• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାଦ୍ୟ ପରେ ଏବେ ଇନ୍ଧନ ଅଭାବ । ପାକିସ୍ତାନରେ ଅନେକ ସହରରେ ଏବେ ଗୁରୁତର ଶକ୍ତି ସଂକଟ ଦେଖାଦେଇଛି । ଦିନକୁ ଦିନ ସମସ୍ୟା ଆହୁରି ଉତ୍କଟ ହେଉଛି । ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦାୟିତ୍ୱ ନେଉ ନେଉ ଏହା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଶକ୍ତି ସଂକଟ ସ୍ଥିତି ଏତେ ଗୁରୁତର ଯେ, ଘରକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି । ବିଭିନ୍ନ ଶିଳ୍ପସଂସ୍ଥା ଗୁଡିକର ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ନୂଆ ସରକାର ସେଗୁଡ଼ିକୁ ଇନ୍ଧନ ଯୋଗାଇବା ପାଇଁ ଅସମର୍ଥ ହୋଇଛନ୍ତି । ଏଭଳି ସଂକଟ ସମୟରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡ କାମ କରୁନି । ପରିସ୍ଥିତିର ମୁକାବିଲା ପାଇଁ କଣ ନିଷ୍ପତ୍ତି ନିଆଯିବ ସେଥିପାଇଁ ବୁଦ୍ଧିବାଟ ଦେଖାଯାଉନି ।

ପାକ୍ ସରକାରଙ୍କ ଘନ ଘନ ବୈଠକ ସତ୍ତ୍ୱେ ମିଳୁନି ସମାଧାନର ରାସ୍ତା । ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ । ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ ବଜାରରୁ କୋଇଲା ଓ ପ୍ରାକୃତିକ ଗ୍ୟାସ କିଣିବା ତାଙ୍କ ପାଇଁ କାଠିକର ପାଠ ହୋଇପଡିଛି । ଇନ୍ଧନ ଅଭାବରୁ ୩୫ଶହ ମେଗାୱାଟ ପାୱାର ପ୍ଲାଣ୍ଟ୍ ବନ୍ଦ ହୋଇପଡିଛି । ଏଥିସହ ବୈଷୟିକ ତ୍ରୁଟି ଯୋଗୁଁ ମଧ୍ୟ ୩୫ଶହ ମେଗାୱାଟର ପ୍ରକଳ୍ପ ଅଚଳ ହୋଇପଡିଛି । ପାକିସ୍ତାନରେ ସର୍ବମୋଟ୍ ୩୫ ହଜାର ମେଗାୱାଟ୍ ବିଦ୍ୟୁତ ତ୍ପାଦନ ହୋଇଥାଏ । ସେଥିରୁ ୭ହଜାର ମେଗାୱାଟ୍ ଉତ୍ପାଦନ ହ୍ରାସ ପାଇଥିବାରୁ ଗୁରୁତର ଶକ୍ତି ସଙ୍କଟ ସୃଷ୍ଟି ହୋଇଛି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପର ଠାରୁ ପାକିସ୍ତାନ ପାଇଁ ସମସ୍ୟା ଆହୁରି ବଢିଛି । ବାରମ୍ବାର ଇନ୍ଧନ ଦର ବୃଦ୍ଧି ପାକିସ୍ତାନ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି । ପାକିସ୍ତାନର ଇନ୍ଧନ ଖର୍ଚ୍ଚ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇ ୧୫ ବିଲିୟନ ଡଲାରରେ ପହଞ୍ଚିଛି । ସେପଟେ ବିଶ୍ୱ ବଜାରରେ ଇନ୍ଧନର ଅହେତୁକ ଦରବୃଦ୍ଧି ଯୋଗୁଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଷ୍ଟ୍ର ସହ ହୋଇଥିବା ଇନ୍ଧନ ଯୋଗାଣ ଚୁକ୍ତିକୁ ବାତିଲ କରି ଦିଆଯାଇଛି । ୟୁକ୍ରେନ୍ ରୁଷ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ନିକଟ ଭବିଷ୍ୟତରେ ଇନ୍ଧନ ସମସ୍ୟାର ସମାଧାନ ହେବାର ଆଶା କ୍ଷୀଣ ।

ଏଭଳି ପରିସ୍ଥିତିରେ ଶକ୍ତି ସଂକଟର ସମାଧାନ ପାଇଁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ପାକିସ୍ତାନରେ ବିଦ୍ୟୁତ ସଂକଟ ଘନଉଥିବା ବେଳେ ଆର୍ଥିକ ସମସ୍ୟା ନୂଆ ଚ୍ୟାଲେଂଜ ସୃଷ୍ଟି କରିଛି । ଗତକିଛି ଦିନ ଧରି ପାକିସ୍ତାନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବୃଦ୍ଧି ପାଉଛି । ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।

ମୁଦ୍ରାସ୍ଫୀତି ୧୨.୭ ପ୍ରତିଶତରେ ପହଞ୍ଚିଛି । ଏଭଳି ସଂକଟରୁ ଉଦ୍ଧାର ହେବାପାଇଁ ଆର୍ନ୍ତଜାତିକ ମୁଦ୍ରା ପାଣ୍ଠି ପକ୍ଷରୁ ବଡ଼ ଧରଣର ଆର୍ଥିକ ସହାୟତା ଅପେକ୍ଷାରେ ରହିଛି ପାକିସ୍ତାନ । ପାକିସ୍ତାନ ହେଉଛି ବିଶ୍ୱର ପଂଚମ ଜନବହୁଳ ରାଷ୍ଟ୍ର । ଏତେ ଜନସଂଖ୍ୟା ବିଶିଷ୍ଟ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବା ପାକ୍ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି ।