• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ବିଶ୍ୱରେ ଏବେ ଏକ ନୂଆ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି ଆତଙ୍କ । କାରଣ ଲୋକଙ୍କ ମନରୁ ଏବେ ବି ସେଇ କରୋନା ମହାମାରୀ ଭୟ ଲିଭିନି । ଏହି ଗୋଟିଏ ଭୟ ନଯାଉଣୁ ପୁଣି ଏକ ମହାମାରୀ ସମସ୍ତଙ୍କୁ ଡରାଇଛି । ଏହି ନୂଆ ରୋଗର ନାଁ 'ମାଙ୍କି ପକ୍ସ' । ସଦ୍ୟତମ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୧ ଜଣ ‘ମାଙ୍କି ପକ୍ସ’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ, ୟୁରୋପୀୟ ଦେଶ, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ଏଭଳି ୧୯ରୁ ଅଧିକ ଦେଶରେ ଏହି ସମସ୍ତ ମାମଲା ଦେଖିବାକୁ ମିଳିଛି । କିନ୍ତୁ ଆଶ୍ୱସ୍ତିକର ବିଷୟ ଏୟା ଯେ, ଏପର୍ଯ୍ୟନ୍ତ ଭାରତରେ ‘ମଙ୍କିପକ୍ସ’ର କୌଣସି ମାମଲା ଚିହ୍ନଟ ହୋଇ ନାହିଁ । କିନ୍ତୁ କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ 'ମାଙ୍କି ପକ୍ସ'କୁ ନେଇ ଚେତାବନୀ ଦେଇଛି । WHO କହିଛି, ଯେଉଁ ଦେଶରେ ଏବେ ସୁଦ୍ଧା ଏହି ସଂକ୍ରମଣ ବିସ୍ତାର ହୋଇନାହିଁ, ସେଠାରେ ଅଧିକ 'ମାଙ୍କି ପକ୍ସ' ଚିହ୍ନଟ ହୋଇପାରେ । 'ମାଙ୍କି ପକ୍ସ' ସେହିମାନଙ୍କୁ ସଂକ୍ରମିତ କରୁଛି, ଯେଉଁମାନେ କୌଣସି କାରଣରୁ ଏହି ରୋଗୀଙ୍କ ସହ ଶାରୀରିକ ସମ୍ପର୍କରେ ଆସୁଛନ୍ତି । WHO ଅଧିକାରୀ ଡେଭିଡ୍‌ ହେମେନ କହିଛନ୍ତି ଯେ, ଅନୁମାନ କରାଯାଉଛି ଯୌନ ସମ୍ପର୍କ ମାଧ୍ୟମରେ ମଣିଷମାନଙ୍କ କ୍ଷେତ୍ରରେ ‘ମଙ୍କିପକ୍ସ’ ଅଧିକ ବିସ୍ତାର ହେଉଛି । ‍ବିଶେଷ କରି ଗେ’ ମାନଙ୍କ କ୍ଷେତ୍ରରେ ଏହି ରୋଗ ଅଦିକ ଦେଖାଯାଉଛି । ଏହି କାରଣରୁ ସାରା ବିଶ୍ୱରେ ‘ମଙ୍କିପକ୍ସ ମାମଲା’ ବୃଦ୍ଧି ପାଇବାରେ ଲାଗିଛି । ମଣିଷ ମାନଙ୍କ କ୍ଷେତ୍ରରେ ଏହା ଅଧିକ କ୍ଷତିକାରକ ବୋଲି ମଧ୍ୟ ଅନୁମାନ କରାଯାଛି ।

WHO ଅନୁଯାୟୀ, ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ ପ୍ରତିବର୍ଷ ହଜାର ହଜାର ଲୋକ ‘ମଙ୍କିପକ୍ସ’ରେ ସଂକ୍ରମିତ ହୁଅନ୍ତି । ତେବେ ଏବେ ସୁଦ୍ଧା ବିଶ୍ୱର ୧୯ରୁ ଅଧିକ ଦେଶରେ ଏହି ରୋଗ ବ୍ୟାପିବା ପରେ ଏବେ ଭାରତରେ ବ୍ୟାପିବାର କେତେ ସମ୍ଭାବନା ରହିଛି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ? ଏହା ଆଉ ଏକ ମହାମାରୀର କାରଣ ହୋଇପାରେ କି ବୋଲି ଏବେ ପ୍ରଶ୍ନ ଉଠିଛି ?

