ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଙ୍କ ରାଲିକୁ ଗୁଳିମାଡ଼ । ୱଜିରାବାଦ ନିକଟରେ ରାଲି ଚାଲିଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ରେ ଇମ୍ରାନ୍ଙ୍କ ସମେତ ୪ ଆହତ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ନେଇ ପାକିସ୍ତାନୀ ମିଡିଆ ପକ୍ଷରୁ ସୂଚନା ମିଳିଛି । ଇମ୍ରାନ୍ଙ୍କ ମ୍ୟାନେଜର ରସିଦଙ୍କ ହାତରେ ବାଜିଛି ଗୁଳି । ଚିକିତ୍ସା ପାଇଁ ଇମ୍ରାନଙ୍କୁ ସଡ଼କ ପଥରେ ଲାହୋର ନିଆଯାଉଛି । ଗୁଳିମାଡ଼ କରିଥିବା ସନ୍ଦିଗ୍ଧ ଯୁବକକୁ କାବୁ କରିନେଇଛି ସ୍ଥାନୀୟ ପୋଲିସ ।
Also Read
ସୂଚନାଯୋଗ୍ୟ, ଏବେ ପାକିସ୍ତାନରେ ଏବେ ପୁଣି ରାଜନୈତିକ ଅସ୍ଥିରତା ଦେଖାଦେଇଛି । କିଛି ଦିନ ପୂର୍ବରୁ ସେହବାଜ୍ ଶରିଫ୍ ସରକାରକୁ ଚୋର କହିଥିଲେ ଇମ୍ରାନ୍ । ପାକିସ୍ତାନ ସେନାକୁ ଦୁର୍ବଳ ବୋଲି ମଧ୍ୟ କହିଥିଲେ । ଆଇଏସ୍ଆଇ ଡିଜିଙ୍କ ଗୁମର ଖୋଲିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ତେବେ ଇମ୍ରାନ୍ଙ୍କ ଏଭଳି ବୟାନ୍ ପାଇଁ ଆଜି ତାଙ୍କର ଏଭଳି ଅବସ୍ଥା ହୋଇଥିବା ରାଜନୈତିକ ବିଶେଷଜ୍ଞ ଆଶଙ୍କା କରିଛନ୍ତି ।
ତେବେ ଇମ୍ରାନ୍ ନିଜର ସେହି ଭାଷଣରେ ଭାରତକୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ । ଲାହୋରରୁ ଇସଲାମାବାଦ ଅଭିମୁଖେ ହକ୍କି ଆଜାଦି ଶୋଭାଯାତ୍ରାରେ ବାହାରି ହଜାର ହଜାର ସମର୍ଥକଙ୍କ ଗହଣରେ ଗର୍ଜିଥିଲେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଅନ୍ୟପଟେ ପୂର୍ବରୁ ISI ଡିଜି ନଦୀମ ଅଞ୍ଜୁମ୍ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନଙ୍କୁ ଟାର୍ଗେଟ୍ କରିଥିଲେ । ତେଣୁ ଏହି ରାଲି ସମୟରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ନିଜେ ଇମ୍ରାନ୍ ।
ଡିଜି ଆଇଏସ୍ଆଇ ଚାପଗ୍ରସ୍ତ ହୋଇ ଏବେକାର ଦୁର୍ନୀତିଗ୍ରସ୍ତ ସରକାରକୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହାସହିତ, ତାଙ୍କର ଗୁମର ଖୋଲିଦେବେ ବୋଲି ଚେତାବନୀ ଦେଇଥିଲେ । ଦରଦାମ ବୃଦ୍ଧି ଏବଂ ୨ ଆଇଏସଆଇ ଅଧିକାରୀଙ୍କ ଦ୍ୱାରା ପିଟିଆଇ ସାଂସଦ ନିର୍ଯାତିତ ହେବା ପ୍ରସଙ୍ଗ ଉଠାଇ ସେହବାଜ ସରକାରକୁ କଡ଼ା ଭାଷାରେ କଟାକ୍ଷ କରିଥିଲେ । ରୁଷଠୁ ତେଲକିଣା ପ୍ରସଙ୍ଗ ଉଠାଇ ଇମ୍ରାନ୍ ପୁଣିଥରେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ଏବଂ ପାକିସ୍ତାନ ସରକାରକୁ ବିଦେଶୀ ଚାପରୁ ମୁକ୍ତ ହେବାକୁ ଆହ୍ୱାନ ଦେଇଛନ୍ତି ।
ଗତ ଏପ୍ରିଲ୍ରେ ପ୍ରଧାନମନ୍ତ୍ରୀ ପଦ ଯିବା ପରଠୁ ରକ୍ତ ଚାଉଳ ଚୋବାଇ ଆସୁଛନ୍ତି ଇମ୍ରାନ୍ । ବାରମ୍ବାର ସାନି ସାଧାରଣ ନିର୍ବାଚନ ପାଇଁ ଦାବି କରିଆସୁଥିଲେ ବି ତାହା ସଫଳ ହେଉନି । ତେବେ ଗତ ସପ୍ତାହରେ ନିର୍ବାଚନ କମିଶନ ନ୍ୟାସନାଲ ଆସେମ୍ବଲିରୁ ତାଙ୍କ ସଦସ୍ୟତା ରଦ୍ଦ କରିବା ଘଟଣା, ନିଆଁରେ ଘିଅ ଢାଳିବା ଭଳି ହୋଇଥିଲା । ପ୍ରଧାନମନ୍ତ୍ରୀତ୍ୱ କାଳରେ ମିଳିଥିବା କିଛି ଉପହାରକୁ ଇମ୍ରାନ୍ ଖାନ୍ ଗୁପ୍ତ ଭାବେ ବିକି ଦେଇଥିବା ଅଭିଯୋଗ ଆସିବା ପରେ, ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ପାକିସ୍ତାନ ନିର୍ବାଚନ କମିଶନ ।