• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା ଓ ଟମାଟୋ ଫ୍ଲୁ ପରେ ଏବେ ମଙ୍କିପକ୍ସ ଭୂତାଣୁକୁ ନେଇ ଚିନ୍ତା । ୟୁରୋପ ଓ ଉତ୍ତର ଆମେରିକାରେ କାୟା ବିସ୍ତାର କରିବାରେ ଲାଗିଛି ଏହି ସଂକ୍ରମଣ । ସାଧାରଣତଃ ମୂଷା ଓ ଚୁଚୁନ୍ଦ୍ରାଙ୍କ ଦେହରୁ ଏହି ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିଥାଏ । ତେବେ ମଙ୍କିପକ୍ସ ବ୍ୟାପିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରିବା ସହ ,ଏହା କିଭଳି ସାଂଘାତିକ ରୂପ ନନେବ ସେଥିଲାଗି ପଦକ୍ଷେପ ନିଆଯାଉଥିବା କହିଛି ।

ୟୁରୋପର ଅନେକ ଦେଶରେ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି । ସ୍ପେନ୍ ଓ ପର୍ତ୍ତୁଗାଲରେ ୪୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସ୍ୱିଡେନ୍ ଓ ଇଟାଲୀରେ ବି ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ବ୍ରିଟେନରେ ମେ ୬ ପର ଠାରୁ ୯ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ ଆମେରିକାରେ ପ୍ରଥମ ମଙ୍କିପ୍ଲସ ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କିଛି ଦିନ ତଳେ ସେ କାନାଡା ଭ୍ରମଣରେ ଯାଇଥିଲେ ।

ଏପଟେ କାନାଡାରେ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି । ୧୨ରୁ ଅଧିକ ସନ୍ଦିଗ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରଯାଉଛି । ଆମେରିକାର ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ CDCର କହିବା ଅନୁସାରେ, ଗତ ୪୦ ବର୍ଷ ଧରି ମଙ୍କିପ୍ଲସ ଭୂତାଣୁକୁ ଦେଖିବାକୁ ମିଳିନଥିଲା । ତେବେ ୨୦୧୭ରେ ଏହାକୁ ଆଫ୍ରିକୀୟ ରାଷ୍ଟ୍ର ନାଇଜେରିଆରେ ପୁଣି ଠାବ କରାଯାଇଥିଲା ।

ମଙ୍କି ପକ୍ସ ଏକ ବିରଳ ଭୂତାଣୁ ସଂକ୍ରମଣ । ଏହା ଠିକ୍ ବସନ୍ତ ରୋଗ ଭଳି । ୧୯୫୮ରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସେହିପରି ୧୯୭୦ ମସିହାରେ ପ୍ରଥମ କରି ମଣିଷ ଶରୀରରେ ମଙ୍କିପକ୍ସ ଭୂତାଣୁ ମିଳିଥିଲା । ମୂଷା, ଚୁଚୁନ୍ଦ୍ରା ଓ ଗୁଣ୍ଡୁଚି ମୂଷା ଭଳି ଜୀବଙ୍କ ଶରୀରରୁ ଏହି ଭୂତାଣୁ ମଣିଷ ଶରୀରକୁ ଆସିଥାଏ । ଏମାନେ କାମୁଡିଲେ କିମ୍ବା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ କୌଣସି ପଶୁର ମାଂସ ଖାଇଲେ, ରୋଗ ମଣିଷ ଶରୀରରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥାଏ ।