ମଙ୍କିପକ୍ସ ଏକ ବିରଳ ଭୂତାଣୁ ସଂକ୍ରମଣ । ଏହା ଠିକ୍ ବସନ୍ତ ରୋଗ ଭଳି । ୧୯୫୮ରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସେହିପରି ୧୯୭୦ ମସିହାରେ ପ୍ରଥମ କରି ମଣିଷ ଶରୀରରେ ମଙ୍କିପକ୍ସ ଭୂତାଣୁ ମିଳିଥିଲା । ମୂଷା, ଚୁଚୁନ୍ଦ୍ରା ଓ ଗୁଣ୍ଡୁଚି ମୂଷା ଭଳି ଜୀବଙ୍କ ଶରୀରରୁ ଏହି ଭୂତାଣୁ ମଣିଷ ଶରୀରକୁ ମଧ୍ୟ ଆସିଥାଏ । ଏମାନେ କାମୁଡିଲେ କିମ୍ବା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ କୌଣସି ପଶୁର ମାଂସ ଖାଇଲେ, ରୋଗ ମଣିଷ ଶରୀରରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଥାଏ ।

ମଣିଷରୁ ମଣିଷ ଦେହକୁ ମଙ୍କିପକ୍ସ ସଂକ୍ରମିତ ହେବା ଅତି ବିରଳ । ଆକ୍ରାନ୍ତ ବ୍ୟବହାର କରୁଥିବା ପୋଷାକ, ଗାମୁଛା ଓ ବେଡ୍ ଆଦି ଅନ୍ୟ ଲୋକ ବ୍ୟବହାର କଲେ ଭୂତାଣୁ ଡେଇଁବା ଆଶଙ୍କା ରହିଛି । ସେହିପରି ସଂକ୍ରମିତଙ୍କ ଦେହରେ ହୋଇଥିବା ଫୋଟକା ଓ କୁଣ୍ଡିଆକୁ ଖାଲି ହାତରେ ଛୁଇଁଲେ କିମ୍ବା ତାଙ୍କ କାଶ ଓ କଫ ସଂସ୍ପର୍ଶରେ ଆସିଲେ ମଧ୍ୟ ରୋଗ ସଂକ୍ରମଣର ଆଶଙ୍କା ଅଧିକ । ଶାରିରୀକ ସମ୍ବନ୍ଧ ମାଧ୍ୟମରେ ବି ଭୂତାଣୁ ସଂକ୍ରମିତ ହୋଇଥାଏ । ସମଲିଙ୍ଗୀ ସଂପର୍କ ରଖିଥିବା ଅନେକ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏହାର ତଦନ୍ତ କରାଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି ।

ମଙ୍କିପକ୍ସ ଭୂତାଣୁର ଲକ୍ଷଣ କଣ, ଏହା କେତେ ଭୟଙ୍କର ଓ ଏଥିପାଇଁ କି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି ?

- ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ ।

- ଦେହମୁଣ୍ଡ ଓ ଅଣ୍ଟା ବିନ୍ଧେ ଓ ଦେହରେ ଫୋଟକା ଭଳି ଫଳି ଯାଏ ।

- ସମୟ ସମୟରେ ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରେ ।

- ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି ।

- ପ୍ରଥମେ ଦେହରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ ।

- ୪ରୁ ୫ ଦିନ ପରେ ଏହା ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ ତେଣୁ ଅନେକ ଏହାକୁ ହାଡ଼ଫୁଟି ଭାବେ ଧରିନିଅନ୍ତି ।

- ୬ରୁ ୧୩ ଦିନ ଯାଏ ଏହାର କୋପ ରହେ କିଛି ରୋଗୀଙ୍କ କ୍ଷେତ୍ରରେ ୫ରୁ ୨୧ ଦିନ ଯାଏ ଏହାର ପ୍ରକୋପ ଦେଖିବାକୁ ମିଳେ ତେବେ ୨ରୁ ୪ ସପ୍ତାହ ମଧ୍ୟରେ ଏହା ସଂପୂର୍ଣ୍ଣ ଭାବେ କମିଯାଏ ।

- ସଧାରଣଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ ତେବେ ଉପଯୁକ୍ତ ଚିକିତ୍ସା ନକରାଇଲେ ଏହାକ ଘାତକ ହୋଇପାରେ ।

- ଆଫ୍ରିକୀୟ ଦେଶଗୁଡିକରେ ଯେଉଁଠି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ, ସେଠାରେ ପ୍ରତି ୧୦ ଆକ୍ରାନ୍ତଙ୍କ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି ।

- ପରିଷ୍କାର ପରିଚ୍ଛନ୍ନ ରହିବା ସହ ଉପଯୁକ୍ତ ଚିକିତ୍ସା ଓ ସୁଷମ ଖାଦ୍ୟ ଖାଇଲେ ଅଧିକାଂଶ ରୋଗୀ ସୁସ୍ଥ ହୋଇଯିବା ସମ୍ଭାବନା ଅଧିକ ।

- ମଙ୍କିପକ୍ସ ଲାଗି ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ବାହାରି ନାହିଁ ଲକ୍ଷଣକୁ ଦେଖି ସାଧାରଣ ଚିକିତ୍ସା କରାଯାଇଥାଏ ।

- ତେବେ ଭୂତାଣୁ ଯେଭଳି ନବ୍ୟାପିବ ସେଥିଲାଗି ଆକ୍ରାନ୍ତଙ୍କୁ ପୃଥକ କରି ରଖିବାକୁ ହୁଏ ।