• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୋମା ପରେ ବୋମା ପକାଇ ଚାଲିଛି ଋଷିଆ । ୟୁକ୍ରେନ୍‌କୁ ଚାରିଆଡ଼ୁ ଘେରିବାକୁ ଚକ୍ରବ୍ୟୁହ ରଚିଛନ୍ତି ଭ୍ଲାଦିମିର୍ ପୁଟିନ୍‌ । ଛୋଟ ଦେଶ ହେଲେ ମଧ୍ୟ କଡ଼ା ମୁକାବିଲା କରୁଛି ୟୁକ୍ରେନ୍‌ । ଛାତି ଦେଖାଇ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ୟୁକ୍ରେନ୍‌ ସୈନିକ । ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ନିଜେ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ । ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ସେ ରାଜି ନୁହଁନ୍ତି ।

ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି । କୌଣସିମତେ ଦେଶର ସୈନିକ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ ନାହିଁ । ସମସ୍ତେ ମିଳିମିଶି ଦେଶକୁ ରକ୍ଷା କରିବୁ । ଆମର ମାତୃଭୂମି, ଆମ ଦେଶ, ଆମ ଲୋକଙ୍କୁ ଆମେ ସୁରକ୍ଷା ଦେବୁ ।

ଜେଲେନସ୍କିଙ୍କ ଏହି ଭିଡିଓ ୟୁକ୍ରେନ ରାଷ୍ଟ୍ରପତି ଭବନ ନିକଟରରେ ସୁଟ କରାଯାଇଛି । ଜେଲେନସ୍କିଙ୍କ ଏହି ଭିଡିଓକୁ ସାରା ବିଶ୍ୱରେ ଲୋକମାନେ ପ୍ରଶଂସା କରିଛନ୍ତି । ଲୋକମାନେ ତାଙ୍କୁ ହିରୋ ବୋଲି କହିଛନ୍ତି । ସେପଟେ ଯୁଦ୍ଧର ଘନଘଟା ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ କିଭ୍‌ ଖାଲି କରିବାକୁ ପ୍ରସ୍ତାବ ଦେଇଛି ଆମେରିକା । ହେଲେ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଲୋଡିମିର ଜେଲେନସ୍କି । କେହି ସାହାଯ୍ୟ ନକଲେ ମଧ୍ୟ ଋଷିଆ ବିରୋଧରେ ଦୃଢ଼ ଭାବରେ ଛିଡ଼ା ହେବା ପାଇଁ ସଫା ସଫା ଶୁଣାଇ ଦେଇଛନ୍ତି ।

ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି । ଜୀବନ ଥିବା ଯାଏଁ ଲଢ଼ିବା ପାଇଁ ପଣ କରିଛନ୍ତି । କିଭ୍‌ ଛାଡ଼ିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ଆମକୁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜେଲେନସ୍କି । ସୂଚନାଯୋଗ୍ୟ ଗତକାଲି ୟୁକ୍ରେନ ସୈନିକଙ୍କ ମନୋବଳ ବୃଦ୍ଧି କରିବା ଲାଗି ଭୋଲଡିମିର ଜେଲେନସ୍କି ୱାର ଜୋନରେ ପ୍ରବେଶ କରିଥିଲେ ।