• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଇକ୍ରୋବ୍ଲଗିଂ କମ୍ପାନୀ ଟ୍ୱିଟରର କର୍ମଚାରୀଙ୍କ ଉପରେ ଏଲନ୍‌ଙ୍କ ଦମନଲୀଳା । ଦିନକୁ ଦିନ ତାଙ୍କର ଅତ୍ୟାଚାର ବଢ଼ିବାରେ ଲାଗିଛି । ତ୍ରାହି ତ୍ରାହି ଡାକିଲେଣି କର୍ମଚାରୀ । ନା ଶାନ୍ତିରେ ଖାଇ ପାରୁଛନ୍ତି, ନା ଶୋଇପାରୁଛନ୍ତି । କାମର ଏପରି ପ୍ରେସର ଯେ ଅଫିସରେ ଶୋଇବାକୁ ବାଧ୍ୟ ହେଉଛନ୍ତି କର୍ମଚାରୀ । ଏପରିକି ଛୁଟି ଗୋଟାଏ ମଧ୍ୟ ମିଳୁନି । ଏଲନ୍‌ ଏବେ କର୍ମଚାରୀଙ୍କ ଉପରେ ଏକଛତ୍ରବାଦ ଶାସନ ଚଳାଇଛନ୍ତି କହିଲେ ଚଳେ । ଟ୍ୱିଟରର ମାଲିକାନା ହାତକୁ ନେବାପରେ ସେ କ୍ରମାଗତ ଭାବରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ଓ ପରିଚାଳନା ଗତ ନିଷ୍ପତ୍ତି ନେଉଛନ୍ତି ।

ବର୍ତ୍ତମାନ କର୍ମଚାରୀଙ୍କ ପାଇଁ ନୂଆ ଫରମାନ୍‌ ଆସିଛି । ପ୍ରତି ସପ୍ତାହରେ ଏବେ ୮୦ ଘଣ୍ଟା କାମ କରିବାକୁ ପଡିବ ବୋଲି ଏଲନ୍‌ କହିଛନ୍ତି ।  ଅନ୍ୟପଟେ ବର୍ତ୍ତମାନ କର୍ମଚାରୀଙ୍କୁ ମିଳୁଥିବା ମାଗଣା ଖାଦ୍ୟ ଆଉ ଉପଲବ୍ଧ ହେବ ନାହିଁ । ଏହାସହ ଏଲନ୍‌ ମସ୍କ ଘରୁ କାମ କରିବା( ୱର୍କ ଫ୍ରମ୍‌) ସୁବିଧା ମଧ୍ୟ ଶେଷ କରିସାରିଛନ୍ତି । କରୋନା ପର ଠାରୁ ଘରେ ରହି କାମ କରୁଥିବା କର୍ମଚାରୀମାନେ ଏବେ ଅଫିସ୍‌ ଆସିବା ଆରମ୍ଭ କରିଛନ୍ତି ।

ଟ୍ୱିଟର କମାଣ ସମ୍ଭାଳିବା ପରେ ଏଲନ୍ ମସ୍କ ପ୍ରଥମ ଥର ପାଇଁ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି । ଆଉ ଏହି ସମୟରେ ସେ କହିଛନ୍ତି, ଯଦି ଆପଣ ଅଫିସକୁ ଆସିବାକୁ ଚାହୁଁନାହାଁନ୍ତି, ତେବେ ଜାଣିନିଅନ୍ତୁ ତୁମର ଇସ୍ତଫା ସ୍ୱୀକାର କରାଯାଇଛି । ୱର୍କ ଫ୍ରମ୍‌ ସୁବିଧା ଆଉ ଚଳିବ ନାହିଁ । ଅଫିସ୍‌ରେ ହିଁ ଆସି କାମ କରିବା ପାଇଁ ପଡ଼ିବ ।

ତେବେ ଏହା ପୂର୍ବରୁ ମଧ୍ୟ ଇଞ୍ଜିନିୟରମାନଙ୍କୁ ଦିନକୁ ୧୨ ଘଣ୍ଟା ଡ୍ୟୁଟି କରିବାକୁ କୁହାଯିବା ସହ ଛୁଟି ମିଳିବନି ବୋଲି କୁହାଯାଇଥିଲା । ଅଧିକ କାମ ପାଇଁ ଅଧିକ ପଇସା କିମ୍ବା ପ୍ରମୋସନ୍ କଥା ବି କେହି ଆଲୋଚନା କରିପାରିବେ ନାହିଁ ବୋଲି ହ୍ୱିପ୍‌ ଜାରି ହୋଇସାରିଥିଲା । ଡେଡ୍‌ଲାଇନ୍‌ ମଧ୍ୟରେ କାମ ସାରିବା ପାଇଁ ମ୍ୟାନେଜର ଲେବୁଲର କର୍ମଚାରୀମାନେ ଅଫିସ୍‌ରୁ ଘରକୁ ଯାଉନଥିଲେ । ନିଦ ଲାଗିଲେ ସେହି ଅଫିସ ଚ୍ୟାମ୍ବରରେ ହିଁ  ଶୋଉଥିବା ଫଟୋ ଅତୀତରେ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟଯେ, ଟ୍ୱିଟର କିଣୁ କିଣୁ କଂପାନୀ ସିଇଓ ପରାଗ୍ ଅଗ୍ରଓ୍ୱାଲଙ୍କୁ ହଟାଇବା ପରେ ନିଜେ ଦାୟିତ୍ୱ ନେଇଥିଲେ ଏଲନ୍‌ । ଏଥି ସହିତ କଂପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ବି ସେ ଭାଙ୍ଗି ଦେଇଥିଲେ । ଫଳରେ କଂପାନୀ ଉପରେ ନିଜର ନିରଙ୍କୁଶ ନିୟନ୍ତ୍ରଣ ସାବ୍ୟସ୍ତ କରିଥିଲେ ମସ୍କ ।