• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

(Story Written By:- ପ୍ରସନ୍ନ କୁମାର ସାହୁ) 

ୟୁକ୍ରେନ-ଋଷିଆ ଯୁଦ୍ଧର ଘନଘଟା ଭିତରେ ଉଙ୍କି ମାରିଛି ବିଶ୍ୱର ଆଉ ଏକ ବହୁ ପୁରାତନ ବିବାଦ । କୋରିଆ ଭୁଖଣ୍ଡର ଦୁଇ ରାଷ୍ଟ୍ର ଦକ୍ଷିଣ ଓ ଉତ୍ତର କୋରିଆ ମଧ୍ୟରେ ପୁଣି ତେଜିଛି ଉତ୍ତେଜନା । ଦକ୍ଷିଣ କୋରିଆକୁ ଚରମବାଣୀ ଶୁଣାଇଛନ୍ତି ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍ -ଜନ-୍ ଉନ୍‌ଙ୍କ ଭଉଣୀ ତଥା ସରକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ଥିବ କିମ୍-ୟୋ-ଜଙ୍ଗ । ସେ କହିଛନ୍ତି ଦକ୍ଷିଣ କୋରିଆ ଯଦି ଆମ ଉପରେ ଆଗ ଆକ୍ରମଣ କରେ, ତେବେ ଏହା ତାଙ୍କର ମସ୍ତବଡ଼ ଭୁଲ ହେବ । ସେମାନେ ନିଜେ ନିଜର ପତ୍ତନକୁ ଡାକି ଆଣିବେ । ଦ୍ୱିତୀୟ କୋରିଆ ଯୁଦ୍ଧ ଆରମ୍ଭ କରିବା ଲାଗି ଆମର କୌଣସି ଉଦ୍ଦେଶ୍ୟ ନାହିଁ । ମାତ୍ର ଯଦି ଦକ୍ଷିଣ କୋରିଆ ଏଭଳି ଦୁଃସାହସ କରେ, ତେବେ ଆମେ ପରମାଣୁ ବୋମା ପକାଇ ତାଙ୍କୁ ଧ୍ୱଂସ କରିଦେବୁ ।

 

ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ ଉକ୍ ନିଜ ଦେଶର ସାମରିକ କ୍ଷମତାର ଉଦାହରଣ ଦେବା ସହ ନିମିଷିକ ମଧ୍ୟରେ ଉତ୍ତର-କୋରିଆର ବିଭିନ୍ନ ଟାର୍ଗେଟକୁ ଧ୍ୱଂସ କରିଦିଆଯାଇପାରିବ ବୋଲି ଦୃଢୋକ୍ତି କରିଥିଲେ । ଏନେଇ ଦକ୍ଷିଣ କୋରିଆ ନିକଟରେ ରହିଥିବା ବିଭିନ୍ନ ଅତ୍ୟାଧୁନିକ ଓ ଘାତକ ଅସ୍ତ୍ରଶସ୍ତ୍ର ସଂପର୍କରେ ବି ସେ ସୂଚନା ପ୍ରଦାନ କରିଥିଲେ । ଉତ୍ତର-କୋରିଆ ପୁଣି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିବା ପ୍ରରୀପ୍ରେକ୍ଷୀରେ ଏଭଳି କହିଥିଲେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ୍ ।

ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ଚିହିଁଙ୍କି ଉଠିଛନ୍ତି କିମ୍-ୟୋ । ସିଧାସଳଖ ପରମାଣୁ ବୋମା ମାଡ଼ କରିବା ଲାଗି ଧମକ ଦେଇଛନ୍ତି । କେବଳ ଧମକରେ ଅଟକି ନାହାନ୍ତି ୟୋ, ଦକ୍ଷିଣ କୋରିଆକୁ କଟୁ ଭାଷାରେ ସମାଲୋଚନା ବି କରିଛନ୍ତି । ତାଙ୍କ ଦେଶ ଉପରେ ଆକ୍ରମଣ କରିବାର ଦିବାସ୍ୱପ୍ନ ଦେଖିବା ଦକ୍ଷିଣ କୋରିଆ ଛାଡି ଦେଉ ବୋଲି ସେ ତାଚ୍ଛଲ୍ୟ କରିଛନ୍ତି । ନଚେତ୍ ଏହା ତାଙ୍କ ପାଇଁ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ ହେବ ବୋଲି ସେ କହିଛନ୍ତି । ଯଦି ଦକ୍ଷିଣ କୋରିଆ ଆକ୍ରମଣ କରେ ତେବେ ତାଙ୍କ ଦେଶ ନିକଟରେ ଥିବା ସ୍ୱଳ୍ପ ଦୂରଗାମୀ ପରମାଣୁ ଅସ୍ତ୍ର ବ୍ୟବହାର କରି ଦକ୍ଷିଣ କୋରିଆର ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଅନାୟସରେ ଧ୍ୱଂସ କରିଦିଆଯିବ ବୋଲି କିମ୍-ୟୋ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ମୁତୟନ ଥିବା ୨୮ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ବି ଏଥିରୁ ନିସ୍ତାର ପାଇବେ ନାହିଁ ବୋଲି ସେ କହିଛନ୍ତି ।

