• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇସ୍ରାଏଲ-ହମାସ୍ ଯୁଦ୍ଧକୁ ସପ୍ତାହେ ପୂରିଥିବା ବେଳେ, ସାମ୍ନାକୁ ଆସୁଛି ଅନେକ ହୃଦୟବିଦାରକ ଦୃଶ୍ୟ, ଅନେକ ଛାତିଥରା କାହାଣୀ । ଇସ୍ରାଏଲ୍‌ ଏକ ଗାଁରେ ଯେଉଁଠି ଇସ୍ରାଏଲ ସୀମା ଟପି ପ୍ରଥମେ ଗଣହତ୍ୟା ଭିଆଇଥିଲେ ହମାସ୍ ଆତଙ୍କୀ । ମୁଖ୍ୟତଃ ଚାଷୀ ସମୁଦାୟ ରହୁଥିବା କିବୁଜ୍ ବେରି ଗାଁରେ ଏବେ ଜଣେ ବି ଲୋକ ନାହାନ୍ତି । ହେଲେ ସେଠାକାର ବିଭତ୍ସ ଦୃଶ୍ୟ, ଏବେବି ଚିତ୍କାର କରି କହୁଛି ସପ୍ତାହେ ତଳର ନୃଶଂସତା ।

ଏଠି କାଳେ ବେଶ୍ ସୁନ୍ଦର ଦିଶେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ । ଦିଗନ୍ତ ଯାଏଁ ହସେ ସବୁଜ ସୁନେଲି କ୍ଷେତ । ହେଲେ ଇସ୍ରାଏଲର ଏ ଛୋଟିଆ ଚାଷୀଙ୍କ ଗାଁ, ଏବେ ପୂରା ଖାଁ ଖାଁ । ଚାରିଆଡ଼େ ମୃତ୍ୟୁର ଗନ୍ଧ । ଗାଜା ସୀମାଠୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛୋଟିଆ ଗାଁ କିବୁଜ୍ ବେରିରେ ଗତ ଶନିବାର ସୂର୍ଯ୍ୟ ଉଇଁବା ବେଳେ କେମିତି ଦିଶୁଥିଲା, କାହାକୁ ଜଣାନାହିଁ ।

କାରଣ ରକ୍ତିମ ସୂର୍ଯ୍ୟ ଉଇଁବା ଆଗରୁ, ଏଠି ରକ୍ତର ହୋଲି ଖେଳିଥିଲେ ହମାସ୍ ଆତଙ୍କୀ । ଲୋକେ ଶେଯ ଛାଡ଼ିବା ଆଗରୁ, ରଚିଥିଲେ କିବୁଜ୍ ନରସଂହାର । ଇସ୍ରାଏଲର ଏହି ଗାଁ ବନିଥିଲା ହମାସର ପ୍ରଥମ ଶିକାର । ପ୍ରାୟ ୧୨ଶହ ଲୋକ ରହୁଥିବା ଏହି ଗାଁରେ ଏବେ ଆଉ କେହି ବି ନାହାନ୍ତି ସତ, ହେଲେ ସେଦିନର ଆତଙ୍କ ବଖାଣିବା ପାଇଁ ଏଇ ଖିନ୍‌ଭିନ୍ ଘରଦ୍ୱାର ହିଁ ଯଥେଷ୍ଟ ।

୭ ତାରିଖ ସକାଳୁ ସକାଳୁ ଏଠି କେମିତି ନୃଶଂସତାର ସୀମା ଟପି ମୃତ୍ୟୁର ଖେଳ ଖେଳିଥିଲା ହମାସ୍, ତାର ଛାତିଥରା ଦୃଶ୍ୟ ଗଣମାଧ୍ୟମକୁ ବଖାଣିଛନ୍ତି ଜଣେ ମୃତଦେହ ଉଦ୍ଧାରକାରୀ । ଯାହା ବଖାଣିଛନ୍ତି, ତାହା ଆପଣଙ୍କୁ ବିଚଳିତ କରିପାରେ । ସେ ପହଞ୍ଚିବା ବେଳକୁ, କିବୁଜ୍ ବେରି ପାଲଟିଥିଲା କଂସେଇ ଖାନା । ପ୍ରଥମ ଘର ଭିତରେ ପଶି ଯେଉଁ ବିଭତ୍ସ ଦୃଶ୍ୟ ଦେଖିଲେ, ତାଙ୍କର ଛାତି ଥରିଗଲା । ଗର୍ଭବତୀଙ୍କ ଚିରାପେଟ ଭିତରେ ଚିରନିଦ୍ରାରେ ଶୋଇଯାଇଛି, ନାଭିନାଡ଼ ଲାଗିଥିବା ଏକ ନିସ୍ତେଜ ଶିଶୁ । ବହୁ ଘରେ ଶିଶୁ ମାନଙ୍କୁ ପଛପଟୁ ହାତ ବାନ୍ଧି ଗୁଳି କରି ହତ୍ୟା କରାଯାଇଥିଲା ଓ ଅନେକଙ୍କୁ ଜାଳି ଦିଆଯାଇଥିଲା ।

ଏହି ଗାଁରୁ ଶତାଧିକ ମୃତଦେହ ମିଳିଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୦ ଜଣ ଶିଶୁ । ବହୁ ମୃତକଙ୍କ ଶବ ଏଭଳି ଅବସ୍ଥାରେ ଥିଲା ଯେ, ସେମାନଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଇଥିବା ସ୍ପଷ୍ଟ ଜଣାପଡ଼ୁଥିଲା । ଖାଲି ଘର ଭିତରେ ନୁହେଁ, ବାହାରେ ବି ବର୍ବରକାଣ୍ଡ ଭିଆଇଥିଲେ ଆତଙ୍କୀ । ରାସ୍ତାରେ କାର୍ ଜଳୁଥିଲା, ଆଉ ତା’ଭିତରେ ଅଙ୍ଗାର ପାଲଟି ଯାଇଥିଲା ମଣିଷର ଶବ । ରାସ୍ତା ଉପରେ ଲୋକେ ମରିପଡ଼ିଥିଲେ । ଯେଉଁ ରାସ୍ତା ଅତିକ୍ରମ କରିବାକୁ ୧୫ ମିନିଟ୍ ଲାଗେ, ସେଠୁ ଶବ ଗୋଟାଇବା ପାଇଁ ୧୧ ଘଣ୍ଟା ଲାଗିଥିଲା ।

ଏହି ଗାଁରେ ପ୍ରାୟ ୭୦ ଜଣ ହମାସ୍ ଆତଙ୍କୀ ପଶିଥିବା ବେଳେ, ଏବେ ଏହା ଇସ୍ରାଏଲୀ ସେନା କବଜାରେ ରହିଛି । ଆଉ ଏମାନେ କିବୁଜର ହିରୋ । ଇନବାଲ୍ ଲିବରମ୍ୟାନ୍ ଓ ଏଲିଆ ନାତାନ୍ ଲିଏଣ୍ଟାଲ୍ । ୨୫ ବର୍ଷୀୟା ଇନବାଲ୍ ଏକାକୀ ୫ ଜଣ ଆତଙ୍କୀଙ୍କୁ ମାରିଥିଲେ ଓ ଇସ୍ରାଏଲୀ ସୁରକ୍ଷାକର୍ମୀଙ୍କୁ ଅନୁପ୍ରବେଶ ସଂପର୍କରେ ସତର୍କ କରିଥିଲେ । ସେହିପରି ଏଲିଆ ନାତାନ୍ ବି ୨ ଜଣ ଆତଙ୍କୀଙ୍କୁ ନିଜେ ମାରିବା ସହ, ସୁରକ୍ଷାକର୍ମୀଙ୍କ ସହ ମିଶି ୧୦ରୁ ଅଧିକଙ୍କୁ ନିପାତ କରିଥିଲେ ।

ଏବେ ଇସ୍ରାଏଲୀ ସେନା ଗାଜାରେ ପଶି ଗ୍ରାଉଣ୍ଡ୍ ଆଟାକ୍ କରିବା ପାଇଁ ଟ୍ୟାଙ୍କ ସହ ସୀମାରେ ପୂରା ମୁତୟନ ରହିଛି । ଏଭଳି ବର୍ବରକାଣ୍ଡ ଭିଆଇଥିବା ରାକ୍ଷସଙ୍କୁ ଧରାପୃଷ୍ଠରୁ ନିଶ୍ଚିହ୍ନ ନକରିବା ଯାଏଁ, ଶାନ୍ତିର ନିଶ୍ୱାସ ନେବନି ବୋଲି ପଣ କରିଛି ଇସ୍ରାଏଲ୍ ।