• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜେ ସୃଷ୍ଟି କରିଥିବା ରୋଗରେ ଆଜି ନିଜେ ସଢ଼ୁଛି ପାକିସ୍ତାନ । ଆତଙ୍କବାଦୀଙ୍କ ଭୂସ୍ୱର୍ଗ ବୋଲି ଅପଖ୍ୟାତି ଅର୍ଜିଥିବା ଏହି ଦେଶକୁ ଏବେ ଭସ୍ମାସୁର ଭଳି ଡରାଉଛି ଆତଙ୍କୀ ସଂଗଠନ ତେହେରିକ୍ -ଏ-ତାଲିବାନ ବା ଟିଟିପି । ଦିନେ ଏହି ସଂଗଠନକୁ ନିଜେ ପାକିସ୍ତାନ ପ୍ରୋତ୍ସାହନ ଦେଇଥିଲା, ହେଲେ ଏବେ ବାଜି ଓଲଟିଯାଇଛି । ପେଶାଓ୍ୱରରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ୮୯କୁ ବଢ଼ିଥିବା ବେଳେ, ଏହା ପଛରେ ଟିଟିପିର ହାତ ଥିବା ଚର୍ଚ୍ଚା ହେଉଛି ... ।

ପାକିସ୍ତାନ ପେଶାଓ୍ୱରର ମସଜିଦରେ ନମାଜ ପାଠ ଚାଲିଥିବା ବେଳେ, ଭୟଙ୍କର ଆତ୍ମଘାତୀ ବିସ୍ଫୋରଣର ଘଟାଇଥିଲା ଆତଙ୍କୀ । ଘଟଣାକୁ ୨୪ ଘଣ୍ଟା ପୂରିଥିଲେ ବି, ଧ୍ୱଂସାବଶେଷ ତଳୁ ଏବେବି ମୃତଦେହ ମିଳୁଛି, ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବିସ୍ପୋରଣ ହୋଇଥିବା ପେଶାଓ୍ୱରରେ ରହିଛି ବିଧାନସଭା, ହାଇକୋର୍ଟ, ସେଣ୍ଟ୍ରାଲ୍ ଜେଲ୍, ସରକାରୀ କୋଠା ଓ ପୋଲିସ ହସ୍ପିଟାଲ ।

ଅଧିକ ପଢ଼ନ୍ତୁ: ମସ୍‌ଜିଦ୍‌ରେ ଭୟଙ୍କର ଆକ୍ରମଣ; ପାଖାପାଖି ୫୦ ମୃତ, ୧୦୦ ଆହତ

୪ ଥାକିଆ ସୁରକ୍ଷା ବଳୟ, ମସଜିଦ ନିକଟରେ ଥିଲେ ୩ଶହରୁ ଅଧିକ ପୋଲିସ କର୍ମଚାରୀ । ହେଲେ ସମସ୍ତଙ୍କ ଆଖିରେ ଧୂଳି ଦେଇ, ଏଭଳି ଅତି ସୁରକ୍ଷିତ ଅଞ୍ଚଳରେ ପଶି, ନିଜକୁ ଉଡ଼ାଇ ଦେଇଛି ଆତଙ୍କବାଦୀ ତା ସହିତ ବିସ୍ଫୋରଣରେ ୯୦ରୁ ଅଧିକ ଜୀବନ ନେଇଛିଅ । ପ୍ରାୟ ଦେଢ଼ ଶହ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ପୋଲିସ କର୍ମଚାରୀ ଅଛନ୍ତି ।

ଶେଷକୃତ୍ୟ ପୂର୍ବରୁ ସେମାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ତେଣେ ଆହତଙ୍କୁ ହସ୍ପିଟାଲରେ ଯାଇ ଭେଟିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଅନ୍ୟପକ୍ଷରେ ଏଭଳି ହାଇ-ସିକ୍ୟୁରିଟି ଭେଦ କରି ଆତଙ୍କୀ ବୋମା ସହିତ ମସଜିଦରେ ପଶିଲା କେମିତି, ତାହାର ତଦନ୍ତ ଆରମ୍ଭ ହୋଇଛି । ତେଣେ ଇସଲାମାବାଦରେ ମଧ୍ୟ ହାଇ ଆଲର୍ଟ ଜାରି କରିଛି ପୋଲିସ ... ।

ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ବିଶ୍ୱସ୍ତରରେ ନିନ୍ଦିତ ହୋଇଆସୁଛି ପାକିସ୍ତାନ । ହେଲେ ବିଗତ ବେଶ୍ କିଛି ବର୍ଷ ଧରି ନିଜେ ମଧ୍ୟ ଆତଙ୍କୀଙ୍କ କଳା କାରନାମାର ଶିକାର ହେଉଛି ।

ତଥ୍ୟ କହୁଛି, ପାକିସ୍ତାନରେ ବିଗତ ୨୨ ବର୍ଷରେ ପ୍ରାୟ ୧୬ ହଜାର ଆତଙ୍କବାଦୀ ଆକ୍ରମଣ ହେଲାଣି । ଏଥିରେ ପ୍ରାୟ ୨୯ହଜାର ଲୋକଙ୍କ ଜୀବନ ଯାଇଛି । ଅର୍ଥାତ୍ ସେଠି ପ୍ରତିଦିନ ହାରାହାରି ୪ ଜଣ ଲୋକ ଆତଙ୍କୀ ହମଲାରେ ପ୍ରାଣ ହରାଉଛନ୍ତି । କେବଳ ଗତବର୍ଷ ୩୬୫ଟି ଟେରରିଷ୍ଟ ଆଟାକ୍ ହୋଇଛି ।

ଆଫଗାନିସ୍ତାନ ସୀମାବର୍ତ୍ତୀ ଖାଇବର୍ ପଖତୁଖବା ପ୍ରଦେଶର ରାଜଧାନୀ ପେଶାଓ୍ୱରରେ ୨୦୧୪ରେ ମଧ୍ୟ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏକ ଆର୍ମି ସ୍କୁଲ୍ । ଆକ୍ରମଣର ଶିକାର ହେବା ଫଳରେ ୧୩୦ ଶିଶୁଙ୍କ ସମେତ ୧୫୦ ଜୀବନ ଯାଇଥିଲା । ତେବେ ଗତକାଲି ମସଜିଦରେ ଘଟିଥିବା ଆକ୍ରମଣ ପାଇଁ ନିଜକୁ ପ୍ରଥମେ ଦାୟୀ କରିଥିଲା ଆତଙ୍କୀ ସଂଗଠନ ପାକିସ୍ତାନ ତାଲିବାନ ବା ତେହରିକ୍-ଇ-ତାଲିବାନ (TTP) ଟିଟିପି ।

କମାଣ୍ଡର୍ ସର୍ବକଫ ମୋହମ୍ମଦ ଟୁଇଟ୍ କରିଛି ଯେ, ଗତବର୍ଷ ଅଗଷ୍ଟରେ ସଂଗଠନର ପୂର୍ବତନ କମାଣ୍ଡର ତଥା ତା ଭାଇ ଉମର ଖାଲିଦ ଖୁରାସାନୀକୁ ଆଫଗାନିସ୍ତାନରେ ପାକ୍ ସେନା ଦ୍ୱାରା ହତ୍ୟା କରାଯାଇଥିଲା । ଏହା ତାର ପ୍ରତିଶୋଧ ଅର୍ଥାତ୍ ଜଣଙ୍କ ପ୍ରତିଶୋଧ ନେବାକୁ ଯାଇ ୯୦ରୁ ଅଧିକ ନିରୀହଙ୍କ ଲାଶ୍ ବିଛାଇ ଦେଇଛି ଟିଟିପି । ତେବେ ପରେ ଟିଟିପି ପ୍ରବକ୍ତା ଏହି ଆକ୍ରମଣରୁ ସଂଗଠନକୁ ଦୂରେଇ ରଖିବା ସହିତ, ଧାର୍ମିକ ସ୍ଥଳରେ ଟିଟିପି ଆକ୍ରମଣ କରେନାହିଁ ବୋଲି ସଫେଇ ଦେଇଛନ୍ତି ।