• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ମୃତ୍ୟୁ । ସେମାନେ ଜାଣି ନଥିଲେ ମଙ୍ଗଳବାର ରାତି ତାଙ୍କର ପାଇଁ କାଳ ରାତି ହେବ । କିଏ ଶୋଇଥିଲା ତ କିଏ ଅଫିସ ସାରି ଘରକୁ ଫେରିଥିଲା..ପୁଣି କେହି ନିଜ ପିଲା ସମୟ ଟିକିଏ ସମୟ ବିତାଉଥିଲା । ଆଉ ଏହି ସମୟରେ କାଳ ସାଜି ଆସିଲେ ମୃତ୍ୟୁର ଦୂତ । ଗତକାଲି ଭିଏତନାମ ରାଜଧାନୀ ହାନୋଇର ଏକ ୯ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ମଙ୍ଗଳବାର ରାତି ପ୍ରାୟ ୧୧.୩୦ ସମୟରେ ଘରେ ସମସ୍ତେ ଥିବା ବେଳେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ପ୍ରଥମେ ଆପାର୍ଟମେଣ୍ଟର ପାର୍କିଂ ଫ୍ଲୋରରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ସମଗ୍ର ବିଲ୍ଡିଂକୁ ବ୍ୟାପି ଯାଇଥିଲା ନିଆଁ । ନିଆଁ ଲାଗିଯାଇଥିବା ଆପାର୍ଟମେଣ୍ଟ୍‌ରେ ୪୫ଟି ପରିବାର ରହୁଥିଲେ । ନିଆଁ ଲାଗିବା ପରେ ସାହାଯ୍ୟ ପାଇଁ ସମସ୍ତେ ବିକଳରେ ଚିତ୍କାର କରୁଥିଲେ ।

ତାଙ୍କ ଚିତ୍କାର ଶୁଣି ପଡୋଶୀ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କାରଣ ବିଲ୍ଡିଂରେ ବାହାକୁ ଆସିବା କିମ୍ବା ଭିତରକୁ ଯିବା ପାଇଁ ବ୍ୟାପକ ବନ୍ଦୋବସ୍ତ ନଥିଲା । ଫଳରେ ଲୋକମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇ ପଡିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଛୋଟ ଛୁଆମାନଙ୍କୁ ବଞ୍ଚାଇବା ପରେ ଝରକା ପଟେ ସେମାନଙ୍କୁ ବାହାରକୁ ଫିଙ୍ଗି ଦେଉଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ । ଆପାର୍ଟମେଣ୍ଟରେ ପହଞ୍ଚିବା ରାସ୍ତା ଅଣ ଓସାରିଆ ଥିବାରୁ ସେମାନଙ୍କୁ ଅସୁବିଧା ‌ହୋଇଥିଲା । ତେଣୁ ଦମକଳ ଗାଡ଼ିଗୁଡ଼ିକୁ ପ୍ରାୟ ୩୦୦/୪୦୦ ମିଟର୍‌ ଦୂରରେ ରଖିବାକୁ ପଡ଼ିଥିଲା ।

ଅନେକ ଉଦ୍ୟମ ପରେ ଆପାର୍ଟମେଣ୍ଟରୁ ୭୦ରୁ ଅଧିକ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ଏହି ଅଘଟଣରେ ୫୦ରୁ ଅଧିକ ଜଣ ଆଖି ବୁଜି ଦେଇଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା ତାହା ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି ।