• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୟୁକ୍ରେନ୍ ଯୁଦ୍ଧରେ ଋଷର ଅନ୍ତିମ ଲକ୍ଷ୍ୟ କିଭ୍ ଦଖଲ । ଏଥିପାଇଁ ଗତକାଲି ଠାରୁ ଜୋରଦାର ଆକ୍ରମଣ ଆରମ୍ଭ କରିଛି ଋଷୀୟ ସେନା । କିଭ୍‌କୁ ୨ପଟୁ ଆକ୍ରମଣ କରିବା ସହିତ ସହରକୁ ଘେରିବା ପାଇଁ ଉଦ୍ୟମ ଜାରି ରହିଛି । ତେଣେ ଏହି ଯୁଦ୍ଧରେ ବାୟୋ-ୱିପନ୍ ବା ଜୈବିକ ଅସ୍ତ୍ର ବ୍ୟବହାରର ଆଶଙ୍କାକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ, ଆମେରିକା ଓ ଋଷ ମୁହାମୁହିଁ ହୋଇଛନ୍ତି । ଏପଟେ ୩ଟି ବିମାନ ଯୋଗେ ସୁମିରୁ ଉଦ୍ଧାର ପ୍ରାୟ ୭ଶହ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିବା ପରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଅପରେସନ୍ ଗଙ୍ଗା ।

ଖାର୍କିଭ୍, ଖେରସନ୍‌, ଚନୋବିଲ୍, ମାରିଉପୋଲ, ମେଲିଟପୋଲ ଏବଂ ଓଡେଶା, ୟୁକ୍ରେନ୍ର ୫-୬ଟି ପ୍ରମୁଖ ସହରକୁ କବ୍ଜା କରିବା ପରେ, ଋଷ ଟାର୍ଗେଟ୍‌ରେ କ୍ୟାପିଟାଲ୍ ସିଟି କିଭ୍ । ସହରକୁ ୨ ପଟୁ ଘନ ଘନ ହମଲା କରୁଛି ଋଷୀୟ ସେନା । ପୂର୍ବରୁ ଆକାଶ ମାର୍ଗରୁ ମିଜାଇଲ୍ ମାଡ଼ କରି ସହରର ମୁଖ୍ୟ ଭିତ୍ତିଭୂମି ଗୁଡ଼ିକୁ ଧ୍ୱଂସ କରିଥିବା ବେଳେ, ଏବେ କିଭ୍ ଭିତରେ ପଶିବାକୁ ଉଦ୍ୟମ କରୁଛି ରଷିଆନ୍ ଆର୍ମି ।

ଗତ ସପ୍ତାହେରୁ ଅଧିକ ଦିନ ଧରି କିଭ୍ ବାହାରେ ୬୪ କିଲୋମିଟର ବାଟ ଲାଇନ୍ ଲଗାଇଥିବା ଶହ ଶହ ଋଷୀୟ ଟ୍ୟାଙ୍କ୍ ଓ ଯୁଦ୍ଧ ଗାଡ଼ି ପୋଜିସନ୍ ବଦଳାଇଛି କିଭ୍ ଘେରିବା ପାଇଁ । ଅଧିକାଂଶ ଯୁଦ୍ଧ ବାହନ ଉତ୍ତର-ପୂର୍ବ ଦିଗକୁ ଯାଇଥିବା ବେଳେ, କିଛି ଟ୍ୟାଙ୍କ୍ ଜଙ୍ଗଲ ଭର୍ତ୍ତି ଅଞ୍ଚଳରେ ଲୁଚି ରହିଛି । କିଭ୍ ଉପକଣ୍ଠ ଇରପିନ୍ ଓ ବୁକାରେ ବି ଲଗାତାର ବୋମାବର୍ଷା ଜାରି ରହିଛି ।

ଅନ୍ୟପକ୍ଷରେ ୟୁକ୍ରେନ୍ ସେନା କିଭ୍‌ର ପ୍ରତିଟି ରାସ୍ତା, କୋଠା ଓ ଚେକ୍ ପଏଣ୍ଟକୁ ଜଗି ରହିବା ସହ ମୁଖ୍ୟ ହାଇୱେରେ ଋଷୀୟ ସେନାକୁ କଡ଼ା ଟକ୍କର୍ ଦେଇଛି । କିଭ୍‌କୁ ବହୁ ଦୂରରେ ଥିବା ନିପ୍ରୋ ଓ ଲୁସ୍କରେ ମଧ୍ୟ ଆକ୍ରମଣ ଜାରି ରହିଛି । ଲୁହାନ୍ସକ୍‌ ଓ ଡୋନେସ୍କ ଅଞ୍ଚଳର କୌଣସି ଲଢ଼ାକୁ ନିଜ ଇଚ୍ଛାରେ ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ଯୋଗ ଦେବାକୁ ଚାହୁଁଥିଲେ, ତାଙ୍କୁ ଜବତ ହୋଇଥିବା ପାଶ୍ଚାତ୍ୟ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ ବୋଲି ପୁଟିନ କହିଛନ୍ତି ।

ତେଣେ ପୁଟିନ ଯୁଦ୍ଧ ହାରିବା ରାଗରେ ନିଜର ୫ଜଣ ଟପ୍ ଜେନେରାଲ୍‌କୁ ପଦଚ୍ୟୁତ କରିଥିବା ଏବଂ ଗୁଇନ୍ଦା ଅଧିକାରୀଙ୍କ ଉପରେ ବର୍ଷିଥିବା ୟୁକ୍ରେନ୍ ଦାବି କରିଛି । ୟୁକ୍ରେନ୍‌ର ସମସ୍ତ ପରୀକ୍ଷାଗାରରେ ସଂରକ୍ଷିତ ଥିବା ବିପଜ୍ଜନକ ପାଥୋଜେନ୍ ବା ଜୀବାଣୁ ଓ ଭୂତାଣୁକୁ ବେଳ ଥାଉ ଥାଉ ନଷ୍ଟ କରିଦେବା ପାଇଁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହିସବୁ ପରୀକ୍ଷାଗାର ଆକ୍ରମଣର ଶିକାର ହେଲେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।

