• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତୀ ମଣିଷ ଲଢ଼େଇର ଆପଣ ଅନେକ ଚିତ୍ର ଦେଖିଛନ୍ତି । କେଉଁଠି ହାତୀ ଉପଦ୍ରବ ତ କେଉଁଠି ଆତଙ୍କରେ କମ୍ପିଥାଏ ଗାଁ, ଗଣ୍ଡା ଓ ସହର ଉପକଣ୍ଠ । ହାତୀ-ମଣିଷ ଓ ମଣିଷ-ହାତୀ ଲଢ଼େଇ ମଧ୍ୟରେ କେବେ ହାତୀ ଦଳି ଦେବାରୁ ମଣିଷ ମରୁଛି ତ ପୁଣେ କେଉଁଠି ଶିକାରୀ ଆକ୍ରମଣରେ ଆହତ ହୋଇ ଜୀବନ ହାରୁଛି ହାତୀ । ପୁଣି କେଉଁଠି ସାଥୀ ସାଜୁଛି ହାତୀ, ଆଉ ସେଇ ସାଥୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ତୁଚ୍ଛ କରିଥାଏ ମଣିଷ ।

ଠିକ୍ ଏମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଳ ମିଡିଆରେ ଏକ ଗଜଉଦ୍ଧାରଣ ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେଉଛି । ଭିଡିଓଟି ଥାଇଲାଣ୍ଡର ବୋଲି ଜଣାପଡ଼ିଛି । ସ୍ଥାନୀୟ ଖାଓ ୟାଇ ନ୍ୟାସନାଲ ପାର୍କରୁ ଆସିଛି ସେହି ଚିତ୍ର । ସେଠାରେ କ୍ରେନ୍ ସାହାଯ୍ୟରେ କରାଯାଇଛି କୁନି ହାତୀର ରେସକ୍ୟୁ ଅପରେସନ । ପାଖରେ ଅଚେତ ଅବସ୍ଥାରେ ପଡ଼ିଥିବା ହାତୀକୁ ଉଦ୍ଧାର ପାଇଁ କରାଯାଇଛି ପ୍ରୟାସ ।

 

ପାର୍କ ଓ ବନ ବିଭାଗ କତ୍ତୃପକ୍ଷ ତା ସାଙ୍ଗକୁ ପଶୁ ବିଶେଷଜ୍ଞ ଟିମ୍ ଲାଗି ପଡ଼ିଛନ୍ତି ହାତୀ ରେସକ୍ୟୁ ଅପରେସନରେ । ରାସ୍ତା କଡ଼ରେ ଥିବା ଏକ ଡ୍ରେନ୍‌ରେ ଗଳି ପଡ଼ିଥିଲା ଏହି ବର୍ଷକର ହାତୀ ଛୁଆ । ତାକୁ ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲା ମାଆ ହାତୀ ।

ଖବର ପାଇ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ୧୦ ବର୍ଷୀୟ ମାଆ ହାତୀକୁ ସୁରକ୍ଷିତ ଉଦ୍ଧାର ପାଇଁ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା । ଏହା ପରେ କ୍ରେନ୍ ସାହାଯ୍ୟରେ ମାଈ ହାତୀକୁ ସୁରକ୍ଷିତ ସ୍ଥାନକୁ ଉଠାଇ ଅଣଯାଇଥିଲା । ଏହାର କିଛି କ୍ଷଣ ମଧ୍ୟରେ ହିଁ ବର୍ଷକର କୁନି ହାତୀ ଛୁଆକୁ ମଧ୍ୟ ରେସକ୍ୟୁ ଟିମ୍ ସଫଳତାର ସହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ତେବେ ରେସକ୍ୟୁ ଟିମ୍ ମାଈ ହାତୀର ଚେତା ନ ଫେରିବାରୁ ଚିନ୍ତାରେ ପଡ଼ିଯାଇଥିଲେ, ଏହା ପରେ ହାତୀ ଉପରେ ଚଢ଼ିଯାଇଥିଲେ ପଶୁ ଡାକ୍ତରୀ ଟିମ୍ । ସିପିଆର ଦ୍ୱାରା ହାତୀର ଜୀବନ ରକ୍ଷା ପାଇଁ ଲାଗି ପଡ଼ିଥିଲା ଟିମ୍ । ବାସ୍ କିଛି ସମୟର ପରିଶ୍ରମ ପରେ ନାଟକୀୟ ଶୈଳୀରେ ହାତୀ ଉଠିଥିଲା ଏବଂ ଛୁଆ ହାତୀ ସହ ରାସ୍ତା ପାର୍ ହୋଇ ପାର୍କ ଭିତରକୁ ଚାଲିଯାଇଥିଲା । ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।