• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷଟିଏ ବିତିଲାଣି, ଥମୁନି ଯୁଦ୍ଧ ଘନଘଟା । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି, ତଥାପି ଜିଦରେ ଅଟଳ ଦୁଇ ଯିଦଖୋର୍ ରାଷ୍ଟ୍ରମୁଖ୍ୟ । ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ୟା ଭିତରେ ପୁରିଛି ଗୋଟିଏ ବର୍ଷ । ୨୦୨୨ ଫେବ୍ରୁଆରୀ ୨୪, ଠିକ ଆଜିର ଦିନରେ ୟୁକ୍ରେନ୍ ବିରୋଧରେ ଆରମ୍ଭ ହୋଇଥିବା ରୁଷର ଆକ୍ରମଣ ଆଜି ବି ବଳବତ୍ତର ରହିଛି । ମସ୍କୋର ଘନ ଘନ ଏୟାର ଷ୍ଟ୍ରାଇକ୍, ବୋମା ଓ ଟ୍ୟାଙ୍କ୍ ମାଡ଼ରେ ନଷ୍ଟ ଭ୍ରଷ୍ଟ ହେଲାଣି ସୁନ୍ଦର ୟୁକ୍ରେନର ଅଧିକାଂଶ ସହର ।

ବର୍ଷେ ଧରି ଯୁଦ୍ଧ ଘନଘଟା ଭିତରେ ଜୀବନ ବିତାଉଛନ୍ତି ୟୁକ୍ରେନବାସୀ । ଏ ଯୁଦ୍ଧରେ ଏଯାଏଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତାର ସଠିକ ତଥ୍ୟ ନଥିଲେ ବି ୩ ଲକ୍ଷରୁ ଅଧିକ ଜନତା ଓ ସୈନିକ ମୃତାହତ ହୋଇଥିବା ଅନୁମାନ କରାଯାଏ । ଏଭଳି ସ୍ଥିତିରେ ରୁଷ ଯୁଦ୍ଧ ବନ୍ଦ କରି ୟୁକ୍ରେନ ଛାଡ଼ିବାକୁ ଜାତିସଂଘ ସାଧାରଣ ପରିଷଦ UNGAରେ ପ୍ରସ୍ତାବ ପାରିତ ହେବା ବିଶ୍: ପାଇଁ ଆଶ୍ୱସ୍ତି ଆଣିଛି । ହେଲେ ଯୁଦ୍ଧରେ କେବେ ବିରାମ ଲାଗିବ, ସେ ସଙ୍କେତ ଏଯାଏଁ ମିଳିନି ।

ଏଣେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ନେଇ ମହାଶକ୍ତି ଆମେରିକା ଓ ରୁଷ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବାରୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି କରିଥିବା ଏ ବିବାଦ କେତେବେଳେ ଉଗ୍ର ରୂପ ନେବ ତାହା କହିବା ମୁସ୍କିଲ।

ରୁଷ ଓ ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱକୁ ପ୍ରଭାବିତ କରିଛି । ରାଜନୈତିକ, କୁଟନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଅନେକ ଦେଶ ପାଇଁ ସଂକଟ ଜନକ ପରିସ୍ଥିତି ଛିଡ଼ା କରିଛି ଦୁଇ ଦେଶ ମଧ୍ୟରେ ଏ ଲମ୍ବା ଲଢେଇ । ତେବେ ସବୁ ପରୋକ୍ଷ ଭାବେ ସମସ୍ୟା ସୃଷ୍ଟି କରୁଥିବା ବେଳେ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି ଓଡ଼ିଶାର ଶହ ଶହ ଛାତ୍ରଛାତ୍ରୀ । ଯୁଦ୍ଧ ପାଇଁ ୟୁକ୍ରେନର ଏକାଧିକ ମେଡିକାଲ ଓ ଇଂଜିନିୟରି ସହ ଅନ୍ୟ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ବି ଅନ୍ଧାରରେ ।

ଭଦ୍ରକ ବନ୍ତ ଅଞ୍ଚଳର ଅର୍ଚ୍ଚନା କର। ଡାକ୍ତରୀ ପାଠରେ ଡୋରୀ ବାନ୍ଧି, ଏବେ ଯୁକ୍ତ ତିନି କଳାର ପ୍ରଥମ ବର୍ଷ ଛାତ୍ରୀ । ସେହିଭଳି ରାୟଗଡ଼ା ଗୁଣୁପୁର ଅଞ୍ଚଳର ଚୀନାରୀ ସମ୍ପଦ । ତାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ନେଇ କେନ୍ଦ୍ର ସରକାରଙ୍କ ନିରାଶ ବାଣୀ ପରେ ଭୁବନେଶ୍ୱରରେ ରହି ନିଜକୁ ନିଟ୍ ପାଇଁ ପ୍ରସ୍ତୁତି କରୁଛନ୍ତି । ସେହିଭଳି ଖାର୍କିଭ୍ ନ୍ୟାସନାଲ ମେଡିକାଲ ୟୁନିଭରିସିଟିରେ ଏବେ ବି ଅନଲାଇନ୍ ପାଠପଢ଼ା ଚାଲୁ ରଖିଛନ୍ତି ଭୁବନେଶ୍ୱରର ବର୍ଷା ରାଣୀ ଦଳାଇ। ସରକାର ଏମାନଙ୍କ ପାଇଁ କିଛି ବ୍ୟବସ୍ଥା କରିନଥିବାରୁ ମନରେ ଅନେକ କ୍ଷୋଭ ।