ଏଭିତରେ ଚର୍ଚ୍ଚା ଜୋର୍ ଧରିଛି, ୟୁକ୍ରେନ୍ ଯୁଦ୍ଧରେ ଜୈବିକ ଅସ୍ତ୍ର ବା ବାୟୋ-ୱିପନ୍‌ର ବ୍ୟବହାରକୁ ନେଇ ୟୁକ୍ରେନ୍, ଆମେରିକା ସହାୟତାରେ ଏହି ଅସ୍ତ୍ର ନିର୍ମାଣ କରୁଥିବା ଋଷ ଅଭିଯୋଗ ଲଗାଇଥିବା ବେଳେ, ପୁଟିନ ମିଛ ବାହାନା କରି ନିଜେ ୟୁକ୍ରେନ୍ ବିରୁଦ୍ଧରେ ବାୟୋ ୱିପନ୍ ବ୍ୟବହାର ପାଇଁ ଷଡ଼ଯନ୍ତ୍ର କରୁଥିବା ହ୍ୱାଇଟ୍‌ହାଉସ୍ କହିଛି ।

ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ନିଜ ଦେଶର ପରୀକ୍ଷାଗାରରେ ଜୈବିକ ବା ରାସାୟନିତ ଅସ୍ତ୍ର ନିର୍ମାଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେପଟେ ୟୁକ୍ରେନ୍ ଆକ୍ରମଣରେ TOS-1A ଥର୍ମୋବାରିକ୍ ରକେଟ୍ ବା ଭାକ୍ୟୁମ୍ ବୋମାର ବ୍ୟବହାର ହୋଇଥିବା ନିଜେ ଋଷ ସ୍ପଷ୍ଟ କରିଛି ବୋଲି ଟୁଇଟ୍ କରି ଜଣାଇଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ । ଭାକ୍ୟୁମ୍ ବୋମା ବିସ୍ଫୋରଣ ସ୍ଥଳରୁ ଆଖି ପିଛୁଳାକେ ଅମ୍ଳଜାନ ଶୋଷିନେଇ ଏକ ଉଚ୍ଚ ତାପମାତ୍ର ଓ ସକ୍ ୱେଭ୍ ବ୍ଲାଷ୍ଟ୍ କରାଇଥାଏ, ଯାହାକି ମଣିଷକୁ ନିମିଷକେ ବାଷ୍ପିଭୂତ କରିବାକୁ ଯଥେଷ୍ଟ ।

ଏଣେ ଅପରେସନ୍ ଗଙ୍ଗାର ଅନ୍ତିମ ଚରଣରେ, ଏୟାର୍ପୋର୍ଟରେ ଭାବବିହ୍ୱଳ ପରିବେଶ ସୁମିରୁ ଫେରିଥିବା ପୁଅଝିଅଙ୍କୁ ଲୁହ ଭିଜା ଆଖି, କୋହ ଭରା ଛାତିରେ ସ୍ୱାଗତ କରୁଛନ୍ତି ବାପା ମାଆ ଓ ସଂପର୍କୀୟ । ୟୁକ୍ରେନ୍‌ର ଅନ୍ୟ ସମସ୍ତ ସହରରୁ ପ୍ରାୟ ସବୁ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିଆସିଥିବା ବେଳେ, ଶେଷକୁ କେବଳ ସୁମି ସହରରେ ପ୍ରାୟ ୭ଶହ ଜଣ ଫସି ରହିଥିଲେ । ତେବେ ସେମାନଙ୍କୁ ଭାରତ ସରକାର ପୋଲାଣ୍ଡ୍ ଦେଇ ୩ଟି ବିମାନରେ ସୁରକ୍ଷିତ ଉଦ୍ଧାର କରିବା ପରେ, କୋଟିନିଧି ଫେରିପାଇଛନ୍ତି । ଏହି ଭାବବିହ୍ୱଳ ଅଭିଭାବକମାନେ ସୁମି ଫେରନ୍ତା ମେଡିକାଲ୍ ଛାତ୍ରଛାତ୍ରୀ ବି ବଖାଣିଛନ୍ତି ସେଠାକାର ଦୁର୍ଦ୍ଦଶାର କଥା ।

ଋଷର ଆକ୍ରମଣ ପରେ ୟୁକ୍ରେନ୍‌ର ଅର୍ଦ୍ଧାଧିକ ଶିଳ୍ପ ଓ ବ୍ୟବସାୟ ବନ୍ଦ ହୋଇଯାଇଥିବା ବେଳେ, ୧୦ ହଜାର କୋଟି ଡଲାର୍ର ଭିତ୍ତିଭୂମି ଧ୍ୱଂସ ହୋଇଥିବା ୟୁକ୍ରେନ୍ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଓଲେଗ୍ ଉସ୍ତେଙ୍କୋ କହିଛନ୍ତି । ତେଣେ ୧୬ ଦିନର ଯୁଦ୍ଧ ଭିତରେ ପ୍ରାୟ ୨୦ ଲକ୍ଷ ଲୋକ ୟୁକ୍ରେନ୍ ଭିତରେ ସ୍ଥାନାନ୍ତର ହେବା ସହ ୨୫ ଲକ୍ଷ ଲୋକ ଅନ୍ୟ ଦେଶକୁ ପଳାୟନ କଲେଣି ।