Mullah Baradar
କାବୁଲ୍: ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ବରାଦର ଆଫଗାନରେ ଗଠନ ହେବାକୁ ଥିବା ଇସଲାମ୍ ଏମିରେଟ୍ସ ସରକାରର ମୁଖ୍ୟ ହେବେ ବୋଲି ସୂଚନା ମିଳିଛି। ତେବେ ଆଜି ଏନେଇ ସଂଗଠନ ପକ୍ଷରୁ ବିଧିବଦ୍ଧ ଭାବେ ଭାବେ ଘୋଷଣା କରାଯିବ। ବରାଦରଙ୍କ ସହଯୋଗୀ ଭାବେ କାମ କରିବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ। ଏହାସହ ଦ୍ୱିତୀୟ ସହଯୋଗୀ ଭାବେ ସରକାର ପରିଚାଳନାରେ ରହିବେ ଶେର୍ ମହମ୍ମଦ ଆବାବା ଷ୍ଟାନେକଜାଇ।
ସୂଚନା ଅନୁସାରେ, ସରକାର ଗଠନ ପୂର୍ବରୁ ସମସ୍ତ ବରିଷ୍ଠ ନେତା ଆସି କାବୁଲରେ ପହଞ୍ଚିଛନ୍ତି। ଖୁବଶୀଘ୍ର ସରକାର ଗଠନ ସଂପର୍କରେ ଚୂଡ଼ାନ୍ତ ଘୋଷଣା କରାଯିବ। ତେବେ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ହିବାତୁଲ୍ଲା। ଅଖୁନ୍ଦଜାଦା ହିବାତୁଲ୍ଲା ତାଲିବାନ ସରକାରର ମୁଖିଆ ହେବେ ବୋଲି ପୂର୍ବରୁ ଶୁଣାଯାଉଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି।
Also Read
ସେପଟେ ରାଜଧାନୀ କାବୁଲ ସହ ଦେଶର ବିଭିନ୍ନ ପ୍ରାନ୍ତକୁ ଅକ୍ତିଆର କରିଥିବା ତାଲିବାନ ଏବେ ପଞ୍ଜଶିର କବଜା କରିପାରିନାହିଁ। ବିଭିନ୍ନ ସେରରୁ ପଞ୍ଜଶିରରେ ପ୍ରବେଶ ଲାଗି ତାଲିବାନ ଚେଷ୍ଟା କରୁଥିଲେ ବି ନର୍ଦର୍ଣ୍ଣ ଆଲାଏନ୍ସ ପକ୍ଷରୁ ପ୍ରତିରୋଧର ସାମନା କରିବାକୁ ପଡୁଛି। ନର୍ଦର୍ଣ୍ଣ ଆଲାଏନ୍ସ ସହ ଲଢ଼େଇରେ ଅନେକ ତାଲିବାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଛି।
ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ଆଫଗାନିସ୍ତାନ ସେନାର କିଛି ଯବାନ ଓ ନର୍ଦର୍ଣ୍ଣ ଆଲାଏନ୍ସ ଉଗ୍ରବାଦୀ ତାଲିବାନକୁ ଚେକ୍ ଦେଉଛନ୍ତି। ତେବେ ପଞ୍ଜଶିର କବଜା କରିବା ନେଇ ତାଲିବାନ ଓ ନର୍ଦର୍ଣ୍ଣ ଆଲାଏନ୍ସ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ବି ବିଫଳ ହୋଇଛି। ଏବେ ତାଲିବାନ ଯେପରି ପଞ୍ଜଶିରରେ ପ୍ରବେଶ ନ କରିପାରିବ ସେ ଉପରେ ଗୁରୁତ୍ୱ ଦେଉଛି ନର୍ଦର୍ଣ୍ଣ ଆଲାଏନ୍ସ।
ଦେଶରେ ନିର୍ବାଚିତ ସରକାରର ପତ୍ତନ ଓ ତାଲିବାନ ସରକାର ଗଠନ ହୋଇ ନଥିବାବେଳେ ଆଫଗାନିସ୍ତାନରେ ଆର୍ଥିକ ସଂକଟ ଉଗ୍ରରୂପ ଧାରଣ କରିଛି। ସରକାରର କୌଣସି ବୈଧତା ନଥିବାରୁ ବିଦେଶୀ ପୁଞ୍ଜି ନିବେଶ ଓ ସହୟତା ଯୋଗାଇ ଦେଉଥିବା ସଂଗଠନ ଓ ଦେଶ ଦୂରେଇ ଯାଉଥିବାରୁ ଆଫଗାନିସ୍ତାନରେ ଆର୍ଥିକ ସଂକଟ ଦେଖାଦେଇଛି। ଅର୍ଥ ଅଭାବରୁ ଅନେକ ଆଫଗାନୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।
ଘନି ସରକାରର ପତ୍ତନ ପୂର୍ବରୁ ଦେଶରେ ଦେଖା ଦେଇଥିବା ମରୁଡ଼ି ପ୍ରକୋପ ଏବେ ଆହୁରି ସଂଗୀନ ହୋଇଛି। ଫଳରେ ଅନେକ ପରିବାର ନିଜର ଖାଦ୍ୟ ସଂଗ୍ରହ କରିବାରେ ଅସମର୍ଥ ହେଉଛନ୍ତି। ଫଳରେ ଦେଶରେ ଅନହାର ଭଳି ସମସ୍ୟା ଦେଖାଦେଲାଣି। ଏଭଳି ପରିସ୍ଥିତିକୁ ନେଇ ଜାତିସଂଘ ଓ ଅନ୍ୟ ପ୍ରମୁଖ ଦେଶ ଉଦବେଗ ପ୍ରକାଶ କରିଛନ୍ତି। ତୁରନ୍ତ ସରକାର ଗଠନ ହେଲେ ଏ ସମସ୍ୟା ଦୂର ହେବା ଆଶା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)