• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଋଷ ସିଟି ମଲରେ ଗୁଳିମାଡ । ଭିଡ ଉପରେ ଅନ୍ଧାଧୁନ ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି ଆତତାୟୀ । ଏଥିରେ ୬୦ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ ସିଟି ହଲରେ ଏହି ଗୁଳିମାଡ ହୋଇଛି ।

ପରେ ବିସ୍ଫୋରଣ ଫଳରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା । ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ସୂଚନା ଅନୁସାରେ, ଋଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ସେଠାରେ କାର୍ଯ୍ୟକ୍ରମ ଚାଲିଥିଲା । ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ୪ ଜଣ ଆତତାୟୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛି ।

ହଲରେ ଲାଗିଥିବା ନିଆଁକୁ ହେଲିକପ୍ଟର ମାଧ୍ୟମରେ ଆୟତ୍ତକୁ ଅଣାଯାଇଛି । ତେବେ ଆତତାୟୀଙ୍କ ସମ୍ପର୍କରେ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଥିବା ବେଳେ ଆତଙ୍କବାଦୀ ସଂଗଠନ ଆଇଏସ୍ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।

ସେପଟେ ଏହି ଘଟଣା ପରେ ମସ୍କୋ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ କେଉଁ କାରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଏପରି କାର୍ଯ୍ୟ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ । ଏହି ଆକ୍ରମଣକୁ ନେଇ ପୂରା ଋଷବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଏହି ଆକ୍ରମଣକୁ ଭୟଙ୍କର ବୋଲି କହିଛନ୍ତି । ତେବେ ୟୁକ୍ରେନ ଯୁଦ୍ଧ ସହ ଏହି ଆକ୍ରମଣର କୌଣସି ସୂଚନା ଅଛି କି ନାହିଁ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।