 

ତେବେ ଏଭଳି ବିସ୍ଫୋରକ ବୟାନ ଦେବା ତାଙ୍କ ପକ୍ଷେ କିଛି ନୂଆ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି । ହଟଚମଟ କଲା ଭଳି ମନ୍ତବ୍ୟ ଦେବାରେ କିମ୍-ୟୋ ମାହିର ଏବଂ ତାକୁ ଗୁରୁତର ସହ ନେବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି ।

ଦକ୍ଷିଣ-କୋରିଆର ଦକ୍ଷିଣପନ୍ଥୀ ନେତା ୟୁନ୍ ସୁକ୍ ଇଓଲ, ମୁନ୍-ଜେ-ଇନ୍‌ଙ୍କ ସ୍ଥାନରେ ଆସନ୍ତା ମାସ ୯ ତାରିଖରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ମୁନ୍-ଜେ-ଇନ୍ । ଉତ୍ତର କୋରିଆ ପ୍ରତି କୋହଳ ମନୋଭାବ ରଖୁଥିବା ବେଳେ ୟୁନ୍-ସୁକ୍ କଠୋର ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର-କୋରିଆ ପ୍ରେସର ଟ୍ୟାକ୍ଟିକ୍ ଖେଳୁଥିବା କୁହାଯାଉଛି । ୨୦୧୮ରେ ରାଷ୍ଟ୍ରପତି ମୁନ୍-ଜେ-ଇନ୍ ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍ ଜଙ୍ଗକୁ ୩ ଥର ଭେଟିଥିଲେ । ଏମିତିକି ତାଙ୍କ ପ୍ରଚେଷ୍ଟା ଯାଗୁଁ ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ସହ କିମ୍‌ଙ୍କ ଶିଖର ବୈଠକ ସମ୍ଭବ ହୋଇଥିଲା ।

ସେହିପରି ୨୦୧୯ରେ ବି ଟ୍ରମ୍ପ-କିମ୍ ବୈଠକ ହୋଇଥିଲା । ତେବେ ଆର୍ଥିକ କଟକଣା କୋହଳ ପ୍ରସଙ୍ଗରେ ସହମତି ହୋଇପାରିନଥିବାରୁ ବୈଠକ ବିଫଳ ହୋଇଥିଲା । ଅନ୍ୟପକ୍ଷରେ ପରମାଣୁ ଅସ୍ତ୍ର ପରିହାର କରିବା ଲାଗି ଉତ୍ତର କୋରିଆକୁ ମନାଇବା ଲାଗି ବାଇଡେନ୍ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ବି ଉଦ୍ୟମ ହୋଇନାହିଁ ।

୧୯୫୦ରୁ ୧୯୫୩ ଯାଏଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ଥିଲା । ଯାହା କୋରିଆ ଯୁଦ୍ଧ ନାଁରେ ପ୍ରସିଦ୍ଧ । ୧୯୫୦ରେ ଉତ୍ତର-କୋରିଆ ସେନା ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିବା ସହ ଏହାକୁ ଅଧିକାର କରିଥିଲା । ଚୀନ୍ ଓ ପୂର୍ବତନ ସୋଭିଏତ୍ ସଂଘ ଉତ୍ତର କୋରିଆ ସପକ୍ଷରେ ଥିବା ବେଳେ ଆମେରିକା ଓ ମିତ୍ର ରାଷ୍ଟ୍ର ଦକ୍ଷିଣ କୋରିଆ ସମର୍ଥନରେ ଠିଆ ହୋଇଥିଲେ । ଜାତିସଂଘ ସେନା ସହାୟତାରେ ଦକ୍ଷିଣ କୋରିଆକୁ ମୁକ୍ତ କରାଯାଇଥିଲା । ଅନ୍ୟପକ୍ଷରେ ୧୯୫୩ ଜୁଲାଇ ୨୭ରେ ସ୍ୱାକ୍ଷରିତ ଆର୍ମିଟାଇସ ସନ୍ଧି ବଳରେ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଅସ୍ତ୍ର ବିରତି ଲାଗୁ ହୋଇଥିଲା । ଏହାସତ୍ତ୍ୱେ ବି ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ କ୍ରମାଗତ ଭାବେ ଉତ୍ତେଜନା ଲାଗି ରହିଛି ।