• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ଷମତାକୁ ନେଇ ପାକିସ୍ତାନରେ ଚାଲିଛି ରାଜନୈତିକ ଛକାପଞ୍ଝା । ଚୌକି ବଞ୍ଚାଇବାକୁ ଇମ୍ରାନ ଖାନ ସବୁ ପ୍ରକାର ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଉପରେ ସଙ୍କଟର କଳାବାଦଲ ଘୋଟିଯାଇଛି । ଆଜି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ । ସନ୍ଧ୍ୟା ପ୍ରାୟ ୪ଟାରେ ଉପସ୍ଥାପିତ ହେବ ଅନାସ୍ଥା ପ୍ରସ୍ତାବ । ଏଥିପାଇଁ ସମସ୍ତ ନଜର ବର୍ତ୍ତମାନ ସ୍ପିକର ଉପରେ ରହିଛି ।

ତେବେ ଅଗ୍ନି ପରୀକ୍ଷା ଆଗରୁ ଗତକାଲି ଶକ୍ତି ପ୍ରଦର୍ଶନ କରିଛନ୍ତି ଇମ୍ରାନ୍ ଖାନ୍ । ଲକ୍ଷ ଲକ୍ଷ ସମର୍ଥକଙ୍କ ଗହଣରେ ଇମ୍ରାନ୍ ଖାନ ପାଓ୍ୱାର୍ ଶୋ କରିଛନ୍ତି । ଆଜି ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାକୁ ଥିବା ବେଳେ, ତାର ଅବ୍ୟବହିତ ପୂର୍ବରୁ ନିଜର ଲୋକପ୍ରିୟତା ଜାହିର ପାଇଁ ଶେଷ ଚାଲ୍ ଖେଳିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନର ଭବିଷ୍ୟତ ପାଇଁ ଲଢ଼େଇ ନାଁରେ ବିଶାଳ ଜନସଭାକୁ ସମ୍ବୋଧନ କରି ଇମ୍ରାନ୍ ବିରୋଧୀଙ୍କ ଉପରେ ବର୍ଷିବା ସହ, ସେ ନଇଁବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ।

ସେପଟେ ଗତକାଲି ଏକାଧିକ ବିରୋଧୀ ଦଳଙ୍କ ଶୋଭାଯାତ୍ରା ଇସଲାମାବାଦରେ ପହଞ୍ଚିଥିବାରୁ ଇମ୍ରାନଙ୍କ ଜନସଭାକୁ କାଉଣ୍ଟର୍ ରାଲି ବୋଲି ମଧ୍ୟ କୁହାଯାଇଛି । ଗତକାଲି ଲାହୋରରୁ ଶୋଭାଯାତ୍ରାରେ ବାହାରିବା ବେଳେ ବିରୋଧୀ PML-N ଉପାଧ୍ୟକ୍ଷା ମରିୟମ୍ ନଓ୍ୱାଜ୍ କହିଥିଲେ ଯେ, ଆମେ ଇସ୍ଲାମାବାଦ ପହଞ୍ଚିବା ପୂର୍ବରୁ ଇମ୍ରାନ୍ ଖାନ୍ ଇସ୍ତଫା ଦେବେ । ତେଣେ ଅନାସ୍ଥା ପ୍ରସ୍ତାବ ପାଇଁ ଏପ୍ରିଲ ୩ କିମ୍ବା ୪ରେ ଭୋଟିଂ ହୋଇପାରେ ବୋଲି କହିଛନ୍ତି ଗୃହମନ୍ତ୍ରୀ ଶେଖ୍ ରସିଦ୍ ।

ଖାଦ୍ୟ ସଂକଟ, ଦରଦାମ ବୃଦ୍ଧି, ଦେବାଳିଆ ଅର୍ଥନୀତି ଓ ପ୍ରଶାସନିକ ଅପାରଗତାକୁ ଅସ୍ତ୍ର କରି, ଇମ୍ରାନ ସରକାରକୁ କ୍ଷମତାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମିଳିତ ବିରୋଧୀ । ମାର୍ଚ୍ଚ ୮ରେ ୧୦୦ ସାଂସଦ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନଙ୍କୁ ଦରକାର ୧୭୨ ଭୋଟ୍ । ତେବେ PTIର ୧୫୫ ସାଂସଦ ଥିବା ବେଳେ ଛୋଟ ଛୋଟ ୬ଟି ଦଳର ୨୩ ଭୋଟକୁ ନେଇ ତିଷ୍ଠିଛି ଇମ୍ରାନ ସରକାର । ହେଲେ ଅନାସ୍ଥା ପ୍ରସ୍ତାବ ପରେ PTIର ଦୁଇ ଡଜନରୁ ଅଧିକ ସାଂସଦ ଖୋଲାଖୋଲି ବିଦ୍ରୋହ ଘୋଷଣା କରିବା ଏବଂ ରାଜ୍ୟ ଓ କେନ୍ଦ୍ରର ପ୍ରାୟ ୫୦ ମନ୍ତ୍ରୀ ଲୋକଲୋଚନରୁ ଗାୟବ ରହିବା ଇମ୍ରାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।