• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକୀୟ ଦେଶ ନାମିବ୍ୟା। ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ। ଦେଶରେ ଖାଦ୍ୟ ଭଣ୍ଡାର ସରି ଆସିଲାଣି। ଏପରିସ୍ଥିତି ନାମ୍ୱିଆ ସରକାର ଏକ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ସଂକଟ ଦୂର କରିବା ପାଇଁ ହାତୀ ଏବଂ ଜଳହସ୍ତୀ ସମେତ ୭୦୦ରୁ ଊଦ୍ଧ୍ୱର୍ ବନ୍ୟଜନ୍ତୁଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କଲେ ଲୋକଙ୍କ ଖାଦ୍ୟାଭାବ ପୂରଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ ନାମିବ୍ୟା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପରିଚିତ। ମାତ୍ର ଏହା ଏବେ ଶତାବ୍ଦୀର ସବୁଠାରୁ ଭୟଙ୍କର ମରୁଡ଼ି ଦେଇ ଗତି କରୁଛି। ନାମିବ୍ୟାର ୨୫ ଲକ୍ଷ ଲୋକ ଭୟଙ୍କର ଖାଦ୍ୟ ସଂକଟର ସାମ୍ନା କରୁଛନ୍ତି ତେବେ ଦେଶର ପ୍ରାକୃତିକ ଉତ୍ସ ବିଶେଷକରି ବନ୍ୟଜନ୍ତୁଙ୍କ ମାଧ୍ୟମରେ ଲୋକଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ଏଠାକାର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୮୩ଟି ହାତୀ, ଜଳହସ୍ତୀ ସମେତ ୭୦୦ରୁ ଊଦ୍ଧ୍ୱର୍ ବନ୍ୟଜନ୍ତୁଙ୍କୁ ମରାଯିବ ବୋଲି ଜଣାପଡିଛି।

ଏହି ଭୟଙ୍କର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି ମିଳିତ ଜାତିସଂଘ । ଜାତିସଂଘର ମହାସହିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ତରଫରୁ ଜଣେ ମୁଖପାତ୍ର ଏ ସମସ୍ୟାକୁ ମାନବ ସଙ୍କଟ ବୋଲି ଦର୍ଶାଇଛନ୍ତି । ବେଞ୍ଜାମିନ୍ ସୁଆରାଟୋଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ମରୁଡ଼ି ଏକ ସାଧାରଣ ଘଟଣା। ବିଶେଷ କରି ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ବାରମ୍ବାର ମରୁଡି ପରିସ୍ଥିତି ଦେଖାଦେଇଛି । ମାତ୍ର ବର୍ତ୍ତମାନ ଏହା ଉତ୍କଟ ରୂପ ଧାରଣ କରିଛି।

୫ ବର୍ଷରୁ କମ୍‌ ବୟସ୍କ ପିଲାମାନେ କ୍ଷୁଧା ଏବଂ କୁପୋଷଣର ଶିକାର ହେଉଛନ୍ତି। ଲୋକଙ୍କ ପାଇଁ ଖାଦ୍ୟ ନାହିଁ ଏବଂ ପଶୁମାନେ ମଧ୍ୟ ଖାଇବାକୁ ପାଉନାହାନ୍ତି। ତେବେ ଚଳିତ ବର୍ଷର ଭୟଙ୍କର ମରୁଡ଼ିର ଏକ ପ୍ରମୁଖ କାରଣ ହେଉଛି ଏଲନିନୋ। ଜଳବାୟୁ ପରିବର୍ତ୍ତନ ଓ ବର୍ଷା ନହେବା କାରଣରୁ ସ୍ଥିତି ଭୟଙ୍କର ହୋଇଛି । ଫେବ୍ରୁଆରୀରେ ଏ ପ୍ରାନ୍ତରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । କିନ୍ତୁ ଏଠି ଆବଶ୍ୟକଠାରୁ ୨୦% କମ୍‌ ବର୍ଷା ହୋଇଥିବା ଜଣାପଡ଼ିଛି ।

ନାମିବ୍ୟାରେ କୃଷି ଏବଂ ପଶୁପାଳନ ଉପରେ ଲୋକମାନେ ନିର୍ଭର କରିଥାଆନ୍ତି। ମାତ୍ର ଏବେ ଲୋକ ଖାଦ୍ୟ ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି। ଏପରିସ୍ଥିତିରେ ହାତୀ ବ୍ୟତୀତ ୩୦୦ଟି ଜେବ୍ରା, ୩୦ ଟି ଜଳହସ୍ତୀ, ୫୦ଟି ମୃଗ, ୬୦ଟି ବଳଦ, ୧୦୦ଟି ମଇଁଷି ଏବଂ ୧୦୦ଟି ଏଲାଣ୍ଡଙ୍କୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now