍ଗା ରହିଛି । ପେଟ୍ରୋଲ ଲିଟର ପିଛା ପ୍ରାୟ ୩୩୧ ଟଙ୍କା ରହିଥିବାବେଳେ ଡିଜେଲ ଲିଟର ପିଛା ପ୍ରାୟ ୩୨୯ ଟଙ୍କାରେ ମିଳୁଛି ।