• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଡ଼ୋଶୀ ଦେଶ ପାକିସ୍ତାନରେ ଲଗାତାର ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ଆସିଛି । ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩୪୩ ଶିଶୁଙ୍କ ସମେତ ୯୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତି କମରେ ତିନି କୋଟି ଲୋକ ବାସହରା ହୋଇପଡ଼ିଛନ୍ତି । କୋଟି କୋଟି ଲୋକଙ୍କ ଘର ଭିତରେ ପାଣି ପଶି ଯାଇଥିବା ବେଳେ ସେମାନଙ୍କ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ବିପର୍ଯ୍ୟସ୍ତଙ୍କ ନିକଟରେ ହେଲିକପ୍ଟର ପହଞ୍ଚି ପାରୁନାହିଁ ।

ଫଳରେ ପାକ୍‌ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ସିନ୍ଧ ପ୍ରଦେଶରେ ଜୁନ୍ ୧୪ରୁ ଗୁରୁବାର ବନ୍ୟା ଓ ବର୍ଷା ଯୋଗୁଁ ୩୦୬ ଜଣଙ୍କର ପ୍ରାଣହାନୀ ହୋଇଛି । ସେହିପରି ଚଳିତ ମୌସୁମୀ ବର୍ଷାରେ ବଲୁଚିସ୍ତାନରେ ୨୩୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖେବର ତଥା ପଞ୍ଜାବ ପ୍ରଦେଶରେ ଯଥାକ୍ରମେ ୧୮୫ ଏବଂ ୧୬୫ ଜଣ ପ୍ରାଣ ହରାଇଛନ୍ତି । ଏଥି ସହିତ ପାକିସ୍ତାନ ଅଧିକୃତ କାଶ୍ମୀରରେ ୩୭ ଜଣ ଏବଂ ଗିଲଗିଟ-ବାଲତିସ୍ତାନ ଅଞ୍ଚଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।

NDMA ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାକିସ୍ତାନରେ ୧୬୬.୮ ମିମି ବର୍ଷା ହୋଇଥିଲା, ଯାହା ବର୍ତ୍ତମାନ ତୁଳନାରେ ହାରାହାରି ୪୮ ମିମି ଅଧିକ । ଚଳିତ ମୌସୁମୀରେ ବର୍ଷା ଯୋଗୁଁ ସର୍ବାଧିକ ପ୍ରଭାବିତ ଅଞ୍ଚଳ ସିନ୍ଧ ଏବଂ ବଲୁଚିସ୍ତାନ ଯଥାକ୍ରମେ ୭୮୪ ପ୍ରତିଶତ ଏବଂ ୪୯୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

ଅସ୍ୱାଭାବିକ ବର୍ଷା ଯୋଗୁଁ ପାକିସ୍ତାନର ଦକ୍ଷିଣ ଭାଗରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ସିନ୍ଧର ୨୩ଟି ଜିଲ୍ଲାକୁ ବିପର୍ଯ୍ୟୟ ପ୍ରଭାବିତ ବୋଲି ଘୋଷଣା କରାଯାଇଛି । ଏହାରି ଭିତରେ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ' ୱାର ରୁମ୍‌' ସ୍ଥାପନ କରି ସାରା ଦେଶର ସ୍ଥିତି ଉପରେ ନଜର ରଖିଛନ୍ତି । ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ସାରା ଦେଶରେ ରିଲିଫ କାର୍ଯ୍ୟ ଆରମ୍ଭ ହେବ । ଯଥାସାଧ୍ୟ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ।