/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756653032.jpg)
Odisha Prawn Industry Hit by Trump’s Tariff | 50% Duty Impact on Seafood Exports
ଓଡ଼ିଶା ଚିଙ୍ଗୁଡ଼ିକୁ ଟ୍ରମ୍ପଙ୍କ ଟାରିଫ୍ ଚଡ଼କ। ଭାରତୀୟ ସାମଗ୍ରୀ ଉପରେ ଆମେରିକା ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ପରେ, ଗଭୀର ଭାବେ ପ୍ରଭାବିତ ହୋଇଛି ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପ। ରାଜ୍ୟର ୯ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବହୁଳ ପରିମାଣରେ ଚିଙ୍ଗୁଡ଼ି ଉତ୍ପାଦନ ହେଉଥିବା ବେଳେ, ଏବେ ଚିଙ୍ଗୁଡ଼ି ଚାଷୀ ଓ କଂପାନୀ କ୍ଷତି ସହିବା ଏବଂ ଅନେକେ ଚାକିରି ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜ୍ୟର ଅଗ୍ରଣୀ ସି-ଫୁଡ୍ ଏକ୍ସପୋର୍ଟର୍
ପୁରୀ ଜିଲ୍ଲା ଅସ୍ତରଙ୍ଗର ଜଣେ ପୁରୁଣା ଚିଙ୍ଗୁଡ଼ି ଚାଷୀ ପ୍ରଭାକର ମହାନ୍ତି। ୩୨ ବର୍ଷ ହେଲା ଏ ବୃତ୍ତିକୁ ଆପଣାଇଥିବା ପ୍ରଭାକର, ୮୦ ଏକର ଜମିରେ ଚିଙ୍ଗୁଡ଼ି ଛାଡ଼ିଥିବା ବେଳେ, ଗତଥର ସହିଥିଲେ ୨୦ ଲକ୍ଷ କ୍ଷତି। ହେଲେ ଏବେ ବେଡ଼ି ଉପରେ କୋରଡ଼ା ମାଡ଼ ସାଜିଲାଣି ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍। ଆଗରୁ ଚିଙ୍ଗୁଡ଼ି କେଜି ପିଛା ୨୦ ଟଙ୍କା ଦର କମିଥିବା ବେଳେ, ଏବେ ୬୦ ଟଙ୍କା କମିଯିବ ବୋଲି ସେ ଆଶଙ୍କା କରୁଛନ୍ତି। ତେଣୁ କ୍ଷତି ଉପରେ କ୍ଷତି ସହି ସେ ଏହି ବେଉସାକୁ କେତେ ଦିନ ଚଳାଇନେବେ, ତାଙ୍କୁ କିଛି ବୁଦ୍ଧିବାଟ ଦିଶୁନି।
କେବଳ ପ୍ରଭାକର କାହିଁକି, ଏବେ ସଂକଟ ଘେରରେ ଓଡ଼ିଶାର ହଜାର ହଜାର ଚିଙ୍ଗୁଡ଼ି ଚାଷୀଙ୍କ ଜୀବନଜୀବିକା। ଓଡ଼ିଶାର ୯ଟି ଯାକ ଉପକୂଳବର୍ତ୍ତୀ ଜିଲ୍ଲାର ୪ ଲକ୍ଷ ୧୮ ହଜାର ହେକ୍ଟର ଜମିରେ ଖାରପାଣି ଚିଙ୍ଗୁଡ଼ି ଉତ୍ପାଦନ ହୋଇଥାଏ।ଦେଶର ତୃତୀୟ ରାଜ୍ୟ ଭାବେ ଓଡ଼ିଶାରୁ ଉତ୍ପାଦନ ହୁଏ ବାର୍ଷିକ ୪୫ ହଜାର ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି। ଚାଷୀ, ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ, ଚିଙ୍ଗୁଡ଼ି ଖାଦ୍ୟ ଉତ୍ପାଦନ ଓ ଆନୁସଙ୍ଗିକ କ୍ଷେତ୍ରକୁ ମିଶାଇ ଓଡ଼ିଶାର ପ୍ରାୟ ୧୫ ଲକ୍ଷ ଲୋକଙ୍କ ଜୀବିକା ପ୍ରତ୍ୟକ୍ଷ ବା ପରୋକ୍ଷ ଏହି ଶିଳ୍ପ ଉପରେ ନିର୍ଭର କରିଥାଏ। ତେଣୁ ଓଡ଼ିଶା ପାଇଁ ଏକ ବଡ଼ ବିଦେଶୀ ବଜାର ଆମେରିକା ଆମଦାନୀ ଶୁଳ୍କ ଅଚାନକ ୫୦ ପ୍ରତିଶତ ବଢ଼ାଇ ଦେବାରୁ, ଚିଙ୍ଗୁଡ଼ି ଶିଳ୍ପ ଆମୂଳଚୁଳ ମାନ୍ଦାବସ୍ଥା ଭୋଗିବାର ଆଶଙ୍କା ରହିଛି। ତେଣୁ କେବଳ ଚାଷୀ ନୁହଁନ୍ତି, ପ୍ରକ୍ରିୟାକରଣ ତଥା ରପ୍ତାନୀକାରୀ ସଂସ୍ଥାକୁ କ୍ଷତି ସହିବା ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକଙ୍କୁ ଚାକିରି ହରାଇବା ଭୟ ଘାରିଲାଣି। ସେପଟେ ଏହି ଇଣ୍ଡଷ୍ଟ୍ରିରେ ପ୍ରାୟ ୮୦ ରୁ ୯୦ ପ୍ରତିଶତ ମହିଳା ଶ୍ରମିକ ନିୟୋଜିତ ହେଉଥିବାରୁ, ସେମାନଙ୍କ ଭିତରେ ବି ଭାଳେଣି ପଡ଼ିଲାଣି।...
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାର ୬୦ଟି ସି-ଫୁଡ୍ କମ୍ପାନୀ ୪ହଜାର ୭ଶହ କୋଟି ଟଙ୍କାର ରପ୍ତାନୀ କରିଥିଲେ। ସେଥିରୁ ସିଂହଭାଗ ଥିଲା ଫ୍ରୋଜେନ୍ ଭେନାମାଇ ଚିଙ୍ଗୁଡ଼ି। ଏଥିରୁ ୧୫ଶହ କୋଟିରୁ ଅଧିକ, ଅର୍ଥାତ୍ ପ୍ରାୟ ୩ ଭାଗରୁ ୧ ଭାଗ ରପ୍ତାନୀ ଆମେରିକାକୁ ହୋଇଥିଲା। ହେଲେ ଏବେ ଆମେରିକାକୁ ବହୁ ପରିମାଣରେ ରପ୍ତାନୀ କମିଗଲାଣି ଟ୍ରମ୍ପଙ୍କ ଟାରିଫ ମାଡ଼ ପରେ। ରାଜ୍ୟର ଅନ୍ୟତମ ପ୍ରମୁଖ ସି-ଫୁଡ୍ ଏକ୍ସପୋର୍ଟ ସଂସ୍ଥା ଫାଲକନ ମେରାଇନ ଅଧ୍ୟକ୍ଷ ତାରା ପଟ୍ଟନାୟକ କହିଛନ୍ତି- ପୂର୍ବରୁ ବି ବିଭିନ୍ନ କ୍ଷେତ୍ରରେ ୧୦ ପ୍ରତିଶତ ଡ୍ୟୁଟି ଲଗାଇଥିବା ଆମେରିକା ଏବେ ଆଉ ୫୦ ପ୍ରତିଶତକୁ ମିଶାଇ ମୋଟ୍ ୬୦ ପ୍ରତିଶତ ଟାରିଫ୍ ଲଗାଇବା ପରେ, ସେଠାକୁ ରପ୍ତାନୀ ଏକପ୍ରକାର ବନ୍ଦ ହେବା ସ୍ଥିତିକୁ ଆସିଗଲାଣି।
ପୂର୍ବରୁ ମାସକୁ ୧୨୦ରୁ ୧୩୦ କଣ୍ଟେନର ରପ୍ତାନୀ ହେଉଥିବା ବେଳେ, ଏବେ ତାହା ମାତ୍ର ୨୦ରୁ ୩୦ କଣ୍ଟେନରକୁ ଖସିଆସିଛି। ତେଣୁ ଏଭଳି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ତାରା। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରପ୍ତାନୀ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ଏବଂ ବିଶେଷତଃ ଦେଶ ଭିତରେ ଚିଙ୍ଗୁଡ଼ି ଚାହିଦା ବଢ଼ାଇବା ପାଇଁ ସେନା ଓ ଅର୍ଦ୍ଧସାମରିକ ବାହିନୀକୁ ଚିଙ୍ଗୁଡ଼ି ଖାଇବା ପାଇଁ ଯୋଗାଯାଉ ବୋଲି ଦାବି କରିଛନ୍ତି । ଏଥିସହ ଚିଙ୍ଗୁଡ଼ି ଏକ ବିକଳ୍ପ ପ୍ରୋଟିନ୍ ବୋଲି ସଚେତନତା ସୃଷ୍ଟି ପାଇଁ ମଧ୍ୟ ଅପିଲ୍ କରିଛନ୍ତି ତାରା ପଟ୍ଟନାୟକ।...
ବାଲେଶ୍ବରରୁ ଚନ୍ଦ୍ରକାନ୍ତ ଜେନା, କୋଣାର୍କରୁ ସଞ୍ଜୟ ପତି ଓ ଭୁବନେଶ୍ବରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)