• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆରମ୍ଭ ହେଲା ତାଲିବାନୀ ଶାସନର ଦୌରାତ୍ମ୍ୟ । ପୁରୁଷ ସମ୍ପର୍କୀୟଙ୍କ ବିନା ମହିଳାଙ୍କୁ ଦୂର ଯାତ୍ରା କରିବାକୁ ବାରଣ କରାଯାଇଛି । ଆଫଗାନିସ୍ତାନରେ ପୁଣି ଥରେ ତାଲିବାନ ଶାସନ ଆରମ୍ଭ ହେବା ପରେ ମହିଳାଙ୍କ ମାନବିକ ଅଧିକାରର ଉଲ୍ଲଂଘନ ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ବିଦ୍ୟାଳୟକୁ ଯାଉଥିବା ଛାତ୍ର ଆଉ ବର୍ତ୍ତମାନ ମହିଳାଙ୍କ ଦୀର୍ଘ ଯାତ୍ରା ସମ୍ପର୍କରେ ନୂଆ ନିୟମ ଆଣି ପ୍ରକୃତ ଚେହରା ଦେଖାଇଛି ତାଲିବାନ୍ । ଦୂର ଦୂରାନ୍ତରେ ଯାତ୍ରା କରୁଥିବା ମହିଳାଙ୍କ ସହ କେହି ନିକଟ ସମ୍ପର୍କୀୟ ନଥିଲେ, ସେମାନଙ୍କୁ ଯାତାୟତ ସୁବିଧା ପ୍ରଦାନ କରାଯିବ ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ତାଲିବାନ ଅଧିକାରୀ ।

ଭ୍ରଷ୍ଟାଚାର ସହ ଜଡ଼ିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ସମସ୍ତ ଗାଡି ଚାଳକକୁ ଅଜବ ନିର୍ଦ୍ଦେଶ ଦିଆଯାଇଛି । କେବଳ ହିଜାବ ପିନ୍ଧିଥିବା ମହିଳାଙ୍କୁ ବସିବାକୁ କୁହାଯାଇଛି । ୭୨ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ମହିଳାଙ୍କ ସହ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଯିବାକୁ ପଡିବ । ସାଙ୍ଗରେ କେହି ନଥିଲେ ଯାତାୟତ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ମନ୍ତ୍ରଣାଳୟର ମୁଖପାତ୍ର ସାଦିକ ଆକିଫ ମୁହାଜିର ରବିବାର ଦିନ AFP ନ୍ୟୁଜ ଏଜେନ୍ସିକୁ କହିଛନ୍ତି ।

ଏହା ବ୍ୟତୀତ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ନୂତନ ନିର୍ଦ୍ଦେଶାବଳୀରେ ଲୋକଙ୍କୁ ନିଜ ଗାଡିରେ ଗୀତ ବଜାଇବା ପାଇଁ ମଧ୍ୟ ବାରଣ କରାଯାଇଛି । କିଛି ଦିନ ପୂର୍ବରୁ ଆଫଗାନିସ୍ତାନରେ ଟେଲିଭିଜନ ଚ୍ୟାନେଲ ଗୁଡ଼ିକୁ ମହିଳା ମାନଙ୍କ ସହିତ ଜଡ଼ିତ ପ୍ରସାରଣ ବନ୍ଦ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା । ଏହା ବ୍ୟତୀତ ମହିଳା ନ୍ୟୁଜ୍ ଆଙ୍କରମାନଙ୍କୁ ସ୍କାର୍ଫ୍ ପିନ୍ଧିବାକୁ କୁହାଯାଇଥିଲା । ଇସଲାମିକ ଧର୍ମରେ ହିଜାବ୍ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯାତ୍ରା ସମୟରେ ସମସ୍ତ ମହିଳାଙ୍କୁ ଏହାକୁ ପିନ୍ଧିବାକୁ ପଡିବ ।

ଅଗଷ୍ଟ ମାସରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ ମହିଳା ଓ ଯୁବତୀଙ୍କ ଅଧିକାରକୁ ଅଗ୍ରାଧିକାର ଦେବା ସହ ନିୟମ ସରଳ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦିନ ଗଡ଼ିବା ସଙ୍ଗେ ସଙ୍ଗେ ତାଲିବାନୀ ଶାସନର ଅସଲ ଚେହେରା ସାମ୍ନାକୁ ଆସୁଛି ।