ମଣିଷରୁ ମଣିଷ ଦେହକୁ ମଙ୍କିପକ୍ସ ସଂକ୍ରମିତ ହେବା ଅତି ବିରଳ । ଆକ୍ରାନ୍ତ ବ୍ୟବହାର କରୁଥିବା ପୋଷାକ, ଗାମୁଛା ଓ ବେଡ୍ ଆଦି ଅନ୍ୟ ଲୋକ ବ୍ୟବହାର କଲେ ଭୂତାଣୁ ଡେଇଁବା ଆଶଙ୍କା ରହିଛି । ସେହିପରି ସଂକ୍ରମିତଙ୍କ ଦେହରେ ହୋଇଥିବା ଫୋଟକା ଓ କୁଣ୍ଡିଆକୁ ଖାଲି ହାତରେ ଛୁଇଁଲେ କିମ୍ବା ତାଙ୍କ କାଶ ଓ କଫ ସଂସ୍ପର୍ଶରେ ଆସିଲେ ରୋଗ ସଂକ୍ରମଣର ଆଶଙ୍କା ଅଧିକ । ଶାରିରୀକ ସମ୍ବନ୍ଧ ମାଧ୍ୟମରେ ବି ଭୂତାଣୁ ସଂକ୍ରମିତ ହୋଇଥାଏ । ସମଲିଙ୍ଗୀ ସଂପର୍କ ରଖିଥିବା ଅନେକ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏହାର ତଦନ୍ତ କରାଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି ।

ମଙ୍କିପକ୍ସ ଭୂତାଣୁର ଲକ୍ଷଣ କଣ, ଏହା କେତେ ଭୟଙ୍କର ଓ ଏଥିପାଇଁ କି ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି ?

- ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ

- ଦେହମୁଣ୍ଡ ଓ ଅଣ୍ଟା ବିନ୍ଧେ ଓ ଦେହରେ ଫୋଟକା ଭଳି ଫଳି ଯାଏ

- ସମୟ ସମୟରେ ରୋଗୀଙ୍କୁ କମ୍ପ ଆସିବା ସହ ଦେହହାତ ଥରେ

- ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରନ୍ତି

- ପ୍ରଥମେ ଦେହରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ

- ୪ରୁ ୫ ଦିନ ପରେ ଏହା ଫୁଲି ଯିବା ସହ ଏଥିରେ ପୁଜ ଭରିଯାଏ ତେଣୁ ଅନେକ ଏହାକୁ ହାଡ଼ଫୁଟି ଭାବେ ଧରିନିଅନ୍ତି

- ୬ରୁ ୧୩ ଦିନ ଯାଏ ଏହାର କୋପ ରହେ କିଛି ରୋଗୀଙ୍କ କ୍ଷେତ୍ରରେ ୫ରୁ ୨୧ ଦିନ ଯାଏ ଏହାର ପ୍ରକୋପ ଦେଖିବାକୁ ମିଳେ ତେବେ ୨ରୁ ୪ ସପ୍ତାହ ମଧ୍ୟରେ ଏହା ସଂପୂର୍ଣ୍ଣ ଭାବେ କମିଯାଏ

- ସଧାରଣଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ ତେବେ ଉପଯୁକ୍ତ ଚିକିତ୍ସା ନକରାଇଲେ ଏହାକ ଘାତକ ହୋଇପାରେ

- ଆଫ୍ରିକୀୟ ଦେଶଗୁଡିକରେ ଯେଉଁଠି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ, ସେଠାରେ ପ୍ରତି ୧୦ ଆକ୍ରାନ୍ତଙ୍କ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି

- ପରିଷ୍କାର ପରିଚ୍ଛନ୍ନ ରହିବା ସହ ଉପଯୁକ୍ତ ଚିକିତ୍ସା ଓ ସୁଷମ ଖାଦ୍ୟ ଖାଇଲେ ଅଧିକାଂଶ ରୋଗୀ ସୁସ୍ଥ ହୋଇଯିବା ସମ୍ଭାବନା ଅଧିକ

- ମଙ୍କିପକ୍ସ ଲାଗି ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ବାହାରି ନାହିଁ ଲକ୍ଷଣକୁ ଦେଖି ସାଧାରଣ ଚିକିତ୍ସା କରାଯାଇଥାଏ

- ତେବେ ଭୂତାଣୁ ଯେଭଳି ନବ୍ୟାପିବ ସେଥିଲାଗି ଆକ୍ରାନ୍ତଙ୍କୁ ପୃଥକ କରି ରଖିବାକୁ ହୁଏ