Advertisment

ନିଜ ଦଳରେ ଇମ୍ରାନ୍‌ଙ୍କୁ ଝଟକା, କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସାଂସଦ

ଟଳମଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ । ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାଙ୍କରି ଦଳ PTIର ସାଂସଦ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Imran Khan

Imran Khan

ଟଳମଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ । ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାଙ୍କରି ଦଳ PTIର ସାଂସଦ । ଆର୍ଥିକ ଦୂରାବସ୍ଥା ସହ ଦରବୃଦ୍ଧି ପାଇଁ ଦାୟୀ କରି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୦୦ରୁଅଧିକ ସାଂସଦ । ଏଥିରେ ଇମ୍ରାନଙ୍କ ପାକିସ୍ତାନ ତେହେରେକ୍ ଏ ଇନସାଫ୍ ଦଳର ୨୪ରୁ ଅଧିକ ସାଂସଦ ସାମିଲ ହୋଇଛନ୍ତି ।

Advertisment

ଚଳିତ ମାସ ୨୮ରେ ସଂସଦରେ ଭୋଟିଂ ହେବାକୁ ଥିବା ବେଳେ, PTIର ଅତି କମ୍‌ରେ ୨୪ ବିଧାୟକ ତାଙ୍କ ବିରୋଧରେ ଭୋଟ୍ ଦେବେ ବୋଲି ଖୋଲାଖୋଲି କହିଛନ୍ତି । ଏହି ସାଂସଦ ମାନଙ୍କୁ ସରକାରରେ ଥିବା ମନ୍ତ୍ରୀମାନେ କାଳେ ଅପହରଣ କରିନେବେ, ସେଇ ଡରରେ ସେମାନଙ୍କୁ ସିନ୍ଧ୍ ହାଉସ୍‌ରେ ରଖାଯାଇଛି । ଗତ ୮ ତାରିଖରେ ବିରୋଧୀ ଦଳ ଦ୍ୱାରା ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ।

ସେମାନଙ୍କ ମଧ୍ୟରୁ ରାଜା ରିଆଜ ନାମକ ଜଣେ ଆଇନ୍ ପ୍ରଣେତା କହିଛନ୍ତି ଯେ, ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭୋଟ ଦେବାକୁ ଘୋଷଣା କରିଥିବାରୁ ସେମାନଙ୍କୁ ଅପହରଣ କରାଯିବା ଆଶଙ୍କା ରହିଛି। ଯଦି ପ୍ରଧାନମନ୍ତ୍ରୀ ସୁରକ୍ଷାର ଗ୍ୟାରେଣ୍ଟି ଦିଅନ୍ତି ତେବେ ସେମାନେ ସଂସଦର ଲଜକୁ ଯିବେ। ଯେଉଁଠି ସେମାନେ ସରକାରୀ ବାସଭବନରେ ରୁହନ୍ତି। ଇମ୍ରାନଙ୍କୁ ବିରୋଧ କରୁଥିବା ନେତା ଓ ମନ୍ତ୍ରୀ ଏବେ ଭୟରେ ଲୁଚି ରହୁଛନ୍ତି।

Advertisment

ହେଲେ ସେମାନଙ୍କ ସହ ବିରୋଧୀ ଦଳ ପକ୍ଷରୁ ଯୋଗାଯୋଗ କରାଯାଇ ନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ପାକିସ୍ତାନରେ ଦେଖାଦେଇଥିବା ବେଲଗାମ ଦରଦାମ ଯୋଗୁ ଇମ୍ରାନଙ୍କୁ ଦାୟୀ କରି ବିରୋଧୀ ଦଳମାନେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି । ନିୟମ ଅନୁସାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବାକୁ ଅତି କମରେ ୬୮ ଜଣ ସାଂସଦଙ୍କ ସ୍ୱାକ୍ଷର ଆବଶ୍ୟକ । ପାକିସ୍ତାନ ଜାତୀୟ ଆସେମ୍ବଲିକୁ ଅନାସ୍ଥା ପ୍ରସ୍ତାବରେ ୧୦୦ ଜଣ ସାଂସଦ ସ୍ୱାକ୍ଷର ରହିଛି।

ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପାଇଁ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଜାତୀୟ ଆସେମ୍ବଲିରେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଯଦି ବିରୋଧୀ ଦଳମାନେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିପାରିବେ ତେବେ ଇମ୍ରାନଙ୍କ ପଦ ଯିବା ନିଶ୍ଚିତ ।

Pakistan Imran Khan
Advertisment
Advertisment